ଦୁଇ ଆଇଏଏସ ଅଧିକାରୀଙ୍କୁ ନେଇ କଳାହାଣ୍ଡିରେ ଚର୍ଚ୍ଚା
ଉପ ଜିଲ୍ଲାପାଳରୁ ମୁଖ୍ୟ ଶାସନ ସଚିବ
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳରୁ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ପଦବୀରେ ଆସିନ ହେଇଥିବା ଦୁଇ ଅଧିକାରୀଙ୍କୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା। ଏକଦା କଳାହାଣ୍ଡିରେ ପି.କେ.ଜେନା ଭାବେ ପରିଚିତ ପ୍ରଦୀପ ଜେନା ଆଜି ମୁଖ୍ୟଶାସନ ସଚିବ ପଦବୀରୁ ଅବସର ଗ୍ରହଣ କରିଛନ୍ତି ।୧୯୯୧ ଅଗଷ୍ଟ ୨୫ରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଶ୍ରୀ ଜେନା ସେହି ପଦବୀରୁ
କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ, ଇନ୍ଦ୍ରାବତୀ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀ ଓ କଳାହାଣ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଥିଲେ ପରେ ଜଳସେଚନ ବିଭାଗ ପ୍ରମୁଖ ଶାସନ ସଚିବ ଥିବାବେଳେ ମଧ୍ଯ କଳାହାଣ୍ଡିର ନୋଡାଲ ଅଫିସର ଭାବେ ସେ ଦାୟିତ୍ଵ ତୁଲାଇଥିଲେ । କଳାହାଣ୍ଡି ରହଣିକାଳ ମଧ୍ୟରେ ସେ ମିଲ୍ ମାଲିକଙ୍କ ଦୌରାତ୍ମ୍ୟ ରୋକିବା ସହିତ ଜିଲ୍ଲାର ଗ୍ରାମାଞ୍ଚଳର ଉନ୍ନତିରେ ବିଶେଷ ଧ୍ୟାନ ଦେଇଥିଲେ। ସେହି ସମୟରେ ଚାଲିଥିବ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। କଳାହାଣ୍ଡିର ଦୁର୍ଗମ ଅଞ୍ଚଳରେ ଥିବା ସୂର୍ଯ୍ୟଗଡ଼ ଯିବାରେ ସେ ପ୍ରଥମ ଜିଲ୍ଲାପାଳ ହୋଇଥିବା ବେଳେ କଳାହାଣ୍ଡି ଉତ୍ସବ ଘୁମୁରା ତାଙ୍କ ସମୟରେ ଆରମ୍ଭ ହୋଇଥିଲା । ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ପାହାଡପଦର୍ ପଞ୍ଚାୟତରେ ପାହାଡ଼ ତଳୁ, ଉଚ୍ଚ ଅଞ୍ଚଳକୁ ଜଳସେଚନର ବ୍ୟବସ୍ଥା କରିଥିବା ଅପାଠୁଆ ଆଦିବାସୀ କାର୍ଜି ମାଝୀକୁ ଆଦିବାସୀ ଇଞ୍ଜିନିୟର ଭାବେ କଳାହାଣ୍ଡି ଉତ୍ସବ ମଞ୍ଚରେ ସମ୍ବର୍ଦ୍ଧନା ଦେଇ ମାନ୍ୟତା ଦେଇଥିବା ଶ୍ରୀଜେନାଙ୍କ ଅନେକ କାର୍ଯ୍ୟକଳାପ ଆଜି ବି ଲୋକେ ସ୍ମରଣ କରନ୍ତି ।
ଧର୍ମଗଡ଼ ଉପଜିଲାପାଳ ପଦବୀରୁ ବଦଳି ଯୋଗୁଁ ୧୯୯୨ ନଭେମ୍ବର ୨୭ରେ ଶ୍ରୀ ଜେନା ମନୋଜ ଆହୁଜାଙ୍କୁ ଧର୍ମଗଡ଼ ଉପ ଜିଲ୍ଲାପାଳ ଭାବେ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଶ୍ରୀ ଆହୁଜା ୧୯୯୨ ନଭେମ୍ବର ୨୭ ରୁ୧୯୯୪ ଜୁଲାଇ ୩ ଯାଏଁ ଧର୍ମଗଡ଼ ଉପଜିଲାପାଳ ଭାବେ ଦାୟିତ୍ଵ ତୁଲାଇବା ମଧ୍ଯରେ ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ଵ ଦେବା ସହ ସାକ୍ଷରତା ଅଭିଯାନକୁ ସଫଳ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଧର୍ମଗଡ ଉପଖଣ୍ଡରେ କ୍ରୀଡାର ବିକାଶ ଦିଗରେ ସେ ଯୁବପିଢୀ ଙ୍କୁ ପ୍ରୋତ୍ସାହନ ଦେଇଥିଲେ।ସେହି ଗୋଟିଏ ସମୟରେ ଶ୍ରୀ ଆହୁଜାଙ୍କ ଧର୍ମପତ୍ନୀ ଆରତୀ ଆହୁଜା ଭବାନୀପାଟଣା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ କେରପାଇ, ନାକରୁଣ୍ଡି ଆଦି ଅଞ୍ଚଳକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝି ତାର ତ୍ବରିତ ସମାଧାନ କରିବା ଦିଗରେ ଯତ୍ନଶୀଳ ଥିଲେ । ତେବେ ଧର୍ମଗଡ଼ ଉପଜିଲ୍ଲାପାଳ ପଦବୀରେ ଦାୟିତ୍ଵ ହସ୍ତାନ୍ତର ଭଳି ମୁଖ୍ୟ ଶାସନ ସଚିବ ପଦବୀ ଦାୟିତ୍ଵ ହସ୍ତାନ୍ତର କରିବା ବିଷୟ ଶ୍ରୀ ପ୍ରଦୀପ ଜେନା ଆଜି ସାମାଜିକ ଗଣମାଧ୍ୟମରେ ମତବ୍ୟକ୍ତ କରିବା ପରେ ଜିଲାର ବିଭିନ୍ନ ମହଲରେ ଉଭୟଙ୍କ ପୁରୁଣା ଦିନର ସ୍ମୃତିକୁ ତାଜା କରି ଦେଇଛି ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….


