ଡାବୁଗାଁ, ୨୦/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଅଧୀନ ସରାଗୁଡା ଗ୍ରାମରେ ସର୍ବସାଧାରଣ ଅନେକ ସ୍ଥାନୀୟ ପର୍ବପର୍ବାଣୀ ପାଳନ କରନ୍ତି । ସେଥି ମଧ୍ୟ ରେ ବଉଳାଣୀ ଯାତ୍ରା ଅନ୍ୟତମ | ଧାନ କଟା ଶେଷ ହେବା ପରେ ଏହି ପର୍ବ ପାଳନ ହୋଇଥାଏ | ପୌଷ ମାସର କୈାଣସି ଏକ ମଙ୍ଗଳବାର ଦିନ ମା ଠାକୁରାଣୀ ଙ୍କ ଏହି କୃଷିଭିତ୍ତିକ ପର୍ବ ପାଳନ ହୁଏ । ବଉଳାଣୀ ର ଅର୍ଥ ହେଲା ଗାଁର ମଇଳା ଆବର୍ଜନା କୁ ନେଇ ଗାଁ ବାହାରକୁ ଫିଙ୍ଗିବା | ବଉଳାଣୀ ଦିନ ଗ୍ରାମ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରି ଶିରା, ପୂଜାରୀ, ସମସ୍ତ ଗାଁ ସାରି ବଉଳାଣୀ ବିମାନ ଏବଂ ଡ଼ଲି ବୁଲି ବୁଲି ପ୍ରତି ସାହିରୁ ପ୍ରତ୍ୟେକ ପରିବାର ରୁ ଆବର୍ଜନା ସ୍ୱରୂପ ଅଦରକାରୀ ଛାଞ୍ଚୁଣୀ, ଛିଣ୍ଡା ପକା ଆଦି ସଂଗ୍ରହ କରାଯାଏ । ସରାଗୁଡା ଗ୍ରାମର ମୁଖ୍ୟ କର୍ତ୍ତା ଚନ୍ଦ୍ର ପୂଜାରୀ, କରମା ପୂଜାରୀ, ଲାଇବାନ ଭତ୍ରା, କପୁର ଚନ୍ଦ୍ର ମାଝୀ, ସୁକଦେବ ଭତ୍ରା, ଚୈତନ୍ୟ ଭତ୍ରା, ପୁରନ ମାଝୀ, ବଇଦୁ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ବାଜା ବାଜଣ୍ଡା ସହ ଗାଁ ଉପକଣ୍ଠରେ ଥିବା ବଉଳାଣୀ ଭଟାରେ ବିମାନ ଓ ଡାଲିକୁ ରଥ ନାଙ୍ଗଲ ଡାଙ୍ଗିଆ ଜୁଆଡି ବିଭିନ୍ନ ପ୍ରକାରର ତିଆରି କରି ପୂଜା କରାଯାଏ ଏବଂ ଆବର୍ଜନା ଫୋପାଡି ଦିଆଯାଏ । ଲୋକଙ୍କ ବିଶ୍ୱାସ ରହିଛି କି ଏପରି କଲେ ଗାଁ ରେ ରୋଗ ବ୍ୟାଧି ମହାମାରୀ ହୁଏ ନାହିଁ | ଆଜି ସ୍ୱଚ୍ଛ ଭାରତ ମିଶନ ର ଏହି ଏକ ପୂରାତନ ପରମ୍ପରା ସନ୍ଧ୍ୟାରେ ବଉଳାଣୀ ଭଟାରେ ଗ୍ରାମବାସୀମାନେ ମେଣ୍ଢା, କୁକୁଡ଼ା ମାରି ଖିଆପିଆ କରି ଘରକୁ ଫେରନ୍ତି । ଏହି ପର୍ବ ଗ୍ରାମବାସୀମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖେ । ଏହା ପରେ କୃଷି ଭିତ୍ତିକ ଦିଆଲି ପର୍ବ ପାଳନ ପାଇଁ ଦିନ ସ୍ଥିର କରାଯାଏ । ଦିଆଲି ପର୍ବ ରେ ପ୍ରତ୍ୟେକ ଚାଷୀ ପରିବାର ନୂଆ ଫସଲରେ ଖେଚୁଡ଼ି ବିରି ପିଠା ବ୍ୟଞ୍ଜନ କରି ଗୋରୁ ଗାଈମାନଙ୍କୁ ସୁସଜ୍ଜିତ କରି ଗେଟା ପଘା ପିନ୍ଧା ହିଁ ରନ୍ଧା ପନ୍ଥା କରି ଖାଇବାକୁ ଦେଇଥାନ୍ତି।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ