ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ
କୋରାପୁଟ,୨୧।୯(): ସ୍ଥାନୀୟ ପୋଲିସ ପ୍ୟାରେଡ ପଡ଼ିଆରେ ଶନିବାର ଅପରାହ୍ନରେ ଜିଲ୍ଲାସ୍ତରୀୟ ତିନି ଦିନିଆ ବିକାଶ ମେଳା ଉଦଘାଟିତ ହୋଇଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାକୁ ସ୍କୁଲ ଓ ଗଣଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଏବଂ ସଂଖ୍ୟା ଲଘୁ
ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୂପୁ ଭତ୍ରା, ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଚରଣ ସିଂହ ମୀନା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ମଞ୍ଚରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ ପରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାଜ୍ୟ ସଂଗୀତ” ବନ୍ଦେ ଉତ୍କଳ ଜନନୀ “ଗାନ କରା ଯାଇଥିଲା। ଏହି ଅବସରରେ ସମ୍ମାନୀତ ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳାରେ ସମସ୍ତଙ୍କ ସଂପୃକ୍ତିକୁ ଉତ୍ସାହିତ କରି ସୁଭଦ୍ରା ଯୋଜନା,ଶ୍ରୀ ମନ୍ଦିର କର୍ପସ୍ ଫଣ୍ଡ , ଭାରତମାଳା ପ୍ରକଳ୍ପ, ସିଏମ କିସାନ ,ସମୃଦ୍ଧ କୃଷକ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ ଏକ ଐତିହାସିକ ପଦକ୍ଷେପ ରୂପେ ବର୍ଣ୍ଣିତ କରି ମୋହନ ମାଝୀ ସରକାର ପ୍ରଥମ ଶହେ ଦିନରେ ଲୋକଙ୍କ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଓଡ଼ିଆ ଅସ୍ମିତା,ଜନଜାତି ବିକାଶ,ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ରେଳ ଭିତ୍ତିଭୂମୀ, କୃଷକ ଉନ୍ନତି, ଉଚ୍ଚ ଶିକ୍ଷା ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଜିଲ୍ଲାର ବିକାଶରେ ସାମିଲ ହୋଇ ପ୍ରଗତିର ନୂତନ ସୂର୍ଯ୍ୟୋଦୟକୁ ସ୍ଵାଗତ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ମେଳାରେ ଓରମାସ, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ସହ ବିଭିନ୍ନ ବିଭାଗର ୩୦ଟି ଷ୍ଟଲକୁ ମୁଖ୍ୟ ଅତିଥି ଉଦଘାଟନ କରି ପରିଦର୍ଶନ କରିଥିଲେ। ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସରକାରଙ୍କ ପ୍ରଣୀତ ପ୍ରମୁଖ ଯୋଜନା ଗୁଡ଼ିକ ଏଲ ଇ ଡି ସ୍କ୍ରିନରେ ପ୍ରଦର୍ଶନ ସହ ଓଡ଼ିଆ ଅସ୍ମିତା ସଙ୍ଗୀତ ପରିବେଷଣ ହୋଇଥିଲା। ସେହିପରି ମଞ୍ଚରେ ବିଭିନ୍ନ ବ୍ଲକରୁ ଆସିଥିବା ସୁଭଦ୍ରା ଯୋଜନା,ସାମାଜିକ ସୁରକ୍ଷା ଯୋଜନା,ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,କ୍ଷୁଦ୍ର ଯୁବ ଉଦ୍ୟୋଗୀ,ଜଙ୍ଗଲ ଜମି ପଟ୍ଟା ହିତାଧିକାରୀଙ୍କୁ ସହାୟତା ରାଶିର ଚେକ୍ ଏବଂ ଉପକରଣ ମୁଖ୍ୟ ଅତିଥି ବଣ୍ଟନ କରିଥିଲେ । କୋରାପୁଟ ଏସପି ଅଭିନବ ସୋନକାର, ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଓ ଲଗ୍ନଜିତ ରାଉତ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବାଶିଷ ପଟ୍ଟନାୟକ, କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଏ, ରେଡ୍ଡୀ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର, ଓଡ଼ିଶା ଜୀବିକା ମିଶନ ଡିପିଏମ ପ୍ରିୟମ୍ବଦା ବିଶୋଇ, କୋରାପୁଟ ବିପିଏମ ସ୍ନେହଲତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ଵରାଜ୍ୟ ସୀସାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ଅଙ୍ଗନବାଡ଼ି କର୍ମୀ, ଏସଏଚଜି ସଭ୍ୟା ଯୋଗ ଦେଇଥିଲେ। ଏହି ମେଳା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସଚେତନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ତିନିଦିନ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ଦେଇଛନ୍ତି।
କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


