ଭକ୍ତିଅର୍ଘ୍ୟ
ଜ୍ୟୋତ୍ସ୍ନା ରାଣୀ ଦେବୀ
ଶୁଭ୍ର ତନୁ ପଖାଳି ଦେଇ
ଆସିଛି ଉଷା ବୀଣାକୁ ବାଇ
ମଧୁ ଲଗନ ଧରି
ବୃହସ୍ପତି ବାସର ସଜ
ମଗୁଶୀରେ ହୋଇଛି ଆଜ
ମାଆଙ୍କୁ ଯିବ ବରି ।
ଅରୁଣ ଆଙ୍କି ମୁରୁଜ ନାଲି
ଉନ୍ମିଳେ ପଦ୍ମ ହୃଦୟ ଖୋଲି
ବସିଛି ପଥ ଚାହିଁ
ଗଜବାହିନୀ ସୁସ୍ଵର ନାଦେ
ଅଛନ୍ତି ରହି ଅତି ପ୍ରମୋଦେ
ଶ୍ରୀପଦ ଦେବେ ଧୋଇ ।
ଭକତି ଥାଳେ ଅନ୍ତର ଭରି
ହୃଦୟେ ଶୁଦ୍ଧ ବିଚାର କରି
ପୂଜା ନୈବେଦ୍ୟ ଦେଇ
କରିବେ ପୂଜା ଯେତେକ ଶ୍ରୀୟା
ଶିରୀ ପୟରେ ଅଜାଡି ହିଆ
ନିମିଳ ଆଖି ଫେଇ ।
ମନ୍ଦିର ତେଜି ସଧୀରେ ଗମି
ନିକଟ ଦୂର ନିମିଷେ ଭ୍ରମି
ଆସିବେ ପଦ୍ମାଳୟା
ପୁରକୁ ପୁର ବିହରି ଯିବେ
ଭକତି ଶୁଚି ପରଖି ନେବେ
ସରାଗେ ହେବେ ଠିଆ ।
ବିମଳ କାନ୍ତି ନିର୍ମଳ ଛବି
ଝଟକେ ଯେହ୍ନେ ଆକାଶେ ରବି
ଝୋଟିଚିତ୍ରର ପନ୍ତି
ସରଳ ପ୍ରାଣ ନିର୍ମଳ ମନ
କ୍ରୋଧ ରହିତ ମାନାଭିମାନ
ଦେଖି କରିବେ ଗତି ।
ଖଞ୍ଜିବେ ପଡି ଯାହାକୁ ଯେତେ
ଅନ୍ନଦା ଅନ୍ନ ବିବିଧ ମତେ
ସକଳ ମନ ଜାଣି
କଲ୍ୟାଣମୟୀ ମମତାମୟୀ
ସୁଖଦାୟିନୀ ସେ ମହାମାୟୀ
ପ୍ରଣତି ହୃଦେ ଘେନି ।
ବ୍ରହ୍ମପୁର, ଗଂଜାମ