ମିଛ ମଣିଷ
ମାୟା ନାଗରୀର
ସ୍ୱାର୍ଥୀ ଦୁନିଆରେ
ମିଛ ମଣିଷଙ୍କ ଭିଡ
ପ୍ରୀତିପୂର୍ଣ୍ଣ ଶବ୍ଦେ
ଛଳନା ଅମୃତେ
ଗଢ଼ନ୍ତି ସମ୍ପର୍କ ନୀଡ଼.
ବଚନେ ସରସ
ହଳାହଳ ବିଷ
ହୃଦୟରେ ଥାଏ ଲୁଚି
ବ୍ୟାଧ ସାଜି ପୁଣି
କରନ୍ତି ଶିକାର
ନାନା ଚକ୍ରବ୍ୟୁହ ରଚି.
ତନୁ ମନ ଧନ
କରନ୍ତି ହରଣ
ନିଷ୍କପଟ ମନ ଦେଖି
ମିଥ୍ୟା ପ୍ରବଞ୍ଚନା
କପଟ ଛଳନା
ଜାଲେ ଛନ୍ଦି ପ୍ରାଣ ପକ୍ଷୀ.
ସମ୍ପର୍କର ମୂଲ୍ୟ
ଦଦରା କାଗଜ
ହୃଦୟ ଖେଳନା ପରି
ଯାତନା ଯନ୍ତ୍ରଣା
ବ୍ୟଥା ଓ ବେଦନା
ଲହୁ ଲୁହେ ଯାଏ ପୁରି.
ମିଛ ମଣିଷର
ସମ୍ପର୍କ ବି ମିଛ
ସ୍ଵାର୍ଥେ ହୋଇଥାଏ ଭରା
ମିଛ ଅଭିନୟ
ମୁଖା ଖୋଲିଗଲେ
ସତ ପଡ଼ିଯାଏ ଧରା.
କପୋତ ରାଜନ
ଚିତ୍ରଗ୍ରୀବ ପରି
ମନରେ ସାହସ ଭରି
ବୁଦ୍ଧି କୌଶଳରେ
ସତର୍କ ପଣରେ
ହରାଇ ଦୁଷ୍ଟ ଶିକାରୀ.
ମିଛ ଲୁହ ଦେଖି
ନ ଚାହିଁବୁ ଫେରି
ଜାଣିଗଲା ପରେ ସତ
ସତ୍ୟ ନ୍ୟାୟ ଧର୍ମ
ସେବା ଉପକାର
କରି ଜୀବନର ବ୍ରତ
ସୁଜାତା ଦାସ
ବାଲେଶ୍ୱର