ତୁମେ ହିଁ ତୁମେ
ସସ୍ମିତା ପଣ୍ଡା
ତୁମେ ଆସ ଯେବେ ପୂର୍ବାଶା ଲଲାଟେ
ସୁବର୍ଣ୍ଣ ସ୍ବାକ୍ଷର ହୋଇ ।
ମୁଗ୍ଧ କାକଳୀରେ ତୁମରି ବନ୍ଦନା
ହୃଦୟ ମୋ ଉଠେ ଗାଇ ।
ତୁମେ ଆସଯେବେ ପ୍ରତ୍ୟୁଷ ଆଭାରେ
ଶିଶିର ମୁକ୍ତାର ବେଶେ ।
ସ୍ନିଗ୍ଧ ଆବାହନୀ ମନ୍ତ୍ର କୌମୁଦୀରେ
ଏଇ ମୋ ଅନ୍ତର ଦେଶେ ।।
ତୁମ ମଧୁସ୍ପର୍ଶ ଝରିଆସେ ଯେବେ
କୁସୁମ କଳିକା ଛୁଇଁ ।
ପହିଲି ସକାଳ ସୌନ୍ଦର୍ଯ୍ୟ ବୋଧରେ
ଯାଏ ବିଭୋରିତ ହୋଇ ।।
ତୁମେ ଉଚ୍ଚତମଚୂଡା ପ୍ରଦେଶରେ
ଚୂଡ଼ାନ୍ତ ନିଷ୍ପତ୍ତି ଦିଶା ।
ସୁଷମା ଲହରୀ ଆବେଗମୟ ମୁଁ
ମଗ୍ନତାର ପରିଭାଷା ।।
ଋତୁ ପ୍ରକାଶରେ ପୂର୍ଣ୍ଣତମା ଛବି
ସ୍ନିଗ୍ଧ ପ୍ରଦର୍ଶନ ସ୍ଥିତି ।
ତୁମରି ପ୍ରଶାନ୍ତ ବଳୟ ଭିତରେ
ମୁଁ ଭିଜା ଭିଜା ଅନୁଭୂତି ।।
ସୂର୍ଯ୍ୟଶିଖାରେ ଅନନ୍ୟ ଅନନ୍ତ
ଦିବ୍ୟଜ୍ୟୋତି ତତ୍ତ୍ୱ ବାର୍ତ୍ତା ।
ମୁଁ ଯେ ସମ୍ଭାବନା ସୂତ୍ରରୁ ସାଇତା
ଆକଣ୍ଠ ଆସକ୍ତି ସତ୍ତା ।।
ତୁମେ ଆଶ୍ବସ୍ତିର ଆଶ୍ବାସନା ରଙ୍ଗ
ଶାଶ୍ବତର ଶୁଭଶଙ୍ଖ ।
ମୁଁ ପ୍ରାଣତନ୍ତ୍ରୀରେ ଭାବମୟ ଧାରା
ବିଶ୍ୱାସ ର ଅଭିଲେଖ ।।
ତୁମେ ଆବେଗର ଉଦୟଭାନୁରେ
ଭରସାର ଉପହାର ।
ମୁଁ ପ୍ରତିଧ୍ବନୀ ମଙ୍ଗଳାଚରଣ
ମଗ୍ନ ମନ୍ମୟତା ସ୍ବର ।।
ତୁମେ ଗଗନର ତନ୍ମୟ ଝଙ୍କାର
ଓଁକାର ତର୍ପଣ ମୁଦ୍ରା ।
ମୁଁ ଶାନ୍ତ ନଳିନୀ ଦୀପ୍ତ ଚେତନାରେ
ଯୁଗ୍ମ ପିପାସା ର ଶ୍ରଦ୍ଧା ।।
ଅଖଣ୍ଡ ମମତା ମମତ୍ବ ବୋଧର
ତୁମେ ମଧୁସ୍ରୋତସ୍ବନୀ ।
ଜୀବନ ବୀଣାର ସଦ୍ୟ ଶୃଙ୍ଗାର ମୁଁ
ମଇତ୍ରୀ ମାଳିକା ଧ୍ବନୀ ।।
ମିଳନ ଅର୍ଘ୍ୟରେ ସୃଷ୍ଟିର ରହସ୍ୟ
ବିମୋହନ ଅନୁବନ୍ଧ ।
ମୁଁ ପୁଲକ ଗୀତି ଅମୃତ ଚୁମ୍ବନେ
ଅଭିନବ ମୃଦ୍ୟୁଛନ୍ଦ ।।
କଟିକଟା, କଟକ