OSWASରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତିନି ଜଣ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ
ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କହିଲେ – “OSWAS ସୁଶାସନର ଏକ ଶକ୍ତିଶାଳୀ ମାଧ୍ୟମ”
ନବରଙ୍ଗପୁର:(ତା. ୦୧.୦୮.୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଆଜି OSWAS (Odisha Secretariat Workflow Automation System)ରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ ବର୍ମାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ।OSWAS ହେଉଛି ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଇ-ଗଭର୍ଣାନ୍ସ ପ୍ଲାଟଫର୍ମ, ଯାହା ମାଧ୍ୟମରେ ସରକାରୀ ଫାଇଲର ଅନଲାଇନ୍ ପରିଚାଳନା, ଶୀଘ୍ର ନିଷ୍ପତ୍ତି, ସମୟବଦ୍ଧ ସେବା ପ୍ରଦାନ ଏବଂ ପ୍ରଶାସନରେ ସ୍ୱଚ୍ଛତା ଓ ଦକ୍ଷତାକୁ ସୁନିଶ୍ଚିତ କରାଯାଉଛି। ଜୁଲାଇ–୨୦୨୬ ମାସରେ OSWASରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିବା ତିନି ଜଣ ଅଧିକାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ସମ୍ମାନୀତ ଅଧିକାରୀ ମାନେ ହେଲେ – ପ୍ରଥମ ସ୍ଥାନ: ମିସ୍ ସମିନା ଆଖତାରୀ, ଡେପୁଟି କଲେକ୍ଟର (ପ୍ରତିଷ୍ଠାନ)- ଦ୍ୱିତୀୟ ସ୍ଥାନ: ଶ୍ରୀ ପାଲକା ରବୀନ୍ଦ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ନବରଙ୍ଗପୁର- ତୃତୀୟ ସ୍ଥାନ: ଶ୍ରୀମତୀ ଗୀତାଞ୍ଜଳି ବେହେରା, ଡେପୁଟି କଲେକ୍ଟର (ରାଜସ୍ୱ)ସମ୍ମାନ ପ୍ରଦାନ ପରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, “OSWAS କେବଳ ଏକ ସଫ୍ଟୱେୟାର ନୁହେଁ, ଏହା ସୁଶାସନ, ସ୍ୱଚ୍ଛତା ଓ ଦକ୍ଷ ପ୍ରଶାସନର ଏକ ଶକ୍ତିଶାଳୀ ମାଧ୍ୟମ। ଫାଇଲର ଦ୍ରୁତ ନିଷ୍ପତ୍ତି ହେଲେ ସାଧାରଣ ଜନତାଙ୍କ କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହୋଇପାରିବ। ଆଜି ସମ୍ମାନିତ ହୋଇଥିବା ଅଧିକାରୀମାନେ ନିଷ୍ଠା, ଦାୟିତ୍ୱବୋଧ ଓ କର୍ମଦକ୍ଷତାର ଉତ୍କୃଷ୍ଟ ପରିଚୟ ଦେଇଛନ୍ତି। ଅନ୍ୟ ସମସ୍ତ ଅଧିକାରୀ ମଧ୍ୟ ସେମାନଙ୍କୁ ଅନୁସରଣ କରି OSWASରେ ଉନ୍ନତ ପ୍ରଦର୍ଶନ କରିବେ ବୋଲି ମୋର ଆଶା। ସମସ୍ତଙ୍କ ସମନ୍ୱିତ ପ୍ରୟାସରେ ନବରଙ୍ଗପୁର ଜିଲ୍ଲାକୁ OSWAS କାର୍ଯ୍ୟଦକ୍ଷତାରେ ରାଜ୍ୟର ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯାଇପାରିବ।”ଜିଲ୍ଲାପାଳ ଆହୁରି ସୂଚନା ଦେଇଥିଲେ ଯେ, OSWASରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ଉତ୍ସାହିତ କରିବା ପାଇଁ ପ୍ରତି ମାସରେ ପ୍ରଦର୍ଶନର ସମୀକ୍ଷା କରାଯିବ ଏବଂ ଶ୍ରେଷ୍ଠ ତିନି ଜଣ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ। ଏହା ଦ୍ୱାରା କର୍ମଚାରୀମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହ କାର୍ଯ୍ୟ ସଂସ୍କୃତିରେ ଅଧିକ ଉତ୍କର୍ଷ ଆସିବ ବୋଲି ସେ ମତ ପ୍ରକାଶ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ସମ୍ମାନିତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ବିଭାଗ ଓ ଶାଖାକୁ OSWAS ମାଧ୍ୟମରେ ପେଣ୍ଡିଂ ଫାଇଲ ସଂଖ୍ୟାକୁ ଶୂନ୍ୟକୁ ଆଣିବା, ସମୟବଦ୍ଧ ଭାବେ ଫାଇଲ ନିଷ୍ପତ୍ତି କରିବା ଏବଂ ସାଧାରଣ ଜନତାଙ୍କୁ ଉନ୍ନତମାନର ପ୍ରଶାସନିକ ସେବା ପ୍ରଦାନ କରିବା ପାଇଁ ଆହ୍ୱାନ ଜଣାଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମ୍ମାନିତ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ ଓ ଗମ୍ଭୀର ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

