ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ

ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ

ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ, 
କଲେଜ୍‌ରେ ଏକ ନୂଆ ‘ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ’ ଖୋଲିବ – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 
ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜର ଅବଦାନ ଅତୁଳନୀୟ
ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ୩ ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୭ ମଇ ୨୦୨୫ // ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେଠାରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍‌ରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ (Homoeopathic Research & Analysis Department) ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍ଘାଟନ ମଧ୍ୟ କରିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଓଡିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ। ଏହି କଲେଜ୍ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜ୍। ହୋମିଓପାଥିକ୍ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ କାହିଁକି, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି ଏବଂ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି। 

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେଯେ, ଏହି ମହାବିଦ୍ୟାଳୟର ଏକ ବିଶେଷତ୍ୱ ହେଉଛି ଯେ, ଏହା ଏକ ହୋମିଓପାଥିକ ଔଷଧ ତିଆରି କାରଖାନା ପରିଚାଳନା କରୁଛି। ଏଥିରୁ ପ୍ରସ୍ତୁତି ଔଷଧ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି। ଏହା ନିଶ୍ଚିତ ଭାବେ ଖୁବ୍ ପ୍ରଶଂସାଯୋଗ୍ୟ।

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରିଚାଲିଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ଯେ, ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ ହୋମିଓପାଥିକ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ପରିଚାଳିତ । ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ୍ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଅଛି। ଏହା ସହିତ ୫୬୨ ଟି ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ମଧ୍ୟ ଅଛି।

ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ତିନୋଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଥିଲେ। 

ସେ ପୁଣି କହିଥିଲେଯେ, ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୨୩ ହଜାର ୬୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ରାଜ୍ୟ ବଜେଟ୍‌ର ୮ ପ୍ରତିଶତରୁ ଅଧିକ । ଏଥିରୁ ଆପଣ ମାନେ ଅନୁମାନ କରିପାରୁଥିବେ ଯେ ଆମେ ସ୍ୱାସ୍ଥ୍ୟକ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛୁ। ଆମ ସରକାର ଆସିବା ପରେ ଏହାକୁ ଓଡିଶାରେ କାର୍ଯ୍ୟକାରୀ କଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଦ୍ୱାରା ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇ ପାରୁଛନ୍ତି। 

କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥିକ ଚିକିତ୍ସା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ରଛାତ୍ରୀ ମାନେ ଏହି ପ୍ରାମାଣିକ ଚିକିତ୍ସା ପଦ୍ଧତିକୁ ଆହୁରି ଜନାଭିମୁଖୀ କରିଛନ୍ତି। ଓଡିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଡବଲ ଇଞ୍ଜିନ ସରକାର ଜୋରଦାର୍ ଉଦ୍ୟମ ଆରମ୍ଭ କରିଛନ୍ତି। ତେଣୁ, ଏ କ୍ଷେତ୍ରରେ ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବୁ ବୋଲି ମୋର ଦୃଢ ବିଶ୍ୱାସ। 

ଉତ୍କ କାର୍ଯ୍ୟକ୍ରମରେ ବିଧାୟକ, ଏକାମ୍ର ଭୁବନେଶ୍ୱର ଶ୍ରୀଯୁକ୍ତ ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଅଶ୍ୱଥି ଏସ, ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର, ମୁଖ୍ୟବକ୍ତା, ଡକ୍ଟର ଏଲ୍‌. କେ. ନନ୍ଦ ମଂଚାସୀନ ଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ପୁଷ୍ପାଞ୍ଜଳି ପାତ୍ର ସ୍ଵାଗତ ଭାଷଣ ଦେଇଥିଲେ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଶ୍ରୀ ଲିପକ ମହାପାତ୍ର ବିବରଣୀ ପାଠ କରିଥିଲେ ଏବଂ ଛାତ୍ର ସଂସଦର ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ଦର୍ଶନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

ଅବହେଳିତ ନବରଙ୍ଗପୁର ଜିଲ୍ଲା : ସ୍ନାତକୋତ୍ତର ଶ୍ରେଣୀ ଗୋଟିଏ ବି ନାହିଁ ଉଦ୍ୟମ ମଧ୍ୟ ନାହିଁ

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳାକୁ ନେଇ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!