ଅପରେସନ ସିନ୍ଦୂର ରେ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ
ଖଇରା,୧୧/୫/୨୫ – ସମସ୍ତ ମଣିଷର ଏକ ରୁଚି ଥାଏ ଆଉ ଏ ରୁଚି ପିଲା ଦିନରୁ ଜଣାପଡି ଥାଏ । ପିଲା ମାନେ ପିଲାଦିନରୁ ଡାକ୍ତର, ଇଞ୍ଜିନିୟର, ପୋଲିସ, ଶିକ୍ଷକ, ସନିକ ହେବାକୁ ଇଚ୍ଛା ରଖିଥାନ୍ତି । ଏଥିମଧ୍ୟରୁ ନିଃସ୍ଵାର୍ଥ ଦେଶସେବା କହିଲେ ସୈନିକ ହେବାକୁ ବୁଝାଯାଏ । ୨୦୨୧ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ସୈନିକ ତିଆରି ଏକାଡେମୀରେ ସେବେଠାରୁ ଆଜିଯାଏଁ ଅନେକ ପିଲା ପ୍ରଶିକ୍ଷଣ ନେଇଛନ୍ତି । ଶାରୀରିକ, ଲିଖିତ ପ୍ରଶିକ୍ଷଣ ସହିତ ଯୁବକ ଯୁବତୀ ମାନଙ୍କୁ ମାନସିକ ଶଶକ୍ତ କରିବାରେ ଏକାଡେମୀର ଶିକ୍ଷକ ମାନେ କୌଣସି ଉଣା କରି ନାହାନ୍ତି । ସୈନିକ ହେବାପରେ ଯେଉଁ ପ୍ରଶିକ୍ଷଣ ମିଳେ ତାହା ଏହି ଏକାଡେମୀରୁ ମିଳିଥାଏ ବୋଲି ସମସ୍ତେ ଜାଣନ୍ତି । ଚାରି ବର୍ଷ ମଧ୍ୟରେ ଏକାଡେମୀରୁ ଚାଳିଶରୁ ଉର୍ଦ୍ଧ ପିଲା ସେନା ବାହିନୀ ତଥା ପୋଲିସରେ ଯୋଗ ଦେଲେଣି । ସମ୍ପ୍ରତି ପରିସ୍ଥିତିରେ ଜମ୍ମୁକଶ୍ମୀର ଠୁ ନେଇ ଗୁଜୁରାଟ ସୀମାରେ ପାକିସ୍ଥାନ ସହିତ ଯୁଦ୍ଧ ସଙ୍କଟ ମାଡ଼ି ରହିଛି । ମଇ ୭ ତାରିଖରୁ ନେଇ ମଇ ୧୦ ତାରିଖ ଯାଏଁ ପ୍ରବଳ ଉତ୍ତେଜନା ଥିବାବେଳେ ଏବେ ଯୁଦ୍ଧ ବିରାମ ହୋଇଛି । ପାକିସ୍ତାନର ସବୁ ମିଶାଇଲ, ଡ୍ରୋନ, ଜେଟ ସବୁକୁ ଭାରତର ସେନା ନିଷ୍କ୍ରିୟ କରିଦେଇଛି । ଏହି ସମୟରେ କଳିଙ୍ଗ ଉତ୍କଳ ଏକାଡେମୀର ଉସ୍ତାଦ ଅମୂଲ୍ୟ ରଞ୍ଜନ ବିନ୍ଧାଣି, ଛାତ୍ର ପ୍ରଦୀପ କୁମାର ସାହୁ, ଦିଲ୍ଲୀପ କୁମାର, ମାନସ ରଞ୍ଜନ ବିନ୍ଧାଣି, ପ୍ରଦୀପ କୁମାର ରାଉତ, ଆର ଏସ ରଞ୍ଜନ, କାହୁଁ ଚରଣ ଦେହୁରୀ ଲଦାଖରୁ ନେଇ ଗୁଜରାଟ ଯାଏଁ ମୁତୟନ ଅଛନ୍ତି । ସମସ୍ତେ ପ୍ରତ୍ୟକ୍ଷ ଭାବରେ ଏହି ଅପରେସନ ସିନ୍ଦୂରରେ ନିୟୋଜିତ ଅଛନ୍ତି । ବାକି ଆଜିଯାଏଁ ପ୍ରଶିକ୍ଷଣ ନେଇଥିବା ଓ ଚାକିରୀ କରି ନଥିବା ଯୁବକ ଯୁବତୀ ମାନେ ସିଭିଲ ଡିଫେନ୍ସ ଭାବେ ଯୋଗ ଦେବାକୁ ପ୍ରସ୍ତୁତ ବୋଲି ଏକାଡେମୀର ସଭାପତି ପ୍ରୀତି ମଞ୍ଜରୀ ମହାନ୍ତି ଓ ସମ୍ପାଦକ ମଧୁସ୍ମିତା ବିନ୍ଧାଣି କହିଛନ୍ତି । ମହିଳା ମାନଙ୍କ ଦ୍ଵାରା ନିର୍ମିତ ଏହି ଏକାଡେମୀର ଛାତ୍ରଛାତ୍ରୀ ମାନେ ପହଲଗାଁରେ ନିଜ ସିନ୍ଦୂର ହରାଇଥିବା ମହିଳା ମାନଙ୍କ ପ୍ରତିଶୋଧ ନେଉଥିବାରୁ ଏକାଡେମୀର କୋଷାଧ୍ୟକ୍ଷ ଆରତୀ ପ୍ରଧାନ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି କହିଛନ୍ତି । ଦେଶକୁ ଆଗକୁ ଅନେକ ବାହାଦୁର ସୈନିକ ଦେବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରଶିକ୍ଷକ ପ୍ରମୋଦ କୁମାର ସେଠୀ କହିଛନ୍ତି । ସୂଚନା ଯୋଗ୍ୟକି ଏବେ ଯୁଦ୍ଧବିରାମ ହୋଇଛି ସତ କିନ୍ତୁ ପରିବେଶ ଏବେବି ଅଶାନ୍ତ ରହିଛି ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

