ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱନାଥପୁର ସିଏଚସିରୁ ବାଇକରେ ଶବ ବୁହା ହେବା ଘଟଣା  -ଶବବାହକ ଗାଡ଼ି ପାଇଁ ଦାବି କଲା ସାମ୍ବାଦିକ ସମୁହ  -ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧାରଣା 

ବିଶ୍ୱନାଥପୁର ସିଏଚସିରୁ ବାଇକରେ ଶବ ବୁହା ହେବା ଘଟଣା 

-ଶବବାହକ ଗାଡ଼ି ପାଇଁ ଦାବି କଲା ସାମ୍ବାଦିକ ସମୁହ 

-ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧାରଣା 

ଲାଞ୍ଜିଗଡ, ୧୪/୧୧(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାଇକରେ ଶବ ବୁହାହୋଇ ଯିବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଶବବାହକ ଗାଡ଼ି କିଣିବାକୁ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ତାଙ୍କ ପାଣ୍ଠିରୁ ୯ ଲକ୍ଷ ଟଙ୍କା ମଂଜୁର କରିଥିବାବେଳେ ଦୁଇ ବର୍ଷ ବିତିଯିବା ପରେ ବି ଏହା କାର୍ଯ୍ୟକାରୀ ହୋଇନାହିଁ। ଲାଞ୍ଜିଗଡ ବ୍ଲକକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ସର୍ବାଧିକ ଦୁର୍ଗମ, ଆଦିବାସୀ ଓ ଅନୁସୂଚିତ ଜାତି ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ବିଶେଷଜ୍ଞ ଡାକ୍ତର, ଭିତ୍ତିଭୂମିର ଅଭାବ ଭଳି ଏଠାରେ ଶବବାହକ ଗାଡ଼ିଟିଏ ମଧ୍ୟ ନାହିଁ। ଯାହାଫଳରେ ଗତ ବୁଧବାର ସନ୍ଧ୍ୟାରେ କୁମଖାଲ ପଞ୍ଚାୟତ ପୁନିଗୁଡ଼ା ଗାଁର ଜଣେ ନାବାଳିକାଙ୍କ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଭାବେ ମୃତ୍ୟୁ ଘଟିବାରୁ ଗାଡ଼ିଟିଏ ଯୋଗାଡ଼ କରିନପାରି ଶେଷରେ ପରିବାର ଲୋକେ ୧୨ କିମି ଦୂର ବାଇକରେ ଶବ ବୋହିନେବା ଘଟଣା ସାରା ସଭ୍ୟ ସମାଜକୁ ଲଜ୍ଜିତ କରିଛି। ଆଜି ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିବାବେଳେ ଏହି ଘଟଣା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଓ ଦାୟିତ୍ୱହୀନତାକୁ ପଦାରେ ପକାଇଦେଇଛି। ଏହା ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ବହୁଚର୍ଚ୍ଚିତ ଦାନ ମାଝୀ ଘଟଣାର ପୁନରାବୃତ୍ତି ବୋଲି କୁହାଯାଉଛି। ଦୁଃଖ ଓ କ୍ଷୋଭର ବିଷୟ ହେଲା, ଅଞ୍ଚଳବାସୀଙ୍କ ବାରମ୍ବାର ଦାବି, ଅଭିଯୋଗ ଓ ଲଗାତାର ଖବର ପ୍ରସାରଣକୁ ଦୃଷ୍ଟିରେ ରଖି ବ୍ଲକ ପାଇଁ ଏକ ଶବବାହକ ଗାଡ଼ି ଯୋଗାଇଦେବାକୁ ତତ୍କାଳୀନ ରାଜ୍ୟସଭା ସାଂସଦ ସୁଜିତ କୁମାର ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନିଜ ସାଂସଦ ପାଣ୍ଠିରୁ ୯ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏନେଇ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ଦସ୍ତଖତରେ ଚିଠି ନଂ୧୩୨୦-୧୩୨୧/୩୦.୧୦.୨୦୨୨ ଜାରି କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇବର୍ଷ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଫଳରେ ଜଣେ ଗରିବ ଆଦିବାସୀ ନାବାଳିକାର ଶବ ଶେଷ ସମ୍ମାନ ଟିକକ ପାଇ ପାରିଲା ନାହିଁ। ଏଭଳି ଅମାନବୀୟ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏନେଇ ରାଜ୍ୟର ଅଗ୍ରଣୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଳବ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ ତଥା ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କାଙ୍କୁ ଏହି ଦାବିପତ୍ର ଦେବା ସହିତ ଲାଞ୍ଜିଗଡ ବ୍ଲକ ପାଇଁ ମଂଜୁର ହୋଇଥିବା ସାଂସଦ ପାଣ୍ଠିର ଅର୍ଥରାଶି ବିନିଯୋଗ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବାକୁ ଚେତାବନୀ ଦେଇଛି ସାମ୍ବାଦିକ ସମୁହ। ଆସନ୍ତା ପନ୍ଦର ଦିନ ମଧ୍ୟରେ ଅର୍ଥାତ ଆସନ୍ତା ୨୪ ତାରିଖ ସୁଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସାଂସଦ ପାଣ୍ଠିର ଅଟକେଇ ରଖିଥିବା ଅର୍ଥର ସଦୁପଯୋଗ କରି ଲାଞ୍ଜିଗଡ ବ୍ଲକର ହକ ଓ ଅଧିକାର ଅନ୍ତର୍ଭୁକ୍ତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଶବବାହକ ଗାଡ଼ି ଯୋଗାଇଦେବା, ଲାଞ୍ଜିଗଡ ଓ ବିଶ୍ୱନାଥପୁରରେ ଅତ୍ୟାଧୁନିକ ସୁବିଧା ଥିବା ଦୁଇଗୋଟି ଆମ୍ବୁଲାନ୍ସ ପ୍ରଦାନ ପାଇଁ ପଦକ୍ଷେପ ନନେଲେ ୨୫ ତାରିଖ ସକାଳ ୬ଟାରୁ ଲାଞ୍ଜିଗଡ ପ୍ରେସ କ୍ଳବ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ ତଥା ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହ ଓ ନାଗରିକ କମିଟି ପକ୍ଷରୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକରେ ଅନିର୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସମୟରେ କୌଣସି ଅଘଟଣ, ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବ ବୋଲି ଚେତାବନୀ ଦେଇଛି ସାମ୍ବାଦିକ ସମୁହ। ଏନେଇ କଳାହାଣ୍ଡି ଜିଲ୍ଲାପାଳ, ବିଶ୍ୱନାଥପୁର ଥାନାଧିକାରୀ, ଲାଞ୍ଜିଗଡ ଥାନାଧିକାରୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇ ଦିଆଯାଇଛି। ଲାଞ୍ଜିଗଡ ପ୍ରେସ କ୍ଲବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବର ଉପଦେଷ୍ଟା କୈଳାସ ସାହୁ, କୋଷାଧ୍ୟକ୍ଷ ପରେଶ ନାୟକ, ସଦସ୍ୟ ପ୍ରଭୁରଞ୍ଜନ ସାମଲ, ଦିଲିପ ନାଏକ, ପିଇଡବ୍ଲୁ ମିଡ଼ିଆ ଆସୋସିଏସନର ସଭାପତି ନୀଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, କୋଷାଧ୍ୟକ୍ଷ ତୁଳସୀରାମ ପ୍ରଧାନୀ, ସଦସ୍ୟ ମଳୟ ବେନୁଆ, ମନୋଜ ଦୋରା, ସୁଶାନ୍ତ ମାଝୀ, ଜଗତ ପାତ୍ର ପ୍ରମୁଖ ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସେକ୍ଟର-୧୩ ମେଲଣ ପଡିଆରେ ଜୁନ୍ ୨୭ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

masiha

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

Leave a Comment

error: Content is protected !!