ସାଧବ ବୋହୂ
କାଙ୍ଗାଳୀ ଚରଣ ସେଠୀ
ନୁହେଁ ନବରବି ରଶ୍ମିର ରଙ୍ଗ
ରକ୍ତାଭ କୃଷ୍ଣଚୁଡା
ଶ୍ରାବଣ ସକାଳ ସବୁଜ ପ୍ରାନ୍ତରେ
ଚାଲିନି ମୁଁ କେବେ ପରା
ମୁଁ ଦୁଃଖିନୀ ସାଧବବୋହୁ
ଆଖିତଳୁ ଖସେ ଟୋପି ଟୋପି ଲୁହ
ଓଠରୁ ଖସଇ ମହୁ ।
ଉନ୍ମିଳିତ ମୋର ହୃଦୟ କୁମୁଦ
କୀଟଦ୍ରଂଷ୍ଟ ଆବାଲ୍ୟରୁ
ଗୋବର ଗୋଟେଇ ଭାଗ୍ୟବତୀ ହେବା
ଲିଭିଛି ମୋ କପାଳରୁ
ମୁଁ ଚେନାଏ ସାଉଣ୍ଟା ସ୍ମୃତି
ନିତିଦିନିଆ ଏ ନିନ୍ଦା ଅପବାଦ
ଲୁଣି ଲୁହେ ଯାଏ ଶୁଖି ।
ଚୋରା ଚଇତିର ଚିନି ଚାନ୍ଦିନୀକୁ
ଚୁମୁନି ଚିକୁର ଚାରୁ
ନୂଆ ସକାଳକୁ ନିଇତି ଦେଖେ ମୁଁ
ନୂଆଁଣିଆ ଚାଳ ଘରୁ
କାନ୍ଥବାଡ଼େ ରହେ ଚାହିଁ
ଦିନ ଗଣୁଛି ମୁଁ ତମେ ଫେରି ବାର
ରାତି ଆସେ ପାହି ପାହି ।
ଛତି ମାରି ଯାଏ ହଳଦୀ କାଠୁଆ
କଜଳପାତିରେ ଗୁଣ୍ଡି
ମଉଳି ଯାଇଛ ମନର ସରାଗ
ନିତି ଓହ୍ଲେ ଭାତହାଣ୍ଡି।
ମୁଁ ଲବଣସାଗର ଲହୁ
ତନୟବନ୍ତର ତଅପୋଇ ନୁହଁ
ନୁହେଁ ମୁଁ ସାଧବବୋହୁ ।
ଯାଜପୁର