ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିଅର୍ଘ୍ୟ

  ଭକ୍ତିଅର୍ଘ୍ୟ

  ଜ୍ୟୋତ୍ସ୍ନା ରାଣୀ ଦେବୀ

ଶୁଭ୍ର ତନୁ ପଖାଳି ଦେଇ  
        ଆସିଛି ଉଷା ବୀଣାକୁ ବାଇ
     ମଧୁ ଲଗନ ଧରି
ବୃହସ୍ପତି ବାସର ସଜ
    ମଗୁଶୀରେ ହୋଇଛି ଆଜ
        ମାଆଙ୍କୁ ଯିବ ବରି ।
ଅରୁଣ ଆଙ୍କି ମୁରୁଜ ନାଲି
      ଉନ୍ମିଳେ ପଦ୍ମ ହୃଦୟ ଖୋଲି
       ବସିଛି ପଥ ଚାହିଁ
ଗଜବାହିନୀ ସୁସ୍ଵର ନାଦେ
   ଅଛନ୍ତି ରହି ଅତି ପ୍ରମୋଦେ
      ଶ୍ରୀପଦ ଦେବେ ଧୋଇ ।
     
ଭକତି ଥାଳେ ଅନ୍ତର ଭରି
    ହୃଦୟେ ଶୁଦ୍ଧ ବିଚାର କରି
       ପୂଜା ନୈବେଦ୍ୟ ଦେଇ
କରିବେ ପୂଜା ଯେତେକ ଶ୍ରୀୟା
       ଶିରୀ ପୟରେ ଅଜାଡି ହିଆ 
            ନିମିଳ ଆଖି ଫେଇ ।
ମନ୍ଦିର ତେଜି ସଧୀରେ ଗମି
    ନିକଟ ଦୂର ନିମିଷେ ଭ୍ରମି
    ଆସିବେ ପଦ୍ମାଳୟା
ପୁରକୁ ପୁର ବିହରି ଯିବେ
    ଭକତି ଶୁଚି ପରଖି ନେବେ
     ସରାଗେ ହେବେ ଠିଆ ।
ବିମଳ କାନ୍ତି ନିର୍ମଳ ଛବି
    ଝଟକେ ଯେହ୍ନେ ଆକାଶେ ରବି
     ଝୋଟିଚିତ୍ରର ପନ୍ତି
ସରଳ ପ୍ରାଣ ନିର୍ମଳ ମନ
     କ୍ରୋଧ ରହିତ ମାନାଭିମାନ
  ଦେଖି କରିବେ ଗତି ।
ଖଞ୍ଜିବେ ପଡି ଯାହାକୁ ଯେତେ
   ଅନ୍ନଦା ଅନ୍ନ ବିବିଧ ମତେ
      ସକଳ ମନ ଜାଣି
କଲ୍ୟାଣମୟୀ ମମତାମୟୀ
    ସୁଖଦାୟିନୀ ସେ ମହାମାୟୀ
       ପ୍ରଣତି ହୃଦେ ଘେନି ।

  ବ୍ରହ୍ମପୁର, ଗଂଜାମ

Related posts

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ ତାରିଖରେରେ ଲଘୁଚାପ,ସମ୍ଭାବ୍ୟ ବାତ୍ୟା ସୂଚନା

Sunil Chandra Nayak

ଫରଙ୍ଗରେ ନୃତନ ଗୋରୁବଜାର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!