ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନବିଭାଗରେ ମହାଦୁର୍ନୀତି  ସରକାରୀ ଅନୁଦାନ ଲୁଟ ପାଇଁ ଅଜବ କାରସାଦି  ମଲା ଗଛରେ ପାଣି ଦେଉଛି ବନବିଭାଗ 

ବନବିଭାଗରେ ମହାଦୁର୍ନୀତି 

ସରକାରୀ ଅନୁଦାନ ଲୁଟ ପାଇଁ ଅଜବ କାରସାଦି 
ମଲା ଗଛରେ ପାଣି ଦେଉଛି ବନବିଭାଗ 
-କାମ ବନ୍ଦ କଲେ ବନ ସୁରକ୍ଷା ସମିତିର କର୍ମକର୍ତ୍ତା 
-ଅଭିଯୋଗ କଲେ ଧମକ ଦେଉଛନ୍ତି ବନାଞ୍ଚଳ ଅଧିକାରୀ 

ଲାଞ୍ଜିଗଡ଼,୩୧/୦୩(ମନିସ )-ସାଇନବୋର୍ଡରେ ଲେଖାଯାଇଛି ୨୫ ହେକ୍ଟର ଜଙ୍ଗଲରେ କାମ୍ପା ଯୋଜନାରେ ହୋଇଛି ବୃକ୍ଷରୋପଣ। ଲଗାଯାଇଛି ୧୨ ହଜାର ୫୦୦ ଚାରାଗଛ। ଆଉ ଗଛଗୁଡିକୁ ବଞ୍ଚାଇବାକୁ ଟ୍ୟାଙ୍କର ଲଗାଇ ଦିଆଯାଉଛି ପାଣି। ଏପରି କହୁଛି ବନବିଭାଗ। କିନ୍ତୁ ପାଖରୁ ଦେଖିଲେ ସବୁ ଓଲଟା। କାରଣ ବୋର୍ଡରେ ଯାହା ଲେଖାଯାଇଛି ତାହା ସତ ନୁହେଁ। ୧୨ ହଜାର ୫୦୦ ଗଛ ଲାଗିଥିବା ଜାଗାରେ ଦଶଟି ଗଛ ବି ଦେଖିବା ମୁସ୍କିଲ। ଯେଉଁ ଜଙ୍ଗଲରେ ଦଶଟି ଗଛ ବି ଦେଖିବାକୁ ମିଳୁନି, ସେଇଠି ବୋର୍ଡ କହୁଛି ୨୫ ହେକ୍ଟର ଜଙ୍ଗଲରେ ଗଛ ଲଗାଯାଇଛି ବୋଲି। କେବଳ ସେତିକି ନୁହେଁ, ମଲା ଗଛ ଗୁଡ଼ିକରେ ଟ୍ୟାଙ୍କର ଲଗାଇ ଦିଆଯାଉଛି ପାଣି। ଦୁଇଦିନ ହେଲା ମଲା ଗଛରେ ଟ୍ୟାଙ୍କର ଲଗାଇ ପାଣି ଦିଆଯାଉଥିବାବେଳେ ଆଜି ଏହାକୁ ବିରୋଧ କରିଛନ୍ତି ବନ ସୁରକ୍ଷା ସମିତିର କର୍ମକର୍ତ୍ତା। ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ତଥା ସିକେରକୁପା ସେକ୍ସନ, ପାଣିମୁଣ୍ଡା ବିଟ ରାମଚନ୍ଦ୍ରପୁର ଗ୍ରାମ୍ୟ ଜଙ୍ଗଲରେ। ରାମଚନ୍ଦ୍ରପୁର ଗ୍ରାମ୍ୟ ଜଙ୍ଗଲରେ କାମ୍ପା ଯୋଜନାରେ ଗଛ ଲାଗିଛି ବୋଲି ବନବିଭାଗ କହୁଥିବାବେଳେ ସେଇ ୨୫ ହେକ୍ଟର ଅଞ୍ଚଳରେ ପଚିଶଟି ବି ଗଛ ନାହିଁ। ସେହିପରି ସପ୍ତାହେ ପୂର୍ବରୁ ବନବିଭାଗର ଅବହେଳା ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଏବେ ସେଇ ନିଆଁକୁ ବାହାନା କରୁଛି ବନବିଭାଗ। ସରକାରୀ ଅନୁଦାନକୁ ଲୁଟ କରିବାକୁ ଏଇ ବାହାନାରେ ମଲାଗଛରେ ପାଣି ଦିଆଯାଉଥିବା ଦେଖି ବିରୋଧ କରିଛନ୍ତି ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ଗ୍ରାମବାସୀ। ତେବେ ଲୋକଙ୍କ ବିରୋଧ ପରେ ନିଜ କାରସାଦି ଧରା ପଡିଯିବା ଭୟରେ ଅଭିଯୋଗକାରୀଙ୍କୁ ଧମକ ଦେଇଛନ୍ତି ବନାଞ୍ଚଳ ଅଧିକାରୀ। ଏପରିକି ସାଧାରଣ ଲୋକଙ୍କୁ ପୁଲିସ କେସର ଭୟ ଦେଖାଇଛନ୍ତି ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ସୂଚନାନୁଯାୟୀ, ଯେଉଁ ଜଙ୍ଗଲକୁ ନେଇ ଲୋକେ ବନବିଭାଗ ନାଁରେ ଅଭିଯୋଗ କରୁଛନ୍ତି ସେଇ ଜଙ୍ଗଲରେ କେବଳ କାମ୍ପା ଯୋଜନାର ବୋର୍ଡ ଲାଗିଛି ସତ କିନ୍ତୁ ମନରେଗା ସମେତ ଅନ୍ୟ ଯୋଜନାରେ ମଧ୍ୟ ବୃକ୍ଷରୋପଣ, ପରିଚାଳନା କରାଯାଇଥିବା ଦର୍ଶାଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହେଉଛି। ସେହିପରି ଜଙ୍ଗଲ ନିଆଁ ରୋକିବାକୁ ଆଉ ସଚେତନ କରିବାକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସୁଥିବାବେଳେ ସେସବୁକୁ ଚଳୁ କରିଦେଇଛନ୍ତି ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ। ଏବେ ଲୋକଙ୍କ ଆଗରେ ଚୋରି ଧରା ପଡିଯିବା ପରେ ସେମାନେ ଧମକ ଚମକ ଦେବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ୁଥିବାବେଳେ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ସ୍ଥାନିୟ ଲୋକେ ଏହି ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଫରେଷ୍ଟ ଗାର୍ଡ ଶାନ୍ତି ପାଢୀଙ୍କୁ ପଚାରିବାରୁ ମୁଁ କିଛି ଜାଣିନି, ଉପରିସ୍ଥ ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଥିବାବେଳେ ଫରେଷ୍ଟର ଭାଗିରଥୀ ନାଏକଙ୍କୁ ପଚାରିବାରୁ, ଲୋକେ ଯାହା କରୁଛନ୍ତି କରନ୍ତୁ, ଆମକୁ ଫରକ ପଡ଼ିବନି ବୋଲି ରୋକଠୋକ ଶୁଣାଇଦେଇଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!