ମହାବାହୁ
ଆହେ ମହାବାହୁ ତୁମେ ଥାଉଥାଉ
ଏ ଜନମ ଦୁଃଖୀ ପାଉଛି ଦୁଃଖ
ସୁଖୀ ପାଇଁ ସୁଖ ଯାଚିକି ଦେଉଛ
କିବିଚାର ତୁମ କଳାଶ୍ରୀ ମୁଖ ।0।
କାହାକୁ ତାରିଛ କାହାକୁ ମାରିଛ
ସବୁତୁମ ଖେଳ ଏହି ଜଗତେ
ଆହେ ଦୀନବନ୍ଧୁ ଦରିଦ୍ରର ବନ୍ଧୁ
କାହିଁକି କନ୍ଦାଇ ମାରୁଛ ମତେ ,
ସୁଖ ଟିକେ ପାଇଁ ରହିଛି ଅନେଇ
ପାଦପଦ୍ମ ଧ୍ୟାୟୀ ପଙ୍କଜ ମୁଖ
ଆହେ ମହାବାହୁ ତୁମେ ଥାଉଥାଉ
ଏ ଜନମ ଦୁଃଖୀ ପାଉଛି ଦୁଃଖ ।1।
ତାରିଲେ ତାରିବ ମାରିଲେ ମାରିବ
ତୁମକୁ ଭରସା କରିଛି ଦୀନ
ଚରଣେ ଶରଣ ମାଗେ ଅକିଞ୍ଚନ
ଦେବନି ଦୁରେଇ ଚକା ନୟନ
କରୁଣା ସାଗର ଦୁଃଖୀ ଦୁଃଖ ହର
ବିପଦ ଆପଦେ କଳାଶ୍ରୀ ମୁଖ
ଆହେ ମହାବାହୁ ତୁମେ ଥାଉଥାଉ
ଏ ଜନମ ଦୁଃଖୀ ପାଉଛି ଦୁଃଖ ।2।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର