ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତା ପଣ୍ଡା ଙ୍କ କବିତା ତୁମେ ହିଁ ତୁମେ

ତୁମେ ହିଁ ତୁମେ

               
ସସ୍ମିତା ପଣ୍ଡା

 

ତୁମେ ଆସ ଯେବେ ପୂର୍ବାଶା ଲଲାଟେ

ସୁବର୍ଣ୍ଣ ସ୍ବାକ୍ଷର ହୋଇ ।

ମୁଗ୍ଧ କାକଳୀରେ ତୁମରି ବନ୍ଦନା  

ହୃଦୟ ମୋ ଉଠେ ଗାଇ ।

 

ତୁମେ ଆସଯେବେ ପ୍ରତ୍ୟୁଷ ଆଭାରେ

ଶିଶିର ମୁକ୍ତାର ବେଶେ ।

ସ୍ନିଗ୍ଧ ଆବାହନୀ ମନ୍ତ୍ର କୌମୁଦୀରେ

ଏଇ ମୋ ଅନ୍ତର ଦେଶେ ।।

 

ତୁମ ମଧୁସ୍ପର୍ଶ ଝରିଆସେ ଯେବେ

କୁସୁମ କଳିକା ଛୁଇଁ ।

ପହିଲି ସକାଳ ସୌନ୍ଦର୍ଯ୍ୟ ବୋଧରେ

ଯାଏ ବିଭୋରିତ ହୋଇ ।।

 

ତୁମେ ଉଚ୍ଚତମଚୂଡା ପ୍ରଦେଶରେ

ଚୂଡ଼ାନ୍ତ ନିଷ୍ପତ୍ତି ଦିଶା ।

ସୁଷମା ଲହରୀ ଆବେଗମୟ ମୁଁ

ମଗ୍ନତାର ପରିଭାଷା ।।

 

ଋତୁ ପ୍ରକାଶରେ ପୂର୍ଣ୍ଣତମା ଛବି

ସ୍ନିଗ୍ଧ ପ୍ରଦର୍ଶନ ସ୍ଥିତି ।

ତୁମରି ପ୍ରଶାନ୍ତ ବଳୟ ଭିତରେ

ମୁଁ ଭିଜା ଭିଜା ଅନୁଭୂତି ।।

 

ସୂର୍ଯ୍ୟଶିଖାରେ ଅନନ୍ୟ ଅନନ୍ତ

ଦିବ୍ୟଜ୍ୟୋତି ତତ୍ତ୍ୱ ବାର୍ତ୍ତା ।

ମୁଁ ଯେ ସମ୍ଭାବନା ସୂତ୍ରରୁ ସାଇତା

ଆକଣ୍ଠ ଆସକ୍ତି ସତ୍ତା ।।

 

ତୁମେ ଆଶ୍ବସ୍ତିର ଆଶ୍ବାସନା ରଙ୍ଗ

ଶାଶ୍ବତର ଶୁଭଶଙ୍ଖ ।

ମୁଁ ପ୍ରାଣତନ୍ତ୍ରୀରେ ଭାବମୟ ଧାରା

ବିଶ୍ୱାସ ର ଅଭିଲେଖ ।।

 

ତୁମେ ଆବେଗର ଉଦୟଭାନୁରେ

ଭରସାର ଉପହାର ।

ମୁଁ ପ୍ରତିଧ୍ବନୀ ମଙ୍ଗଳାଚରଣ

ମଗ୍ନ ମନ୍ମୟତା ସ୍ବର ।।

 

ତୁମେ ଗଗନର ତନ୍ମୟ ଝଙ୍କାର

ଓଁକାର ତର୍ପଣ ମୁଦ୍ରା ।

ମୁଁ ଶାନ୍ତ ନଳିନୀ ଦୀପ୍ତ ଚେତନାରେ

ଯୁଗ୍ମ ପିପାସା ର ଶ୍ରଦ୍ଧା ।।

 

ଅଖଣ୍ଡ ମମତା ମମତ୍ବ ବୋଧର

ତୁମେ ମଧୁସ୍ରୋତସ୍ବନୀ ।

 ଜୀବନ ବୀଣାର ସଦ୍ୟ ଶୃଙ୍ଗାର ମୁଁ

ମଇତ୍ରୀ ମାଳିକା ଧ୍ବନୀ ।।

 

ମିଳନ ଅର୍ଘ୍ୟରେ ସୃଷ୍ଟିର ରହସ୍ୟ

ବିମୋହନ ଅନୁବନ୍ଧ ।

ମୁଁ ପୁଲକ ଗୀତି ଅମୃତ ଚୁମ୍ବନେ

ଅଭିନବ ମୃଦ୍ୟୁଛନ୍ଦ ।।

କଟିକଟା, କଟକ

Related posts

ବରାହ ଆକ୍ରମଣ ରେ ଗୁରୁତର

ରାଇରଙ୍ଗପୁରରେ ‘ପରିକ୍ରମା’ଆନୁକୂଲ୍ଯରେ ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଚୋରା ଚାଲାଣ ବେଳେ ପୁଣି ଜବତ ହେଲା  ବିପୁଳ ପରିମାଣର ଗଞ୍ଜେଇ

Sunil Chandra Nayak

Leave a Comment

error: Content is protected !!