ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ରାୟଗଡ଼ା ଗସ୍ତ

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ରାୟଗଡ଼ା ଗସ୍ତ

ବୁଲିଲେ ଅଙ୍ଗନବାଡ଼ି, ଖାଇଲେ ମାଣ୍ଡିଆ, ପରଖିଲେ ମମତା ସମେତ ବିଭାଗ ର ବିଭିନ୍ନ ଯୋଜନା

 I ରାୟଗଡା I ମମତା ସହାୟତାର ବର୍ଦ୍ଧିତ ରାଶି ପୂର୍ବରୁ କେତେ ଥିଲା ଏବଂ ଏବେ କେତେ ହୋଇଛି ? ପ୍ରଥମ କିସ୍ତି ବାବଦରେ ତୁମକୁ ବର୍ତମାନ କେତେ ଅଧିକ ମିଳିଛି ? ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା’ରେ କଣ କଣ ଖାଇବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ? କୁନି କ୍ୟାଲେଣ୍ଡର ମାଧ୍ୟମରେ କଣ କରୁଛ ? ଦିନିକିଆ ରାୟଗଡା ଗସ୍ତରେ ମହିଳା ଓ ଶିଶୁ ବିଭାଗ ସଚିବ ଶ୍ରୀମତୀ ସୁଭା ଶର୍ମା ଏମିତି ଅନେକ ପ୍ରଶ୍ନସହ ସଦର ପ୍ରକଳ୍ପର ଖୁଡ଼ାପଡ଼ା ଅଙ୍ଗନବାଡି କେନ୍ଦ୍ରର ହିତାଧିକାରୀମାନଙ୍କ ଠାରୁ ବାର୍ତାଳାପ ମାଧ୍ୟମରେ ମତାମତ ନେଇଥିଲେ I ଚଳିତମାସ ୧୫ତାରିଖରେ ଅପରାହ୍ନ ୩ଟା ସମୟରେ ଶ୍ରୀମତୀ ଶର୍ମାଙ୍କୁ ରାୟଗଡା-କୋରାପୁଟ ସୀମା କୁଟୁଳି ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡା, ଜିଲ୍ଲା ମମତା କାର୍ଯ୍ୟକ୍ରମ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ର ତଥା ଏନ.ଓ.ପି. ମ୍ୟାନେଜର ସ୍ନେହଲତା ପାଢ଼ୀ ପ୍ରମୁଖ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ I ଗସ୍ତର ପ୍ରଥମ ସୋପାନରେ ଶ୍ରୀମତୀ ଶର୍ମା ଖୁଡ଼ାପଡ଼ା ଗ୍ରାମରେ ଅଟକିବା ସହ ଗ୍ରାମବାସୀଙ୍କ ସହ ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ପଚାରି ବୁଝିଥିଲେ I ସେହି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ I ଅଙ୍ଗନବାଡି କର୍ମୀ ସରୋଜିନୀ ଜାକକା ଏବଂ ସହାୟିକା କମଳାମଣି ମିଣିଆକାଙ୍କୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ବିଷୟରେ ପଚାରି ବୁଝିବାସହ ସମସ୍ତ ଖାତାପତ୍ର ଯାଞ୍ଚ କରିଥିଲେ I ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟନ ହେବାକୁ ଥିବା ବିଭିନ୍ନ ମାଣ୍ଡିଆ ଜାତ ଶଷ୍ୟରୁ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ I କର୍ମୀ ଶ୍ରୀମତୀ ଜାକକା କେନ୍ଦ୍ରରେ ପଂଜିକୃତ ସମସ୍ତ ଗର୍ଭବତୀ ମହିଳାଙ୍କ ବିବରଣୀ ମମତା ମୋବାଇଲ ଆପରୁ କାଢି ଏବଂ ମମତା କ୍ୟାଲେଣ୍ଡରରେ ଥିବା ନାମସବୁକୁ ସଚିବ ଶ୍ରୀମତୀ ଶର୍ମାଙ୍କୁ ଦେଖାଇଥିଲେ I ସଚିବ ଶ୍ରୀମତୀ ଶର୍ମା ଅଙ୍ଗନବାଡି କେନ୍ଦ୍ର ନିକଟରେ ଗ୍ରାମବାସୀଙ୍କ ସହ ଫଟୋ ନେବାସହ ସମସ୍ତଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଜିଲ୍ଲାପାଳଙ୍କୁ ଜଣାଇ ଏକ ପାଣିଟାଙ୍କି ବ୍ୟବସ୍ଥା କରାଇଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ I ସନ୍ଧ୍ୟା ସମୟରେ ସଚିବ ଶ୍ରୀମତୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ସମସ୍ତ ଶିଶୁ ବିକାଶ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପରିଡା ଜିଲ୍ଲାରେ ବିଭାଗ ଅଧୀନରେ ଜାରି ରହିଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ I ଜିଲ୍ଲା ମମତା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ମହାପାତ୍ର ଯୋଜନାରେ ବର୍ଦ୍ଧିତ ସହାୟତା ରାଶି ପ୍ରେରଣ ଉପରେ ତଥ୍ୟ ପ୍ରଦାନ କରିଥିଲେ I ଏନ.ଓ.ପି. ମ୍ୟାନେଜର ସୁଶ୍ରୀ ପାଢ଼ୀ କୁନି କ୍ୟାଲେଣ୍ଡର ବଣ୍ଟନ, କେନ୍ଦ୍ରରେ ଟେଲିଭିଜନ ଯୋଗାଣ ଆଦି ବିଷୟରେ ଜଣାଇଥିବା ବେଳେ ପୋଷଣ ଜିଲ୍ଲା ସଂଯୋଜକ ସୁଶ୍ରୀ ମଧୁଲିତା ଦଣ୍ଡସେନା ଜିଲ୍ଲାରେ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା, ନୂତନ ଅଙ୍ଗନବାଡି କେନ୍ଦ୍ରଗୃହ ନିର୍ମାଣ ଆଦି ସମ୍ପର୍କରେ ବିବରଣୀ ରଖିଥିଲେ I ସଚିବ ଶ୍ରୀମତୀ ଶର୍ମା ଜିଲ୍ଲାପାଳଙ୍କୁ ଜିଲ୍ଲାର କିଛି ଅଙ୍ଗନବାଡି କେନ୍ଦ୍ରରେ ପାଣିଟାଙ୍କି ନଥିବା ନେଇ ସୂଚନା ଦେଇଥିଲେ I ସମସ୍ତ କେନ୍ଦ୍ରରେ ଦୁଇଟି ଏଲ.ପି.ଜି. ସଂଯୋଗ ତୁରନ୍ତ କରାଇନେବାକୁ ସେ ଶିଶୁ ବିକାଶ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ I ବୈଠକ ପରେପରେ ସେ ବ୍ୟକ୍ତିଗତ ଭାବରେ ଏକାନ୍ତରେ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ I ପରବର୍ତ୍ତୀ ସମୟରେ ମା’ ମଝିଘରିଆଣୀଙ୍କ ଦର୍ଶନକରିବା ସହ ରାତି ୮ଟା ବେଳକୁ ନିର୍ମାଣଧୀନ ସଖିଗୃହ ପରିଦର୍ଶନ କରିଥିଲେ I ସୂଚନା ଥାଉକି, ସଚିବ ଶ୍ରୀମତୀ ଶର୍ମା ଦୁଇଦିନିଆ କୋରାପୁଟ ଗସ୍ତ ପରେ ଦିନିକିଆ ରାୟଗଡା ଗସ୍ତ ସାରି ସେହିଦିନ ହିଁ ରେଳଯୋଗେ ଭୁବନେଶ୍ୱର ବାହୁଡ଼ି ଯାଇଥିଲେ I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

masiha

ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ସମିତି ତୈଳିକ ବଳଦିଆ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!