ଏକାସାଙ୍ଗରେ ୬ଟି ଦମ୍ପତିଙ୍କ ରହଣୀ ପାଇଁ ବ୍ୟବସ୍ଥା
ଖୁବଶୀଘ୍ର ଚିଲିକାରେ ଯାତ୍ରା କରିବ ହାଉସ୍ ବୋଟ୍ ‘ଗରୁଡ’ । ଡଙ୍ଗା ଘରେ ରହି ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଖୁବ୍ ସୁନ୍ଦର ଭାବେ ଅତ୍ୟାଧୁନିକ ଢଙ୍ଗରେ ଗରୁଡକୁ ପ୍ରସ୍ତୁତ କରାଯାଇଛି । ଓଡିଶା ପ୍ରର୍ଯ୍ୟଟନ ବିଭାଗ ଦ୍ୱାରା ଏହି ହାଉସ ବୋଟ୍ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ଜୁନ୍ ତାରିଖରେ ଏହାର ଉଦଘାଟନ୍ କରିବେ । ଏଥିରେ ପର୍ଯ୍ୟଟକଙ୍କ ଖୁସି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ହାଉସ ବୋଟ୍ରେ ଖୁବ୍ ସୁନ୍ଦର କୋଠରୀ ରହିଛି । ଏଠାରେ ରାତି ରହଣୀ ସହ ଖାଇବାର ବ୍ୟବସ୍ଥା ରହିଛି । ଏକାଥରେ ୬ଟି ଦମ୍ପତିଙ୍କ ପାଇଁ ୨୪ ଘଂଟା ରହଣି ବ୍ୟବସ୍ଥା ରହିଛି । ଗରୁଡକୁ ସ୍ୱାଗତ ବେଳେ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସୁରକ୍ଷା ସଂପର୍କୀତ ସୂଚନା ଦିଆଯିବ ।ଗରୁଡରେ ରହଣି ବେଳେ ଖାଇବା ପାଇଁ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସହ ଚା’ ଯୋଗାଇ ଦିଆଯିବ । ଓଡିଆ ଖାଦ୍ୟକୁ ପ୍ରାଥମିକତା ଦିଆଯିବ । ଖାଦ୍ୟ ମେନୁରେ ସାମୁଦ୍ରିକ ଖାଦ୍ୟ, କଙ୍କଡା, ଚିଲିକା ଚିଙ୍ଗୁଡି ଓ ଚିଲିକାର ଖଇଙ୍ଗା ମାଛ ରହିବ । ଦିନ ସାଢେ ଗୋଟାଏରେ ମଧ୍ୟାହ୍ନ ଭୋଜନରେ ଓଡିଆ ଖାଦ୍ୟ ସହ ସାମୁଦ୍ରିକ ଖାଦ୍ୟ ଖାଇପାରିବେ ପର୍ଯ୍ୟଟକ । ସେହିଭଳି ରାତି ୯ଟା ସୁଦ୍ଧା ରାତ୍ରି ଭୋଜନରେ ବିଭିନ୍ନ ପ୍ରକାର ଖାଦ୍ୟ ପରସା ଯିବ । ସକାଳ ସାଢେ ୭ଟାରେ ଜଳଖିଆ ଦିଆଯିବ । ଏବଂ ଅପରାହ୍ଣ ୪ଟା ସମୟରେ ଚିଲିକାରେ ଥିବା ବିଭିନ୍ନ ଟାପୁରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ମଜା ନେଇ ପାରିବେ ପର୍ଯ୍ୟଟକ । ରହଣୀ ସ୍ଥଳରେ ପାନୀୟଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ରହିବ । ପର୍ଯ୍ୟଟନସ୍ଥଳୀର ବିକାଶ କରିବା ସହ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଗରୁଡର ପରିଚାଳନା ପାଇଁ ଏକ ଘରୋଇ ସଂସ୍ଥା ବିକାଶ ଇକୋ ରିସର୍ଟକୁ ଦିଆଯାଇଛି ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..