ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା..କାହା ରିମୋଟ ରେ ତଦନ୍ତକୁ ଦିଗହରା କରାଯାଉଛି କି ?

ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କମିଶନରେଟ ପୋଲିସର ଦୁଇ ଥାନା ଅଧିକାରୀ ଦୟାନିଧି ନାୟକ ଓ ବିଶ୍ବରଂଜନ ସାହୁ ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଛନ୍ତି। ତେବେ ଦୁଇଦିନ ପଛରେ ମାମଲା ରୁଜୁ କରି ଅର୍ଚ୍ଚନାଙ୍କୁ ଗିରଫ କରି ଖଣ୍ଡଗିରି ଥାନା ଅଧିକାରୀ ଶ୍ରୀ ନାୟକ ଏହି ମାମଲାରେ ଆଗରେ ଅଛନ୍ତି। ବ୍ୟାଙ୍କ ଏକାଉଣ୍ଟ୍, ମୋବାଇଲ, ଲାପଟପ୍, ପେନଡ୍ରାଇଭ ଜବତ କରି ଏସଏଫଏସଏଲକୁ ତଦନ୍ତ ପାଇଁ ପଠାଇଛନ୍ତି। ଅର୍ଚ୍ଚନାର ଦେହ ବ୍ୟବସାୟର ପେଣ୍ଠସ୍ଥଳୀ ତଥା ଜାଗମରା ସ୍ଥିତ ରଙ୍ଗସାଳାରେ ମଧ୍ୟ ପହଞ୍ଚି ଯାଞ୍ଚ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ମାତ୍ର ସେପ୍ଟେମ୍ବର ୩୦ ରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିବା ଅକ୍ଷୟ ପରିଜାଙ୍କ ଅଶ୍ଳୀଳ ଭିଡିଓ ଓ ୩ କୋଟି ଟଙ୍କା ବ୍ଲାକମେଲ ଘଟଣାରେ ପୋଲିସ କିଛି ସୁରାକ ପାଉନାହିଁ। ଯେଉଁଥିପାଇଁ ଗିରଫଦାରୀ ତ ଦୂରର କଥା ଅର୍ଚ୍ଚନାଙ୍କୁ ରିମାଣ୍ଡ ରେ ମଧ୍ୟ ନେଉନଥିବା ଜଣାପଡ଼ିଛି। କେବଳ ଅର୍ଚ୍ଚନା କାହିଁକି ଅକ୍ଷୟ ପରିଜା ମାମଲାରେ ପୀଡିତା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମଧ୍ୟ ନୟାପଲ୍ଲୀ ଥାନା ଅଧିକାରୀ ଶ୍ରୀ ବିଶ୍ବରଂଜନ ସାହୁ ତଦନ୍ତ ପରିସରକୁ ଅଣିନଥିବା ଜଣା ପଡ଼ିଛି। ଏହାପଛରେ କିଛି ବଡ ରହସ୍ୟ ରହିଥିବା ନେଇ ଚର୍ଚ୍ଚା ହେଉଛି। କୌଣସି ବଡ ଧରଣର ଅଦୃଶ୍ୟ ଶକ୍ତି ଚାପରେ ପୋଲିସ ତଦନ୍ତ ଦିଗହରା ହେଉଛି ବୋଲି ଆଲୋଚନା ଆରମ୍ଭ ହେଲାଣି। ଏପଟେ ଅର୍ଚ୍ଚନା ବ୍ୟାଙ୍କ୍ ଏକାଉଣ୍ଟ୍ ଯାଞ୍ଚରୁ ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିନାହିଁ। ଦୁଇଟି ଯାକ ବ୍ୟାଙ୍କ୍ ଏକାଉଣ୍ଟ୍କୁ କୌଣସି ବଡ ଧରଣର ଅର୍ଥ ରାଶି ଆସିନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହାଛଡା ଅର୍ଚ୍ଚନାଙ୍କ ଦେହ ବ୍ୟବସାୟର ଚେର କେତେ ଦୂର ଲମ୍ବିଛି ତାହା ୧୨ ଦିନ ପରେ ମଧ୍ୟ ୨ ଥାନା ଅଧିକାରୀ ସାମ୍ନାକୁ ଆଣିପାରି ନାହାନ୍ତି। ଏଭଳି ଘଟଣା ରାଜ୍ୟ ରାଜନୀତିର ହଇଚଇ ସୃଷ୍ଟି କରିଥିବା ବେଳେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ରଙ୍ଗୀନ କାହାଣୀ ସାମ୍ନାକୁ ଆସିଛି। ଏପରି ସ୍ଥଳରେ ପୁଲିସ କିପରି ଏତେ ବେପରୁଆ ହୋଇ ପାରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଓଲିଉଡ ରୁ ରାଜନୀତି

ସବୁଠି ଚାପରେ ପୋଲିସର ତଦନ୍ତ….

କେବଳ ତଦନ୍ତ ଚାପି ଦେବା ବା ବନ୍ଦ୍ କରିଦେବା ସେତିକି ନୁହେଁ, ଅନେକ ଯାତ୍ରା ଓ ରୂପେଲି ପରଦାର ଅଭିନେତାଙ୍କ ସଂପୃକ୍ତି ଖବର ମଧ୍ୟ ସାମ୍ନାକୁ ଆସିଲାଣି। ଓଲିଉଡ଼ ସହ ସଂପୃକ୍ତ ବହୁ ବ୍ୟକ୍ତି ଏପରିକି ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଜାଗମରା ସ୍ଥିତ ରଙ୍ଗସାଳାରେ ରାତି ମଧ୍ୟ କଟାଇଛନ୍ତି। ଯାହା ଚଳଚ୍ଚିତ୍ର ଜଗତର ପରଦା ପଛର ସତ୍ୟତକୁ ବୟାନ କରୁଛି। ଏକାଥର ସତ୍ୟତା ମଧ୍ୟ ରହିଛି। କାରଣ ୨୦୧୭ ମସିହାରେ ଅର୍ଚ୍ଚନା ନିଜେ ପ୍ରଯୋଜକ ପ୍ରମୋଦଙ୍କ ବିରୋଧରେ ଆଣିଥିଲେ ଠକେଇ, ପ୍ରତାରଣା ଓ ଭିଡ଼ିଓ ଭାଇରାଲ ଭଳି ସଙ୍ଗୀନ ଅଭିଯୋଗ।ଆଉ ପରବର୍ତ୍ତୀ ସମୟରେ ମହିଳା ଥାନା ପୋଲିସ କିପରି ଏହି ମାମଲାରେ ଯବନିକା ପକାଇଲା ତାହା ଏବେ ବି ଚାପି ହୋଇ ରହିଛି। କମିଶନରେଟ ପୋଲିସ କେବଳ ତଦନ୍ତରେ ତାଲା ମାରିନି, ବରଂ ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ କୋଳକୋଲି ହୋଇଥିବା ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କ ସାମାଜିକ ଗଣମାଧ୍ୟମରୁ ଜଣାପଡ଼ୁଛି। ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ସତ୍ୟବିହରସ୍ଥିତ ବାସଭବନକୁ ନିଜେ ପ୍ରମୋଦ ଯାଇ ଘର ପ୍ରତିଷ୍ଠାରେ ସାମିଲ ହୋଇଥିବା ଫଟୋରୁ ଜଣା ପଡ଼ିଛି।

କେଭି ସିଂଦେଓଙ୍କ ମାମଲା…

ମିସଟେକ୍ ଅଫ୍ ଫ୍ୟାକ୍ଟ ବୋଲି ପୋଲିସର ରିପୋର୍ଟ

ସେପଟେ ବିଜେପିର ବରିଷ୍ଠ ନେତା କେଭି ସିଂଦେଓଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଅର୍ଚ୍ଚନା। ସିଂଦେଓ ତାକୁ ନିର୍ବାଚନୀ ଟିକେଟ ଦେବେ କହି ଯୌନ ସଂପର୍କ ରଖିଥିଲେ ଓ ପରେ ତାଙ୍କ ସ୍ତ୍ରୀ ସଙ୍ଗୀତ କମ୍ପ୍ରୋମାଇଜ କରି ଟିକେଟ ପାଇ ଜିତିଥିଲେ ବୋଲି ଅର୍ଚ୍ଚନା ଅଭିଯୋଗ କରିଥିଲା। ସିଂଦେଓ ଙ୍କ ଭଳି ବରିଷ୍ଠ ନେତାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ପଦ୍ମ ଶିବିରକୁ ଏବେ ଦୋହଲାଇ ଦେଇଛି। ଅର୍ଚ୍ଚନାଙ୍କ ଅଭିଯୋଗ ଅନୁସାରେ ୨୦୨୦ ନଭେମ୍ବର ୨୫ ତାରିଖରେ ମାମଲ୍ ରୁଜୁ ହୋଇଥିଲା। ତେବେ ମାମଲା ରୁଜୁ ପରେ ଅର୍ଚ୍ଚନା ଆଉ ତଦନ୍ତରେ ସହଯୋଗ କରିନଥିଲେ ଧାରା ୧୬୧ ରେ ବୟାନ ମଧ୍ୟ ରେକର୍ଡ କରାଇନଥିଲେ। ପୋଲିସ ବାରମ୍ବାର ତାଙ୍କ ଘରକୁ ଯାଇ ଫେରିବା ପରେ ଆସି ବୟାନ ଦେଇଥିଲେ ଓ କୋର୍ଟରେ ସେହି ବୟାନକୁ ବଦଳାଇ ଦେଇଥିଲେ। ତେଣୁ ବାଧ୍ୟ ହୋଇ କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ଫାଇନାଲ ରିପୋର୍ଟ ଦଖଲ କରିଥିଲା। ଆଉ ସେଥିରେ ଉଲ୍ଲେଖ କରିଥିଲା ଯେ, କନକବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଂଗୀତାଙ୍କ ନାଁ ରେ ଅର୍ଚ୍ଚନା ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ମାମଲାରେ କୌଣସି ସତ୍ୟତା ନାହିଁ କୁ ଅର୍ଚ୍ଚନା ପୋଲିସକୁ କୌଣସି ତଥ୍ୟ ପ୍ରମାଣ ଦେଇନାହାନ୍ତି। ତେଣୁ ମିସଟେକ୍ ଅଫ୍ ଫ୍ୟାକ୍ଟ ଲେଖି ପୋଲିସ ତଦନ୍ତ କୁ ବନ୍ଦ୍ କରିଦେଇଥିଲା। ଏହାପରେ ଅର୍ଚ୍ଚନା ଓ ସିଂଦେଓଙ୍କ ସମ୍ପର୍କ ବଜାୟ ରହିଥିଲା ଏବଂ ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠାରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା।

ତେବେ ଅର୍ଚ୍ଚନାଙ୍କ ନାମରେ ଯେଉଁଭଳି ସଙ୍ଗୀନ ଅଭିଯୋଗ ସବୁ ଆସୁଛି। ଏହି ମାମଲାରେ ବଡବଡ ନେତା, ବ୍ୟବସାୟୀ, ପ୍ରଯୋଜକଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି ହେଲେ ପୋଲିସର ତଦନ୍ତ କଛପ ଗତିରେ ଚାଲୁଛି କହିଲେ ଚଳେ। ତେବେ ତଦନ୍ତ ନେଇ ପୋଲିସର ଏଭଳି ମନୋଭାବ ତଦନ୍ତକୁ ଦିଗହରା କରୁଛି।

ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗଟି ଦିନକୁ ଦିନ ଅଧିକ ରହସ୍ୟାବୃତ ହେବାରେ ଲାଗିଛି। ଅର୍ଚ୍ଚନାଙ୍କ ରାଜନୈତିକ ସଂପୃକ୍ତି ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି ଯେ ଅର୍ଚ୍ଚନା ଚଳାଇଥିବା ସେକ୍ସ ରାକେଟ ଓ ବ୍ଲାକ୍‌ମେଲ୍ ମାମଲାରେ ଶାସକ ଦଳର ଅନେକ ନେତା, ମନ୍ତ୍ରୀ ଓ ଅଫିସରଙ୍କ ସମ୍ପୃକ୍ତି ରହିଛି। ବିଜେପିର ମଧ୍ୟ କିଛି ପୂର୍ବତନ ମନ୍ତ୍ରୀ ଓ ସଦସ୍ୟଙ୍କ ସମ୍ପୃକ୍ତି ରହିଛି। ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ। ତେଣୁ ବିଜେଡି ସରକାର ଚାପରେ ପଡ଼ି ଜବତ ହୋଇଥିବା ଲାପଟପ୍ ଓ ମୋବାଇଲ୍‌ରେ ଥିବା ଭିଡ଼ିଓ, ଫଟୋ ବିଷୟରେ ପୁଲିସ ତଥ୍ୟ ଲୁଚାଉଛି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜବତ ଲାପଟପ୍‌ ଭିତରେ ଥିବା ରହସ୍ୟକୁ ପୁଲିସ ସମସ୍ତଙ୍କ ସାମ୍ନାକୁ ଆଣି ନଥିଲା। ସେମିତି ଅର୍ଚ୍ଚନା ମାମଲାରେ ମଧ୍ୟ ତଥ୍ୟ ନଷ୍ଟା କରାଯିବା ଅସମ୍ଭବ ନୁହେଁ ବୋଲି ଶ୍ରୀ ସାଲୁଜା ଆଶଙ୍କା ପ୍ରକଟ କରିଛନ୍ତି। ବିଜେଡି ନେତା ମାନେ ସଫା ପୋଷାକ ପିନ୍ଧି ଘୃଣ୍ୟ କାମ କରୁଛନ୍ତି। ସେମାନଙ୍କ ନାମକୁ ସାଧାରଣରେ ପ୍ରକାଶ କରାଯିବା ସହ ମାମଲା କରାଯାଉ। ଲୋକ ଜାଣିବେ କେଉଁମାନେ ଘୃଣିତ କାମ କରୁଛନ୍ତି। ମାମଲାର ଏସ୍‌ଆଇଟି ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

 ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଥିବା ରାଜନୈତିକ ଶକ୍ତି, ଅଫିସର, ବ୍ୟବସାୟୀ, ଠିକାଦାର ଓ ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ନେଇ ଏବେ ସମଗ୍ର ରାଜ୍ୟରେ ବିଭିନ୍ନ ମହଲ ହୁଲସ୍ତୁଲ ହେଉଛି। ବେଶି ଚିନ୍ତାରେ ପଡ଼ିଛନ୍ତି ଅର୍ଚ୍ଚନା ନାଗଙ୍କ ଫାଶରେ ଫସିଥିବା ନେତାମାନେ। ଅପରପକ୍ଷେ ଅର୍ଚ୍ଚନାଙ୍କ ଭଳି ଜଣେ ସାଧାରଣ ମହିଳା କିଭଳି ଏତେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଫସାଉଥିଲେ, ତାହାକୁ ନେଇ ବି ବିଭିନ୍ନ ମହଲରେ ବିସ୍ମୟ ପ୍ରକାଶ ପାଇଛି। ଏହା ଭିତରେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ କାରନାମାର ବହୁ ଗୁମର ପଦାକୁ ଆସିବାରେ ଲାଗିଛି। ଜଗବନ୍ଧୁ ବାବଦରେ ମିଳିଥିବା ତଥ୍ୟ ବି ଆଖି ଖୋସିହୋଇଗଲା ଭଳି। ବହୁ ଦିନରୁ ସେ ଚୀନ୍‌ ଓ ଜାପାନର ରୂପଜୀବୀମାନଙ୍କ ଯୋଗାଯୋଗରେ ରହି ଜୁଆ ଖେଳୁଥିଲା ବୋଲି ଜଣାପଡ଼ିଛି।

ଜଗବନ୍ଧୁଙ୍କ ଆକାଉଣ୍ଟ୍ ଯାଞ୍ଚ୍‌କୁ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ତା’ର ସଂପୃକ୍ତି କେବଳ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ନଥିଲା, ଅନ୍‌ଲାଇନ୍‌ ଜରିଆରେ ସେ ବିଦେଶୀ ରୂପଜୀବୀଙ୍କ ଯୋଗାଯୋଗରେ ଥିଲା। ହ୍ବାଟ୍‌ସଆପ୍‌ରେ ଗ୍ରୁପ୍ କରି ସେଥିରେ ସେ ଚାଟିଂ କରୁଥିଲା। ସେ ଯେଉଁ ଗ୍ରୁପ୍‌ରେ ଥିଲା ତା’ର ଆଡମିନ୍ ବା ମୁଖ୍ୟ ଥିଲା ଜାପାନର ଜିଓଙ୍ଗ। ପ୍ରାଥମିକ ତଦନ୍ତରୁ ଜିଓଙ୍ଗ ଜାପାନର ଅଧିବାସୀ ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ତା’ ନାଁରେ ମାଳମାଳ ଆକାଉଣ୍ଟ୍ ଓ ଫ୍ୟାନ୍ କ୍ଲବ୍ ରହିଛି। ବହୁ ଯୁବତୀ ବା ରୂପଜୀବୀଙ୍କ ଅର୍ଦ୍ଧନଗ୍ନ ଫଟୋରେ ନମ୍ବର ଦିଆଯାଇ ଲୋକଙ୍କୁ ଉକ୍ତ ଆକାଉଣ୍ଟ୍ ପ୍ରତି ଆକର୍ଷିତ କରାଯାଉଥିଲା। ଏହାକୁ ମାଧ୍ୟମ କରି ସେ ଚୀନ୍ ଓ ଜାପାନର ନିର୍ଦ୍ଦିଷ୍ଟ କିଛି ଅନ୍‌ଲାଇନ୍‌ ଗେମ୍‌ ମଧ୍ୟ ଖେଳୁଥିଲା। ଯାହାକି ଏକପ୍ରକାର ଜୁଆ ଖେଳ ବୋଲି କୁହାଯାଉଛି। ୨୦୧୫ ମସିହା ବେଳକୁ ସେ ଅନ୍‌ଲାଇନ୍ ସଫ୍ଟୱେର୍ ଡେଭେଲପର୍‌ ନାଁ’ରେ ଆକାଉଣ୍ଟ ଖୋଲିଥିଲା। ଉକ୍ତ ଆକାଉଣ୍ଟ୍ ଜରିଆରେ ସେ ଜାପାନ୍‌ର କିଛି ରୂପଜୀବୀଙ୍କ ସହ ଯୋଡ଼ି ହୋଇଥିଲା। ସେମାନଙ୍କ ସହିତ ଗେମ୍ ଖେଳିବାକୁ ଜଗବନ୍ଧୁ ନିୟମିତ ଯୋଗାଯୋଗରେ ରହୁଥିଲା। ତେବେ ଅନ୍‌ଲାଇନ୍ ଜୁଆ ଓ ରୂପଜୀବୀଙ୍କ ବାବଦରେ ଯେମିତି କିଛି ତଥ୍ୟ ପଦାକୁ ନ ଆସିବ, ସେଥିପାଇଁ ଉଭୟ ଜଗବନ୍ଧୁ ଓ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ ପ୍ରାୟ ୨୦ରୁ ଅଧିକ ଆକାଉଣ୍ଟ ଖୋଲିଥିଲେ।

ବିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….

Related posts

ପ୍ରଧାନମନ୍ତ୍ରୀ ରାସ୍ତା ସଂଯୋଗ ପାଇଁ ସାଂସଦ ଙ୍କୁ ଦାବିପତ୍ର

Sunil Chandra Nayak

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟ ର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟର ଶୁଭାରାମ୍ଭ

Sunil Chandra Nayak

Leave a Comment

error: Content is protected !!