ଭବିତବ୍ୟ
ଜ୍ୟୋତ୍ସ୍ନା ରାଣୀ ଦେବୀ
କାଚକାନ୍ଥ ଯେବେ ଅସ୍ପଷ୍ଟ ହୁଅଇ ନ ଦିଶଇ ବାଟଘାଟ
ଅଫେରନ୍ତା ନଈ ଦିଶାହୀନ ହୋଇ ଲୋଡ଼ଇ ଆପଣା ପଥ
ପାନ୍ଥ ହଜିଯାଏ ପଥ ଧାରେଧାରେ ପାଏନି ନିଜ ଠିକଣା
ବିପଣି ବଣିକ ଛିନ୍ନଭିନ୍ନ ସବୁ ହୋଇଯାନ୍ତି ବାଟବଣା ।
ଆପଣା ନିଃଶ୍ବାସ କରେ ସାତପର ବେଳକାଳ ଥାଏ ଉଣ୍ଡି
ସବୁ ସମ୍ମୋହନ ଅଳିକ ସପନ ଭୂଷଣରେ ହୋଇ ମଣ୍ଡି
ମାୟାର ନଅରେ ମିଛ ମଣ୍ଡପରେ ଦୃଶ୍ୟମାନ ପ୍ରତି ଅଙ୍କ
ସରିଯାଏ କେବେ ହାରିଯାଏ କିଏ ଗତିପଥ ହୁଏ ବାଙ୍କ ।
ଅଣିମା ଅନନ୍ତ ଆବୋରି ନେବାକୁ ସମୟ ଯେ ଉପନୀତ
କିଏ ଟାଣୁଥାଏ ଏକ ହାତ ଧରି କିଏ ଟାଣେ ଆନହାତ
ଆତ୍ମା ପରମାତ୍ମା ଚିହ୍ନିବା ବେଳକୁ ବେଳକାଳ ହୁଏ ଊଣା
ମିଛର ଦରିଆ ଧୋଇନିଏ ସବୁ ପ୍ରଲୋଭନ ହୁଏ ଚୁନା ।
ଧନଜନ ମାନ ଯେତେ ଅରଜନ ସାଥୀ ନୁହଁଇ ତ କେବେ
ଶୂନ୍ୟ ଆକାଶରେ ଶୂନ୍ୟ ଛାତ ତଳେ ଚିତ୍କାର କରନ୍ତି ଭବେ
ଭବିତବ୍ୟ ଯାହା ଫଳୁଅଛି ତାହା ରୋକି ପାରେନାହିଁ କେହି
ସୁନାର ମହଲ ରାଜନ ବ୍ୟଞ୍ଜନ ସବୁ ଯାଏ ବୃଥା ହୋଇ ।
ବ୍ରହ୍ମପୁର, ଗଂଜାମ