ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନିଆଁରା ବାହୁଡାଯାତ୍ରା, ଦେବାଦେବୀଙ୍କ ଲାଠି ଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର       

ନିଆଁରା ବାହୁଡାଯାତ୍ରା, ଦେବାଦେବୀଙ୍କ ଲାଠି ଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର                

କୋକସରା,୧୫/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ଏକ ନିଆଁରା ପରମ୍ପରାରେ ବାହୁଡା ଯାତ୍ରା ସୋମବାର ଦିନ ସମ୍ପନ୍ନ ହୋଇଛି । ଏହି ଅଞ୍ଚଳରେ ବସବାସ କରୁଥିବା ଶତ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଦେବାଦେବୀଙ୍କ ଉପରେ ରହିଛି ଆଦିବାସୀଙ୍କ ଅଗାଢ଼ ବିଶ୍ୱାସ। ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣି ହେଉଛନ୍ତି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ। ଜନଶ୍ରୁତି ଅନୁସାରେ ପୂର୍ବରୁ ଏହି ଅଞ୍ଚଳରେ ରଥଯାତ୍ରା ପାଳନ ହେଉ ନଥିଲା। ଅନେକ ବର୍ଷ ଆଗରୁ ଜଣେ ବୈଷ୍ଣବ ସଂପ୍ରଦାୟର ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଆସି ଜଗନ୍ନାଥ ପ୍ରଭୂଙ୍କୁ ରଖି ପୁଜା କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ଗୋତୋମୁଣ୍ଡା ବାସୀ ଗାଁ ଗୌନ୍ତିଆ ନଥିବା ସ୍ଥଳେ ଏହି ସବୁ କାର୍ଯ୍ୟ କରିବା ପାଇଁ ମନା କରି ଦେଇଥିଲେ । ଫଳ ସ୍ୱରୂପ ସଂପୃକ୍ତ ବୈଷ୍ଣବ ବ୍ୟକ୍ତି ଜଣକ ମହାପ୍ରଭୁ ଜଗନ୍ନାଥକୁ ନେଇ ଅନ୍ୟତ୍ର ଚାଲି ଯାଇଥିଲେ । ଗାଁର ଗୌନ୍ତିଆ ଗୋତୋମୁଣ୍ଡା ଫେରିବା ପରେ ଗ୍ରାମବାସୀ ଘଟଣା ସଂପର୍କରେ କହିଥିଲେ । ତା ପରଦିନ ଗୌନ୍ତିଆ ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଜି ଆଣିବା ପାଇଁ ଗ୍ରାମବାସୀକୁ କହିଥିଲେ। ଗ୍ରାମର କିଛି ବ୍ୟକ୍ତି ଖୋଜିବା ପରେ କୌଣସି ସୂତ୍ରରୁ ଖବର ପାଇ ପଡ଼ୋଶୀ ଛତିଶଗଡ ରାଜ୍ୟ ବରିଗାଁକୁ ଯାଇ ସଂପୃକ୍ତ ବ୍ୟକ୍ତିକୁ ଭେଟି ଗୋତୋମୁଣ୍ଡା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ବ୍ୟକ୍ତି ଜଣକ ଗୋତୋମୁଣ୍ଡା ପହଞ୍ଚି ଗୌନ୍ତିଆଙ୍କୁ ସାକ୍ଷାତ କରି ବିଗ୍ରହ ସ୍ଥାପନ କରି ପୁଜା କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ଜଗନ୍ନାଥଙ୍କ ଘୋଷଯାତ୍ରା ସରି ଯାଇଥିବା ବେଳେ ବାହୁଡା ଯାତ୍ର ହୋଇନଥିଲା । ଗୋତୋମୁଣ୍ଡା ଗୌନ୍ତିଆ ବାହୁଡା ଦିନ ମହାପ୍ରଭୁଙ୍କ ବିଗ୍ରହ ଆଣିବା ପାଇଁ ଅନୁମତି ଦେଇଥିଲେ । ବାହୁଡା ଯାତ୍ରା ଦିନ ବ୍ୟକ୍ତି ଜଗନ୍ନାଥ ପ୍ରଭୁଙ୍କ ବିଗ୍ରହକୁ ଧରି ଗୋତୋମୁଣ୍ଡା ଗ୍ରାମକୁ ପହଞ୍ଚିଥିଲେ । ବାହୁଡା ଯାତ୍ରା ଦିନ ସଂଯୋଗ ବଶତଃ ଗୋତୋମୁଣ୍ଡା ଗ୍ରାମରେ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ରହିଥିଲା । ଗୋତୋମୁଣ୍ଡା ଗୌନ୍ତିଆ ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀଙ୍କ ଲାଠି, କୁର୍ସି, କାଳିଶି ସହ ବାଜା ବଜାଇ ଜଗନ୍ନାଥ ମହାପ୍ରଭୁଙ୍କୁ ସ୍ୱାଗତ କରି ଗ୍ରାମକୁ ପାଛୋଟି ନେଇଥିଲେ । ସେହି ଦିନରୁ ଆଜି ପର୍ଯ୍ୟନ୍ତ ଉକ୍ତ ପରମ୍ପରା ଅନୁସାରେ ବାହୁଡା ଯାତ୍ରା ହୋଇ ଆସୁଛି ବୋଲି ଗୋତୋମୁଣ୍ଡା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପୂର୍ବରୁ ବାହୁଡା ଯାତ୍ରା ଦିନ ଗୋତୋମୁଣ୍ଡା ଗ୍ରାମରେ ଦେବାଦେବୀଙ୍କ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ସେହି ପରମ୍ପରା ଅନୁଯାୟୀ ବାହୁଡା ଯାତ୍ରା ଦିନ ଗୋତୋମୁଣ୍ଡା ଅଞ୍ଚଳର ପାଖାପାଖି ଗ୍ରାମ ଗୁଡିକର ଦେବାଦେବୀଙ୍କ ଲାଠି, କୁର୍ସି ଓ କାଳିଶି ଏକତ୍ରିତ ହେବା ପରେ ଏଠାରେ ବାହୁଡା ଯାତ୍ରା ପାଇଁ ଦେବାଦେବୀ ମାନେ ବାଜାଗାଜା ବଜାଇ ମାଉସୀ ମା ମନ୍ଦିରରେ ପହଞ୍ଚିବା ପରେ ଦେବାଦେବୀ ମାନେ ମହାପ୍ରଭୁ ଜଗନ୍ନାଥକୁ ପାଛୋଟି ନେବା ପାଇଁ ଅନୁରୋଧ କରିଥିଲେ । ଦେବାଦେବୀଙ୍କ ଅନୁରୋଧ ପରେ ତିନି ଠାକୁର ରଥ ଚାରିପଟେ ପରିକ୍ରମା କରି ରଥରେ ବିଜେ କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ମାଉସୀ ମା ମନ୍ଦିର ରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଲାଠିକୁର୍ସି କାଲିସିଙ୍କ ଗହଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ରେ ରଥ ଟାଣି ନେଇଥିଲେ। ତେବେ ଚଳିତ ବର୍ଷ ପ୍ରବଳ ବର୍ଷା ସତ୍ତ୍ୱେ ୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସମେତ ନବରଙ୍ଗପୁର ଓ ଦଣ୍ଡପାଟ ଅଞ୍ଚଳର ଭକ୍ତଙ୍କ ସମାଗମ ହୋଇଥିଲା । ବାହୁଡା ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା ପାଇଁ ଜଗନ୍ନାଥ କମିଟିର ସଭାପତି ହେମନ୍ତ ମାଝୀ, ଉପ ସଭାପତି ପାର୍ଥବ ମାଝୀ, ପୂଜକ ମନୋହର ପୁଝାରୀ, ଜଗନ୍ନାଥ ପୂଜକ ସୁବାଷ ଚନ୍ଦ୍ର ଦାସ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ନାଏକ, ନିରଞ୍ଜନ ବାଗ, ହିମାଞ୍ଚଲ ପୁଝାରି, ବଳରାମ ମାଝୀ, ବଳିଆର ସିଂ ମୋରାଇ, ଭରତ ପୁଝାରି, ମୁକୁନ୍ଦ ନାଗେଶ, ଯଦୁମଣି ଦୁର୍ଗା, ମୂରଲୀ ଅଣ୍ଟି, ରତନ ମାଝୀ ପ୍ରମୁଖ ସମେତ ଗ୍ରାମବାସୀଙ୍କ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ପୋଲିସ ମୁତୟନ ରହି ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ନିୟନ୍ତ୍ରଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

masiha

ରାଇରଙ୍ଗପୁର ମା ‘ତାରିଣୀ ପୀଠ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ  

Sunil Chandra Nayak

ଦୋଳ ପୂର୍ଣ୍ଣିମାରେ କୋକସରା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!