ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା……..୧୦

ମହାଭାରତ କଥା……..୧୦

 

ଅର୍ଜୁନଙ୍କ ରଥକୁ କାହିଁକି କପିଧ୍ଵଜ ରଥ ଆଖ୍ଯା ଦିଆଗଲା

 

  କୌରବ ସେନା ଓ ପାଣ୍ଡବ ସେନା ମଧ୍ୟରେ ତୁମୁଳ ସଂଘର୍ଷ ଆରମ୍ଭ ହେଲା । ଏହା ଥିଲା ପ୍ରାଚୀନ କାଳର ସର୍ବବୃହତ ଯୁଦ୍ଧ ଯାହାକି ଅଠରଦିନ କାଳ ଲାଗି ରହିଥିଲା । ଭୀଷ୍ମ ପ୍ରଥମ ଦଶଦିନ କୌରଵ ସେନାର ପ୍ରଧାନ ସେନାପତି ହୋଇ ଯୁଦ୍ଧ ପରିଚାଳନା କରିଥିଲେ ଏବଂ ପରବର୍ତ୍ତୀ ଆଠଦିନ ପାଣ୍ଡବ ଦ୍ରୋଣାଚାର୍ଯ୍ଯ, କର୍ଣ୍ଣ ପ୍ରଭୃତି ଯୋଦ୍ଧାମାନେ ଯୁଦ୍ଧର ନେତୃତ୍ୱ ନେଇଥିଲେ । ପାଣ୍ଡବମାନଙ୍କ ପକ୍ଷରେ ସ୍ବୟଂ ଶ୍ରୀକୃଷ୍ଣ ରହିଥିବାରୁ ସେମାନଙ୍କ ବିଜୟ ଲାଭ ସୁନିଶ୍ଚିତ ଥିଲା । ଯୁଦ୍ଧଭୂମି ରକ୍ତରଞ୍ଜିତ ହୋଇଯାଇଥିଲା । ଭୀଷ୍ମ ଅର୍ଜୁନଙ୍କ ଦ୍ବାରା ପରାସ୍ତ ହୋଇ ତାଙ୍କ ଦ୍ବାରା ରଚିତ ଶରଶର୍ଯ୍ଯାରେ ଶାୟିତ ଥିବା ଅବସ୍ଥାରେ ଯୁଦ୍ଧ ଅନ୍ତେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେବା ମାତ୍ରେ ନିଜ ଇଚ୍ଛାରେ ଶରୀର ତ୍ଯାଗ କରିଥିଲେ । ତାଙ୍କର ମାତା ଗଙ୍ଗା ନିଜ ପୁତ୍ରକୁ ଫେରାଇ ପାଛୋଟି ନେବା ଲାଗି ହଂସରୂପ ଧାରଣ କରିଥିବା ଋଷିମାନଙ୍କୁ ଯୁଦ୍ଧଭୂମିକୁ ପଠାଇଥିଲେ ଯେଉଁମାନେ କି ଭୀଷ୍ମଙ୍କ ଶରଶର୍ଯ୍ଯା ନିକଟରେ ଘେରି ରହିଥିଲେ । ଶରଶର୍ଯ୍ଯାରେ ଥାଇ ଭୀଷ୍ମ ଯୁଧିଷ୍ଠିରଙ୍କୁ ରାଜଧର୍ମ ଶିକ୍ଷା ଦେଇଥିଲେ ।

      ଭୀଷ୍ମଙ୍କ ପରାଜୟ ପରେ କୌରବ ପକ୍ଷ ହୀନବଳ ହୋଇ ପରିଶେଷରେ ପାଣ୍ଡବମାନଙ୍କ ହାତରେ ପରାଜୟ ସ୍ବୀକାର କରି ସମ୍ପୂର୍ଣ୍ଣ ରୂପେ ମୂଳପୋଛ ହୋଇଗଲା । ଯୁଦ୍ଧ ଶେଷ ଦିନ ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଯୁଦ୍ଧଭୂମିରୁ ପଳାୟନ କରି ଏକ ସରୋବର ମଧ୍ୟରେ ଆତ୍ମଗୋପନ କରି ଲୁଚି ରହିଥିଲା । କିନ୍ତୁ ଭୀମଙ୍କ ହାତରୁ ସେ ନିସ୍ତାର ଲାଭ କରି ପାରି ନ ଥିଲା । ଭୀମ ତାକୁ ଟାଣି ଆଣି ନିଜ ଗଦାରେ ତାର ଜଙ୍ଘକୁ ଭଗ୍ନ କରିବା ପରେ ଧରାଶାୟୀ କରି ମାରି ଦେଇଥିଲେ । ସେହିପରି ଯୁଦ୍ଧରେ ପରାସ୍ତ ହୋଇ ଭୀରୁଙ୍କ ପରି ପଳାଇ ଯାଉଥିବା ଦୁଃଶାସନକୁ ଧରି ଭୀମ ଗଦାରେ ତାର ଛାତିକୁ ଫଟାଇ ଉନ୍ମତ୍ତ ସିଂହ ପରି ରକ୍ତମୁଖା ହୋଇ ଯାଇଥିଲେ ଏବଂ ହାତରେ କିଛି ରକ୍ତ ଆଣି ଦ୍ରୌପଦୀଙ୍କର ମୁକୁଳା କେଶରେ ଲଗାଇ ଦେବାରୁ ସେ କେଶ ବାନ୍ଧିଥିଲେ । ଦୁର୍ଯ୍ୟୋଧନର ରାଜସଭାରେ ଲାଞ୍ଛିତ ହେବା ଦିନଠାରୁ ଦୌପଦୀ କେଶ ମୁକୁଳା ରଖିଥିଲେ । ଦୁଃଶାସନ ତାଙ୍କ କେଶକୁ ଧରି ଦୁର୍ଯ୍ୟୋଧନର ରାଜ ସଭାକୁ ଟାଣି ଆଣିଥିବାରୁ ସେ ପ୍ରତିଜ୍ଞା କରିଥିଲେ ଯେ ପାପୀ ଦୁଃଶାସନର ରକ୍ତ ଏଥିରେ ଲଗା ନ ହେବା ପର୍ଯ୍ୟନ୍ତ ଏ କେଶ ସେହିପରି ମୁକୁଳା ରହିଥିବ । ଯୁଦ୍ଧରେ କୌରବ ପକ୍ଷ ସମ୍ପୂର୍ଣ୍ଣରୂପେ ମୂଳପୋଛ ହୋଇଯାଇଥିଲେ । ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ରହିଥିବାରୁ ସେମାନଙ୍କ ବିଜୟ ହୋଇଥିଲା । ଯୁଦ୍ଧର ବିବରଣୀ ରାଜା ଧୃତରାଷ୍ଟ୍ରଙ୍କୁ ଶୁଣାଉଥିବା ତାଙ୍କ ସାରଥୀ ସଞ୍ଜୟ ଯୁଦ୍ଧ ଶେଷରେ କହିଥିଲେ, ହେ ଭଗବାନ, ଯେଉଁଠାରେ ଯୋଗେଶ୍ଵର ଭଗବାନ ଶ୍ରୀକୃଷ୍ଣ ରହିଛନ୍ତି ଏବଂ ଯେଉଁଠାରେ ଗାଣ୍ଡିବ ଧନୁ ଧାରଣ କରିଥିବା ଅର୍ଜୁନ ରହିଛନ୍ତି , ସେଠାରେ ଶ୍ରୀ, ବିଜୟ, ବିଭୂତି ଏବଂ ଅଟଳ ନୀତି ନିଶ୍ଚୟ ରହିଛି, ଏହା ମୋର ମତ ।

     ଭଗବାନ ଶ୍ରୀକୃଷ୍ଣ ତାଙ୍କର ସଖା ଅର୍ଜୁନଙ୍କର ଯେଉଁ ରଥର ସାରଥୀ ହୋଇଥିଲେ ସେହି ରଥକୁ କପିଧ୍ଵଜ ରଥ ଆଖ୍ଯା ଦିଆଯାଇଥିଲା ସେ ସଂକ୍ରାନ୍ତରେ ଏକ କୌତୁହଳପ୍ରଦ କାହାଣୀ ଏଠାରେ ସଂଯୋଗ କରି ମହାଭାରତ କଥା ସମାପ୍ତ କରିବା ।

     ପାଣ୍ଡବମାନଙ୍କ ବନବାସ କାଳରେ ଦିନେ ଭୀମ ଅରଣ୍ଯରେ ବୁଲୁଥିବା ସମୟରେ ଦେଖିଲେ ଏକ ବିରାଟକାୟ ହନୁ ତାର ଲାଞ୍ଜକୁ ରାସ୍ତା ଉପରେ ଲମ୍ବାଇ ଦେଇ ଏକ ପଥରକୁ ଆଉଜି ଆଖିବୁଜି ବସିଛି । ଭୀମକୁ ଦେଖି ସେ ଆଖିଖୋଲି ଅନାଇଲା । ଭୀମ କହିଲେ , ” ହେ ହନୁମନ୍ତ, ପଥ ରୁଦ୍ଧ କରି ବସିଛ କାହିଁକି ? ତୁମ ପୁଚ୍ଛ ହଟାଇ ଦିଅ, ମୁଁ ଆଗକୁ ଯିବି ” । ହନୁ କହିଲେ, ମୁଁ ତ୍ରେତା ଯୁଗରେ ଯୁଦ୍ଧ କରି କରି ବଡ଼ କ୍ଲାନ୍ତ ହୋଇ ପଡିଛି ଏବଂ ଏଠାରେ ବିଶ୍ରାମ ନେଉଛି । ତୁମେ ନିଜେ ପଥ ଉପରୁ ହଟାଇ ଦେଇ ଚାଲିଯାଇପାର ।

      ଭୀମ ପୁଚ୍ଛଟିକୁ ହଟାଇବାକୁ ଯାଇ ଉଠାଇ ପାରିଲେ ନାହିଁ । ସେ ତାଙ୍କ ଶରୀରରେ ଥିବା ଅଶୀ ହାତୀଙ୍କର ଶକ୍ତି ପ୍ରୟୋଗ କରି ମଧ୍ୟ ପୁଚ୍ଛଟିକୁ ହଟାଇବାକୁ ଅସମର୍ଥ ହେବାରୁ ଆଶ୍ଚର୍ଯ୍ୟ ହୋଇଗଲେ । ଭୀମ ହନୁମାନଙ୍କ ନୀକଟରେ ନତଜାନୁ ହୋଇ କହିଲେ, ହେ ମହାତ୍ମା , ତୁମେ କିଏ, ମୋତେ ତୁମର ଅସଲ ପରିଚୟ ଦିଅ ।

   ହନୁମାନ ଭଗବାନ ରାମଙ୍କର ଭକ୍ତ ଏବଂ ଶକ୍ତିରେ ଭୀମଙ୍କର ବଡ଼ଭାଇ ବୋଲି ନିଜର ପରିଚୟ ଦେଇଥିଲେ ଏବଂ ଭୀମଙ୍କଠାରୁ ପାଣ୍ଡବମାନଙ୍କର ବନବାସର ବୃତ୍ତାନ୍ତ ଶୁଣି କହିଲେ, ଆଗାମୀ ଦିନରେ ଯେଉଁ ଯୁଦ୍ଧ ହେବ ସେଥିରେ ମୁଁ ଅର୍ଜୁନଙ୍କର ରଥର ଧ୍ବଜାରେ ରହିବି ଏବଂ ମୋର ହୁଙ୍କାରରେ ଶତ୍ରୁପକ୍ଷ ସୈନ୍ୟମାନେ ହୀନବଳ ହୋଇ ପଡିବେ । ମୋର ଉପସ୍ଥିତି ଚାରିଯୁଗରେ ରହିଛି ବୋଲି ଜାଣ । ଏହାପରେ ହନୁମାନ ପୁଚ୍ଛ ହଟାଇ ନେଇଥିଲେ ଏବଂ ଭୀମଙ୍କୁ ଆର୍ଶୀବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ତେଣୁ ଅର୍ଜୁନଙ୍କ ରଥର ନାମହେଲା ‘ କପିଧ୍ଵଜ ‘ । ମହାଭାରତ ଯୁଦ୍ଧର ଅବସାନ ପରେ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ହସ୍ତିନାପୁରର ସିଂହାସନରେ ଅଧିଷ୍ଠିତ କରି ଦ୍ବାରକା ଫେରିଗଲେ ।।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର

Related posts

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା ଚିଠି

ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ବେଳେ ତଳେ ପଡି ବୃଦ୍ଧ ଗୁରୁତର 

Sunil Chandra Nayak

Leave a Comment

error: Content is protected !!