ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ
ରାଉରକେଲା:ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା-ଏନ୍ଏସ୍ଏସ୍, ଯୁବ ରେଡ୍କ୍ରସ- ୱାଇଆର୍ସି ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ – ଏନ୍ ସି ସି ଶାଖା ପକ୍ଷରୁ ମିଳିତଭାବେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସଙ୍ଗଠନ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଓ ସଂଯୋଜିକା ଅଧ୍ୟାପିକା ରାମେଶ୍ୱରୀ ଭୋଇ, ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍ଏସ୍ଏସ୍ ଅଧିକାରୀ ଅଶୋକ ମିଞ୍ଜ, ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ ସ୍ମୃତି ସ୍ନିଗ୍ଧା ମିଶ୍ର, ଏନ୍ସିସିର ଭାରପ୍ରାପ୍ତ ଅଧିକାରୀ କ୍ୟାପ୍ଟେନ୍ ମୀନା ଦାସ ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ ।
ପ୍ରଫେସର ଡ ବେହେରା କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇ ନିଷିଦ୍ଧ ଔଷଧ ବା ବିଭିନ୍ନ ପ୍ରକାରର ନିଶା ସେବନ ବିଷୟରେ ଆମେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅବଗତ ଅଛନ୍ତି ବୋଲି କହିବା ସହ ଯୁବ ପିଢ଼ି ବିଶେଷ କରି ଛାତ୍ରଛାତ୍ରୀମାନେ ଏ ନେଇ ସଚେନନ ହେବାକୁ ଆହ୍ବାନ ଦେଇଥିଲେ । ଏଥିରେ ସ୍ବତନ୍ତ୍ର ବକ୍ତାଭାବେ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟାଳୟରୁ ଆସିଥିବା ବି କେ ରାଜୀବ ବିଭିନ୍ନ ନିଶାଦ୍ରବ୍ୟର ମାତ୍ରାଧିକ ଚୋରାଚାଲାଣ ଅନ୍ତର୍ଜାତିକ କ୍ଷେତ୍ରରେ ଏକ ସମାନ୍ତରାଳ ଅର୍ଥନୀତି, ଯୁଦ୍ଧର ଘନଘଟା, ଅନୈତିକ ବେପାର, ଅପରାଧ ଦୁନିଆ ଓ ପ୍ରକାରାନ୍ତରେ ମାନବ ସମାଜ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିଛି ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସଭାପତି- ସ୍ବରୂପ ପାଣିଗ୍ରାହୀ ଯୋଗଦେଇ ନିଷିଦ୍ଧ ଔଷଧ ପ୍ରସାର ଏବଂ ବ୍ୟବହାର ବନ୍ଦ ପାଇଁ ଜନସାଧାରଣ ଓ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସମ୍ପର୍କରେ କହିଥିଲେ । ଶ୍ରୀ ପୃଷ୍ଟି ପ୍ରତିବର୍ଷ ଜୁନ୍ ୨୬ ତାରିଖକୁ ‘ଅନ୍ତର୍ଜାତୀୟ ନିଷିଦ୍ଧ ଔଷଧ ଅପବ୍ୟବହାର ଓ ଏହାର ଚୋରାଚାଲାଣ ଦିବସ’ ବା ‘ନିଷିଦ୍ଧ ଔଷଧ ଦିବସ’ ଭାବରେ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀମତୀ ଭୋଇ ଦିବସ ପାଳନର ଚଳିତବର୍ଷର ପ୍ରସଙ୍ଗ ‘ତଥ୍ୟ ପ୍ରମାଣ ପ୍ରାଞ୍ଜଳ ଅଟେ : ଏହାର ପ୍ରତିଷେଧକ ପାଇଁ ଅର୍ଥ ବିନିଯୋଗ ଜରୁରୀ’ ସମ୍ପର୍କରେ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଓଡ଼ିଶା କ୍ରାଇମ ବ୍ରାଞ୍ଚ୍ର ଅଧିକାରୀ ଉମେଶ ଚନ୍ଦ୍ର ବେହେରା ଯୋଗଦେଇ ଦିବସ ପାଳନର ବିଭିନ୍ନ ଆଇନଗତ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟ ତମ ଅତିଥିଭାବେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରକାଶ ପାଢ଼ୀ ଓ ବ୍ରହ୍ମାକୁମାରୀ ମଧୁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ବିଭିନ୍ନ ବର୍ଗର ୩୧୨ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍


