ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ପଣ୍ଡା ଙ୍କ କବିତା – ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

 

ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

          ଧନ୍ୟ ତୁମ କରାମତି

ସୃଷ୍ଟି ଭିଆଇଛ ସଂଯୋଗ କରିଛ

          ବିଚ୍ଛେଦେ ଦେଇଛ ମତି ।

 

ଲୀଳାମୟ ତୁମେ ଲୀଳାର ପ୍ରକାଶ

           ଅହରହ କରୁଅଛ

ଦୁଃଖ ସୁଖ ଭଳି ମହୋଷଧି ଧରି

           ଜଗତକୁ ଚଳାଇଛ ।

 

ଋଣ ଶୁଝିବାକୁ ସମ୍ପର୍କ ଗଢିଛ

          ଭିନ୍ନ ଭିନ୍ନ ରୂପ ଦେଇ

ଋଣ ସୁଝିଗଲେ ଫେରାଇ ନେଉଛ

          ନୂତନ ମାର୍ଗ ବତାଇ ।

 

ଛାଇ ଆଲୋଅର ଖେଳ ଖେଳାଉଛ

          ହେ ପ୍ରଭୁ ଜଗତ ସାଇଁ

ରାଗ ଅଭିମାନ ତୁମରି ଭିଆଣ

          ସମ୍ପର୍କ ସୁଦୃଢ଼ ପାଇଁ ।

 

ଆସନ୍ତି ମରତେ ଜୀବ ଭିନ୍ନ ରୂପେ

           ଭିନ୍ନାଭିନ୍ନ ମତ ନେଇ

ତୁମରି ଇଙ୍ଗିତେ କର୍ମ ଆଚରନ୍ତି

          ତୁମ ପାଦେ ମଥା ଥୋଇ ।

 

ଜ୍ଞାନ ଗୁଣ ଦେଇ ସୃଜିଛ ମାନବ

         ତୁମ ସୃଷ୍ଟି ରକ୍ଷା ପାଇଁ

ଅଜ୍ଞାନୀ ମାନବ ଧ୍ବଂସ ଆଚରୁଛି

         ନିଜ ନିଜ ସ୍ୱାର୍ଥେ ଧାଇଁ ।

 

ଚମତ୍କାର ତୁମ ସଂଯୋଗ ବିଯୋଗ

         ଚମତ୍କାର ତୁମ ଲୀଳା

କାହାକୁ ଯୋଡୁଛ କାହାକୁ ଭାଙ୍ଗୁଛ

         ଚମତ୍କାର ତୁମ ଭେଳା ।

 

ସମୟ ସ୍ରୋତରେ ଗତି କରାଉଛ

           ସମୟକୁ ସାକ୍ଷୀ ରଖି

ସମୟର ମୂଲ୍ୟ ନ ବୁଝେ ମାନବ

           ସ୍ୱାର୍ଥରେ ତାହାର ଆଖି ।

 

ଗର୍ବ ବଡ଼ପଣ ସବୁ ଅକାରଣ

        କାରଣକୁ ଯିଏ ଛାଡେ

ଆଦେଖା ଦଉଡ଼ି ବ୍ରହ୍ମାଣ୍ଡ ଜୀବଙ୍କୁ

        ନିଜ କର୍ମପଥେ ଭିଡ ।

 

କାରଣ କାରକ ତୁମେ ମହାପ୍ରଭୁ

         ଜଗତ ଉଦ୍ଧାର କର

ସମ୍ପର୍କର ଡୋର ତୁମ ଠାରେ ଥାଉ

         ଅହଂଭାଵ କର ଦୂର ।

ଜୟ ଶ୍ରୀଜଗନ୍ନାଥ………

 

          ରଞ୍ଜନ କୁମାର ପଣ୍ଡା

               କୋରାପୁଟ

Related posts

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ଭାରସାମ୍ୟ ହରାଇ ଓଲଟିଲା ଭେନ

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!