ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ମମତା ଶତପଥୀ ଙ୍କ ଗଳ୍ପ l l ମା ଓ ମାଟି l l

        l l ମା ଓ ମାଟି l l

” ଆଲୋ ମା ଉର,ଆ–ମ, ଆ ଭିତରକୁ ଆ।ତୋରି ବାଟକୁ ଚାହିଁ ମୁଁ ପରା ବସି ରହିଥିଲି।ତତେ ଦିନେ ନଦେଖିଲେ ଭଲ ଲାଗୁନିଲୋ।”—ହାରାମଣି ଦେବୀ ଉର ଓରଫ୍ ଉର୍ମିଳାକୁ କହିଲେ।ଏହି ଆମନ୍ତ୍ରଣଟିକୁ ଉର୍ମିଳା ଯେପରି ଅପେକ୍ଷା କରିଥିଲା। ଫିକ୍ କି ହସି ଦେଇ ସେ ମୁଣ୍ଡକୁ ନୁଆଁଇ, ନୁଆଁଣିଆ ଚାଳଘର ଭିତରକୁ ଗଲା।ହାରାମଣି ଚୁଲିରେ ବସାଇଥିବା ଭାତକୁ ଗାଳି ଦେଲା।ଶାଗ ଦିମୁଠା ବାଛିଦେଇ ନିକ କରି ଖରଡି ଦେଲା।ହାରାମଣି ସାରୁ,ଆଳୁ,ବାଇଗଣ,ମୂଳା ଆଉ ବଡି ପକାଇ ତରକାରୀ କରିଥିଲେ। ଉର୍ମିଳା ଭାତ, ତରକାରୀ,ଶାଗଭଜା,ବଡିଚୂରା ଓ ଆମ୍ବ ଆଚାର ଖାଇବା ପାଇଁ ବାଢି ଦେଲା। ଉର୍ମିଳା ନାହିଁ କରିବା ସତ୍ତ୍ୱେ ହାରାମଣି ତାକୁ ଦିଗୁଣ୍ଡା ଖୁଆଇଦେଇ ନିଜେ ଖାଇଲେ।ବାସନ ଦିଖଣ୍ଡ ମାଜିଦେଇ ଉର୍ମିଳା କହିଲା “ମା ମୁଁ ଯାଉଛି। ପୁଣି କାଲି ଆସିବି।”

ତା ସାପ ଭଳିଆ ବେଣୀକୁ ହଲାଇ ହଲାଇ ଉର୍ମିଳା ଚାଲି ଯାଉଥିଲା।ତାକୁ ଚାହିଁ ରହି ହାରାମଣି କେତେ କଥା ଭାବି ଯାଉଥିଲେ।

    ଏଇ ଝିଅଟିକୁ ବୋହୂ କରିବାକୁ ତାଙ୍କର ଷୋଳ ପଣ ଆଶା।ରୂପରେ,ଗୁଣରେ ଯେମିତି କାମରେ ମଧ୍ୟ ସେମିତି।ସାକ୍ଷାତ୍ ଲକ୍ଷ୍ମୀ ପ୍ରତିମା।ସେ ତୁଚ୍ଛା ଭାତ ଗଣ୍ଡେ ବାଢିଦେଲେ ହାରାମଣି ଶାନ୍ତିରେ ଖାଇ ଦିଅନ୍ତି।ଉର୍ମିଳା ନବାଢିଲେ ଖାଇବାକୁ ତାଙ୍କ ଆତ୍ମା ଡାକେ ନାହିଁ।ତା ବାପା ନବଘନଙ୍କୁ ହାରାମଣି ନିଜ ପୁଅ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ପୁଅ ବିନୋଦ ଦେଢ ବର୍ଷ କାଳ ହେଲାଣି, ବେଶି ଟଙ୍କା ରୋଜଗାର କରିବା ଆଶାରେ ସୁରାଟ ଯାଇଛି। ଏକଥା ମଧ୍ୟ ସେ ନବଘନଙ୍କୁ କହିଥିଲେ ଯେ ଯଦି ତାଙ୍କ ପୁଅ ବର୍ଷକ ପରେ ନଫେରେ ସେ ତାଙ୍କ ଝିଅକୁ ଅନ୍ୟତ୍ର ବାହା କରାଇ ଦେବେ।କଞ୍ଚା ବୟସରେ ଝିଅଟା ତାଙ୍କ ପୁଅ ପାଇଁ କଷ୍ଟ ପାଇବା ସେ ଚାହାନ୍ତି ନାହିଁ।

ପୁଅକୁ ସେ କେତେ ବୁଝାଇଥିଲେ।ମାଟିରୁ ସୁନା ଫଳାଇବାକୁ ବାଟ ବତାଇ ଥିଲେ।ତାଙ୍କ ଘର ପଛପଟେ ଦଶଗୁଣ୍ଠିଆ ଗଡିଆ।ଗଡିଆ ଚାରିପଟେ ଶହେ ନଡିଆ ଗଛ। ବିନୋଦର ବାପା ବଞ୍ଚିଥିଲା ବେଳେ ବର୍ଷକୁ ତାଙ୍କର ତିରିଶି ହଜାର ଟଙ୍କାର ନଡ଼ିଆ ବିକ୍ରି ହେଉଥିଲା। ନଡ଼ିଆ ପତ୍ରକୁ ଉଞ୍ଛି ହାରାମଣି ପିଞ୍ଛ ବାହାର କରନ୍ତି। ବେପାରୀ ଆସି ଘରୁ ପିଞ୍ଛ ନେଇଯାଏ। ପାଞ୍ଚ ହଜାର ଟଙ୍କା ଘରେ ବସି ପାଆନ୍ତି।ତାଛଡା ଗଡିଆରେ ମାଛ ଚାଷ ହେଉଥିଲା। ଦୁଇ ମାଣ ଚାଷ ଜମି।ଧାନ ମୁଗ ବିରି ସବୁ ଚାଷ ହେଉଥିଲା।ଅସମୟରେ ବିନୋଦର ବାପା ଚାଲିଗଲେ।ପ୍ରଥମେ ପ୍ରଥମେ ବିନୋଦ ଚାଷବାସ କାମ ବୁଝୁଥିଲା। ତାପରେ ତା ମୁଣ୍ଡରେ କିଏ କ’ଣ ପୂରେଇଲା।କଞ୍ଚା ପଇସା ରୋଜଗାର ପାଇଁ ସୁରାଟ ବାହାରିଗଲା।ସେ ଗଲାଦିନୁ ହାରାମଣି ଦିନ ଗଣୁଛନ୍ତି। ଫେରିଲେ ଯାହା ବି ହେଉ ସେ ଉର୍ମିଳା ସହିତ ତା’ର ବାହାଘର କରାଇ ଦେବେ।

କାର୍ତ୍ତିକ ପୂର୍ଣ୍ଣିମା କୁ କାର୍ତ୍ତିକ ପୂର୍ଣ୍ଣିମା।ବର୍ଷେ ପୂରିଗଲା। କାର୍ତ୍ତିକ ପୂର୍ଣ୍ଣିମାରୁ ଚନ୍ଦନ ପୂର୍ଣ୍ଣିମା।ଛଅ ମାସ।ବିନୋଦର କିଛି ଖବର ନାହିଁ।ଦୀର୍ଘ ଦେଢ ବର୍ଷ। ଗଲାବେଳେ ସେ କହିକି ଯାଇଥିଲା ବର୍ଷେ ପରେ ନିଶ୍ଚୟ ଫେରିବ। ବୋଉ ପସନ୍ଦ କରିଥିବା ଝିଅର ହାତ ଧରି ଘରସଂସାର କରିବ। କିନ୍ତୁ ବିନଦିଆ ଫେରି ନାହିଁ। 

ଗାଁ ଲୋକେ କିଏ କେତେ ପ୍ରକାର କଥା କହୁଛନ୍ତି। ଶମ୍ଭୁ ଦାସ କହୁଛି– ସୁରାଟରୁ ଫେରିଥିବା ଦୂର ଗାଁ ମଧୁପୁରର,ସୁରିଆ ବିନୋଦ ଖବର ଜାଣିଛି।ସେ କହୁଛି –ବିନୋଦ ଗୋଟା ଖିରସ୍ତାନୀ ଟୋକିକୁ ବାହା ହୋଇ ସିଆଡେ ଘର ସଂସାର କଲାଣି।ସେ ଗାଁ କୁ ଆଉ ଫେରିବ ନାହିଁ।ମଦନା ଜେନା କହୁଛି— ବିନଦିଆ ଆଉ ଜୀବନରେ ନାହିଁ।ସେଠି ତାକୁ କି ଅଜଣା ବେମାରୀ ଧରିଲା।ତା ଗୋଡ ହାତ ସବୁ ଲାଠି ହୋଇଗଲା।ସେଠି ତା’ର ନିଜର କିଏ ଅଛି ଯେ ତା ସେବା କରି ଥାଆନ୍ତା।ଭୋକ ଉପାସରେ ପଡି ପଡି ମରିଗଲା। 

ହାରାମଣି ସବୁ ଶୁଣନ୍ତି। ସତ ମିଛ କେମିତି ପରଖିବେ !

ମନେ ମନେ ଭାବନ୍ତି, ତାଙ୍କ ପୁଅ ବିନଦିଆଟାତ ସେମିତିକା ପିଲା ନୁହେଁ।ପର ଝିଅ ବୋହୂଙ୍କୁ ସେ ଆଖି ଉଠାଇ ଚାହେଁ ନାହିଁ।ସେ ପୁଣି ଖିରସ୍ତାନୀଟାକୁ ମାଇପ କଲା !

କେଜାଣି—-ମାଲୁଣି ଯେମିତି ଫୁଲ ଶୁଙ୍ଘାଇ ରାଜାପୁଅକୁ ଦିନରେ ମେଣ୍ଢା କରିଦିଏ, ରାତିରେ ଭେଣ୍ଡା କରିଦିଏ ସେମିତି ସେ ଖିରସ୍ତାନୀ ଝିଅ ଗଦ ଶୁଙ୍ଘାଇ ବିନଦିଆକୁ ବଶ କରିଦେଲା କି ?

ପୁଣି ମଦନା ଜେନା ଯାହା କହୁଛି —-

ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାରାମଣି ହାତ ଟେକି ଦିଅନ୍ତି। ଆଖିରୁ ଲୁହ ଝରିଯାଏ।

ଆଉ ଧୈର୍ଯ୍ୟ ନାହିଁ ହାରାମଣିଙ୍କର। ସ୍ବାମୀ ଗଲା ପରେ ସେ ପୁଅ ମୁହଁ ଚାହିଁ ଦୁଃଖ ଭୁଲି ଯାଇଥିଲେ।ପୁଅ ସୁରାଟ ଗଲାପରେ ସେ ଉର୍ମିଳାକୁ ଭରସା କରି ବଞ୍ଚିଗଲେ।ଗତ କାର୍ତ୍ତିକ ପୂର୍ଣ୍ଣମୀ ପର ଠାରୁ ଉର୍ମିଳା ତାଙ୍କ ଘରକୁ ପ୍ରତିଦିନ ଆସେ। ମହାଦେବଙ୍କ ବେଲପତ୍ର ବନ୍ଦ ହୋଇଯାଇପାରେ ,କିନ୍ତୁ ତାଙ୍କ ଘରକୁ ଉର୍ମିଳା ଆସିବା ବନ୍ଦ ହୋଇନଥାଏ।ଖରା, ବର୍ଷା,ଶୀତ କିଛି ନମାନି ସେ ତାଙ୍କ ଘରକୁ ଆସିଥାଏ।କିନ୍ତୁ ଉର୍ମିଳା ଆଉ ଆସିବ କାହିଁକି ? ପାଚିଲା ତାଳ ହାରାମଣି।କେଉଁ ମୂହୁର୍ତ୍ତରେ ଖସିପଡିବେ ଠିକଣା ନାହିଁ।

ତାଙ୍କୁ ଭରସା କରି ଝିଅଟାର ତତଲା ଯୌବନ କାହିଁକି ବିଅର୍ଥରେ ନଷ୍ଟ ହେବ !

ହାରାମଣି ଲକ୍ଷ କରନ୍ତି ଉର୍ମିଳା ମୁହଁରେ ଆଉ ଆଗ ଭଳି ସରାଗ ଫୁଟି ଉଠୁନି।ସେ ନିଜେ ଯେମିତି ପୁଅ ନାଁରେ କେତେ କଥା ଶୁଣୁଛନ୍ତି ସେମିତି ଉର୍ମିଳା କାନରେ କେତେ କଥା ପଡୁଥିବ।

ଆଉ ଡେରି କରି ଲାଭ ନାହିଁ। ଉର୍ମିଳା ସହିତ ସ୍ନେହର ଡୋରିକୁ ଛିଣ୍ଡାଇଦେବାକୁ ପଡିବ।ବସିବା ଜାଗାରୁ ଉଠିପଡିଲେ ହାରାମଣି। ନବଘନ ସ୍ବାଇଁ ଘରକୁ ବାହାରିଲେ।ଭଲ ଘର,ବର ଦେଖି ଉର୍ମିଳାର ବାହାଘର କରାଇ ଦେବା ପାଇଁ କହିବେ।

ଠାକୁରଙ୍କୁ ମୁଣ୍ଡିଆ ମାରିଲେ ହାରାମଣି।ଯେବେବି ସେ ଘରୁ ଗୋଡ କାଢନ୍ତି ଠାକୁରଙ୍କୁ ମୁଣ୍ଡିଆ ମାରନ୍ତି। ବାହାର ପଟୁ ଘରେ ତାଲା ପକାଉଥିଲେ ସେ। ଆଖିରୁ ବହି ଆସୁଥିବା ଧାର ଧାର ଲୁହକୁ ସେ ‌ହାତ ପାପୁଲି ପଛପଟେ ପୋଛିଦେଲେ।

ଆରେ—- ଏ କ’ଣ !ପଛପଟୁ ହଠାତ୍ କିଏ ତାଙ୍କୁ କୁଣ୍ଢାଇପକାଇଲା ! ଉର୍ମିଳା କି ! ପଛକୁ ବୁଲି ଚାହିଁଲେ ହାରାମଣି। କ’ଣ ଦେଖୁଛନ୍ତି ସେ ! ଏ ଯେ ତାଙ୍କ ପୁଅ ବିନୋଦ।ଅଟକି ଯାଇଥିବା ଲୁହ ଧାର ପୁଣି ବାଧା ବନ୍ଧନ ନମାନି ଝରି ଚାଲିଥିଲା।

କିନ୍ତୁ ପୂର୍ବର ଲୁହ ଆଉ ବର୍ତ୍ତମାନର ଲୁହ ମଧ୍ୟରେ ତଫାତ ଅନେକ।

ହାରାମଣିଙ୍କ ଆଖିଲୁହକୁ ପୋଛିଦେଇ ଭୋ ଭୋ କାନ୍ଦି ବିନୋଦ କହିଲା,” ବୋଉଲୋ,ତୋ ଆଖିରେ ଲୁହ ଦେଇ ମୁଁ ଆଉ ସୁରାଟ ଯିବି ନାହିଁ।ତୋ ଆଶୀର୍ବାଦ ଥିଲା ବୋଲି ମୁଁ ଜୀବନ ନେଇ ଫେରିଲି।ପରେ ସବୁ କହିବି।ଆମ ଜମିରୁ ମୁଁ ଯେତିକି ଆୟ କରିବି,ସେତିକିରେ ଆମେ ଶାନ୍ତିରେ ଚଳି ଯାଇ ପାରିବା।ଆଉ ଅଧିକ ଲୋଭ କରିବି ନାହିଁ।ତୁ ପିଲାଦିନେ କୁକୁର ଗପ ଛଳରେ ଯେଉଁ ଶିକ୍ଷା ଦେଇଥିଲୁ–ଲୋଭରୁ ପାପ,ପାପରୁ ମୃତ୍ୟୁ।—ତା’ର ଯଥାର୍ଥତା ମୁଁ ଆଜି ବୁଝିପାରୁଛି।”

ଇତ୍ୟବସରରେ ଉର୍ମିଳା ପହଞ୍ଚି ଯାଇଥିଲା।ମା ପୁଅଙ୍କ ମିଳନ ଦେଖି ତା ଆଖିରେ ଲୁହ ମୋତି ଚିକ୍ ଚିକ୍ ହେଉଥିଲା।

                                  ମମତା ଶତପଥୀ

                                                           କେନ୍ଦ୍ରାପଡ଼ା

Related posts

ଅସହାୟକୁ ସହାୟ ହେଲା ବିଜୁ ଜନତା ଦଳ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ = ନିଷିଦ୍ଧ ମସ୍ତିଷ୍କ 

Sunil Chandra Nayak

ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!