ଡାକ୍ତର ମୀନାକ୍ଷିଙ୍କ ଚତୁର୍ଥ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି
‘ସାମାଜିକ କର୍ମଦକ୍ଷତା ହିଁ ସାଧାରଣକୁ ଅସାଧାରଣର ମାନ୍ୟତା ଦିଏ’
ରାଉରକେଲା, ୧୦୲୧୧ : ସାଧାରଣ ବ୍ୟକ୍ତି ନିଜର ସାମାଜିକ ପ୍ରତିବଦ୍ଧତା ଓ କର୍ମପ୍ରେରଣା ବଳରେ ସମାଜରେ ପ୍ରତିଷ୍ଠିତ ହୋଇପାରେ ବୋଲି ବିଶିଷ୍ଟ ସମାଜସେବୀ ଡାକ୍ତର ମୀନାକ୍ଷି ଶତପଥୀଙ୍କ ଚତୁର୍ଥ ପୁଣ୍ୟତିଥି ,ସ୍ମରଣିକା ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l
ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମ ପରିସରରେ ଡାକ୍ତର ମୀନାକ୍ଷି ସ୍ମୃତି ସେବା ସମିତି ଆନୁକୂଲ୍ୟରେ ଅୟୋଜିତ ସ୍ମୃତି ସଭାରେ ଅଧ୍ୟକ୍ଷତା କରି ବିଶିଷ୍ଟ ବିଜ୍ଞାନ ଲେଖିକା ଡଃ ସରୋଜିନୀ ସାହୁ କହିଲେ ଯେ, ଡାକ୍ତର ମୀନାକ୍ଷିଙ୍କ ସଞ୍ଚୟ ଯୋଜନା ଓ ମିତବ୍ୟୟିତାର ପ୍ରତୀକ ବାକ୍ସଦେବୀ ପ୍ରତ୍ୟେକ ବ୍ୟକ୍ତିର ଧ୍ୟେୟ ହେବା ଉଚିତ୍ l ଆଶ୍ରମର ମୁଖ୍ୟ ଅଧିଷ୍ଠାତା ଆଚାର୍ଯ୍ୟ ଡଃ. ଦେବବ୍ରତ ପ୍ରଦୀପ ପ୍ରଜ୍ବଳନ କରି କହିଲେ ଯେ, ସମାଜସେବା ଠାରୁ ବଡ଼ ସେବା ଦୁନିଆରେ ନାହିଁ l ଏ କ୍ଷେତ୍ରରେ ଡାକ୍ତର ମୀନାକ୍ଷିଙ୍କ ପଦାଙ୍କ ଅନୁକରଣୀୟ l ମୁଖ୍ୟ ଅତିଥି ଅବସରପ୍ରାପ୍ତ ସରକାରୀ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡା.ବୈଷ୍ଣବ ଚରଣ ନାଏକ କହିଲେ ଯେ, କେବଳ ରୋଗୀ ଚିକିତ୍ସା ନୁହଁ, ବରଂ ମୀନାକ୍ଷି ଦୁର୍ଗତ ମହିଳାଙ୍କ ସେବା ପାଇଁ ଅମର ହୋଇ ରହିବେ l ମୁଖ୍ୟ ବକ୍ତା ବିଶିଷ୍ଟ ସାମାଜିକ କର୍ମୀ ଓ ସମ୍ବାଦଦାତା ବିବେକାନନ୍ଦ ଦାସ କହିଲେ, ସମାଜ ପାଇଁ ସମର୍ପିତ ବ୍ୟକ୍ତିତ୍ବ ହିଁ ମହାପ୍ରୟାଣ ପରେ ମଧ୍ଯ ଲୋକଙ୍କ ହୃଦୟରେ ରହି ଥାଆନ୍ତି l ସେମିତି ଜଣେ ମହୀୟସୀ ମହିଳା ଡାକ୍ତର ମୀନାକ୍ଷି ଥିଲେ ବୋଲି ଶ୍ରୀ ଦାସ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ବକ୍ତା ଭାବେ ଡାକ୍ତର ସୁନୀତା ମହାପାତ୍ର, ବିଶିଷ୍ଟ ସାମାଜିକ କର୍ମୀ କାମେଶ୍ଵର ଚୌଧୁରୀ, ସାହିତ୍ୟିକ ସତ୍ୟବ୍ରତ ଦାସ, ଗାଳ୍ପିକ ମନୋଜ କୁମାର ନନ୍ଦ, ସାହିତ୍ୟିକ ଉପେନ୍ଦ୍ର ସରାଫ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
କବି ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରଥମେ ତେଲିଙ୍ଗିବାଜା ପତ୍ରିକାର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିବା ବେଳେ ସେବା ସମିତିର ଆବାହକ ତଥା ବରିଷ୍ଠ ଗାଳ୍ପିକ ଡାକ୍ତର ମନୋଜ କୁମାର ନାଏକ ସ୍ଵାଗତ ଭାଷଣ ଦେଇଥିଲେ l
ଏହି ଅବସରରେ ସ୍ମରଣିକା ‘ସ୍ମୃତିରେ ମୀନାକ୍ଷି’ କୁ ଅତିଥିମାନେ ଲୋକାର୍ପଣ କରିଥିଲେ l ବିଭିନ୍ନ ସାମାଜିକ ସେବା କ୍ଷେତ୍ରରେ ପାରଦର୍ଶିତା ପାଇଁ ବିଜ୍ଞାନ ଗବେଷିକା ଡଃ. ସରୋଜିନୀ ସାହୁଙ୍କୁ ସମାଜସେବୀ ଡାକ୍ତର ମୀନାକ୍ଷି ସ୍ମୃତି ସେବାସୌରଭ, ,ଅବସରପ୍ରାପ୍ତ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡା. ବୈଷ୍ଣବ ଚରଣ ନାଏକଙ୍କୁ ସେବାରତ୍ନ ,ସାମାଜିକ କର୍ମୀ ବିବେକାନନ୍ଦ ଦାସ ଓ ସାମ୍ବାଦିକ କାମେଶ୍ଵର ଚୌଧୁରୀଙ୍କୁ ସେବାଗୌରବ,କବି ଓ ଶିକ୍ଷୟିତ୍ରୀ ନିରୁପମା ପତିଙ୍କୁ ସେବାଶାଶ୍ଵତୀ ଏବଂ କବି ହରପ୍ରିୟା ସାମଲଙ୍କୁ ଶ୍ରେଷ୍ଠ ସଂଯୋଜିକା ଫଟୋସ୍ମାରକୀରେ ଉପାୟନ, ଉପଢୌକନ,ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଦ୍ଵିତୀୟ ପର୍ଯ୍ୟାୟ କବିତା ପର୍ବରେ ବିଶିଷ୍ଟ କବି ସୁଧାଂଶୁ ଅଶୋକ ଅଧ୍ୟକ୍ଷତା କରି ଆଧୁନିକ ଓଡ଼ିଆ ସାହିତ୍ୟ ଓ ସ୍ମୃତି ଉଦ୍ଦେଶ୍ୟରେ ରଚିତ ସାହିତ୍ୟର ପରିଭାଷା ଆଲୋଚନା କରିଥିଲେ l ମୁଖ୍ୟ ଅତିଥି କବି ଇଞ୍ଜିନିୟର ଅଶୋକ କୁମାର ପଟ୍ଟନାୟକ କହିଲେ ଯେ, କବିତା ସବୁବେଳେ ଜୀବନର ମନ୍ତ୍ରପାଠ କରେ ଓ ଜୀବନକୁ ଯିଏ ଯେତେ ବୁଝି ସମାଜର ହିତ ପାଇଁ ସର୍ଜନା କରେ, ସେ ଲେଖକ ସେତେ ଅଧିକ ଲୋକପ୍ରିୟ ହୁଅନ୍ତି l କାଳଜୟୀ ସୃଷ୍ଟି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ବକ୍ତା ଅଶୋକ କୁମାର ପାତ୍ର କହିଲେ ଯେ, ସମାଜର ବିକାଶ ସହିତ ତାଳଦେଇ ଉତ୍ତର ଆଧୁନିକ ଓଡ଼ିଆ କବିତାରେ ମଧ୍ୟ ଆଶାନୁରୂପ ପ୍ରଗତି ଘଟିଛି l ଜୀବନ, ଜିଜ୍ଞାସା, ମାନବବାଦ ଓ କଷଣରୁ ତ୍ରାହି ନିମନ୍ତେ ଲେଖକୀୟ ପ୍ରତିବେଦନ ରହିବା ଚାହି ବୋଲି ସେ କହିଥିଲେ l ସମ୍ମାନିତ ବକ୍ତା ବିଶିଷ୍ଟ ସାମ୍ବାଦିକ ସୁନୀଲ କୁମାର ଦାସ କହିଲେ ଯେ,ମଣିଷର ଅନୁଭୂତି, ଦରଦ ଓ ଜୀଇଁବାର କଳା ସାହିତ୍ୟକୁ ଅଧିକ ପ୍ରାଣବନ୍ତ କରେ l କବି କଳ୍ପନା ସାହୁ ଓ କବି ହରପ୍ରିୟା ସାମଲଙ୍କ ଯୁଗଳ ସଂଯୋଜନାରେ କବି ରଶ୍ମି ସାହୁ, ସତ୍ୟବ୍ରତ ଦାସ, କଳ୍ପନା ନନ୍ଦ, ହୃଷୀକେଶ ସାହୁ, ଡଃ. ସରୋଜିନୀ ସାହୁ, ଉପେନ୍ଦ୍ର କୁମାର ବସ୍ତିଆ, ପ୍ରଶାନ୍ତ କୁମାର ମେହେର, ପଞ୍ଚାନନ ସାହୁ, ନିକୁଞ୍ଜ ବିହାରୀ ଦାଶ, କିଶୋରୀ ମୋହନ କର, ପ. ନିଶିକାନ୍ତ ମିଶ୍ର, ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ୩୦ ଜଣ କବି ସେମାନଙ୍କର କବିତା ପାଠ କରିଥିଲେ l ଶେଷରେ କବି ନିକୁଞ୍ଜ ବିହାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

