Uncategorizedବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ by Sunil Chandra NayakOctober 11, 2022067 Share0 ନୀଳ ନିଶୀଥର ସ୍ଵପ୍ନ //ବେଣୁଧର ସୂତାର// ଗହଳ ରାତିର ବହଳ ଅନ୍ଧାରେ ମୟାଭରା କାୟା ମେଲି ନୀଳ ନିଶୀଥର ସ୍ଵପ୍ନ ଗୋ ତୁମ ଭାନୁମତୀ ପେଡି ଖୋଲି । ନୟନରେ ଭର ତନ୍ଦ୍ରା ମଦିରା ରୋମାଞ୍ଚିତ ସମ୍ମୋହନ ସତେ ଯାଦୁକରୀ ସପନ ମାଧୁରୀ ଭାବାବେଗେ ଝୁମେ ମନ । ତୁମେଚାରୁହାସୀ ଲାସ୍ୟ ମଦାଳସୀ ଚମକ ଚପଳ ଛନ୍ଦା ଅନୁରାଗମୟୀ ମଧୁଳଗ୍ନ ମାୟା ଆଶାର ଅଳକାନନ୍ଦା । ଭାବ ପ୍ରାଚୁର୍ଯ୍ୟର ମନ୍ଦ୍ର ମଧୁର ନୈସର୍ଗୀକ ଉପହାର ବୟସ ବାସର ସ୍ଵପ୍ନ ଉପଚାର ସମ୍ମୋହିତ ଜୀବନର । ସପନ କୁହୁକ ମହୁଆ ମାଦକ ମୋହିତ ଅନ୍ତର ତଳେ ନୀଳଆବେଗର ବେଗମତୀ ବନ୍ୟା ସପନର ଅନ୍ତରାଳେ । ସ୍ଵପ୍ନର ମଦିରା କରେ ଆତ୍ମହରା ନୀଳଆଖି ତୀର ଚାଳି ଚହଲା ଯୌବନ ସ୍ଵପ୍ନବନେ ଫୁଟେ ପ୍ରେମର ମୁକ୍ତାବଳୀ । ପ୍ରୀତି ଫୁଲ ଏଠି ମହମହ ବାସେ ମନଗାଏ ପଦ୍ମ ତୋଳା ମନ ଭୁବନରେ ସମ୍ଭାବନା ତୋଳେ ସୁଖ ସୌଭାଗ୍ୟର ବେଳା । ତାରୁଣ୍ୟ ମନରେ ତନ୍ମୟ ମୁହୂର୍ତ୍ତେ ଉନ୍ମାଦନା ଯାଏ ବଢ଼ି ମନ କୁଞ୍ଜବନେ ଫୁଟଇ ଗୋପନେ ସପନର ଫୁଲକଢି । ସ୍ଵପ୍ନ ତୁମେ ପରା ଗହନ ମନର ଛାୟା ସ୍ନିଗ୍ଧ ସମ୍ମୋହନ ଭରିଦିଅ ହୃଦେ କର୍ତ୍ତବ୍ୟବୋଧର ଭାବମୟ ମୂଲ୍ୟାୟନ । କେଶଦୁରାପାଳ କେନ୍ଦୁଝର