ଦକ୍ଷିଣ ରାଉରକେଲାରେ ବିଧାୟକଙ୍କ ସ୍କୁଲ ପରିଦର୍ଶନ, ବିଭିନ୍ନ ସମସ୍ୟା ନେଇ ଆଲୋଚନା
ରାଉରକେଲା :. ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଦକ୍ଷିଣ ରାଉରକେଲା ଅଞ୍ଚଳରେ ପହଞ୍ଚି ପ୍ରଥମେ ତାରାପୁର ୟୁ ପି ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରା ଯାଇ ଥିଲା । ତାରାପୁର ସ୍କୁଲରେ ଲାଗି ରହି ଥିବା ବିଭିନ୍ନ ସମସ୍ୟା – ଶିକ୍ଷକ ଅଭାବ, ଶ୍ରେଣୀ ଗୃହ ଅଭାବକୁ ବିଶେଷ ଫୋକସ୍ କରିଥିଲେ ସ୍ଥାନୀୟ ଜନସାଧାରଣ ତଥା ସ୍କୁଲର ଅଭିଭାବକ ମାନେ। ବିଧାୟକ ଶ୍ରୀ ତନ୍ତୀ ପ୍ରଥମେ ଉପସ୍ଥିତ ଅଭିଭାବକ ମାନଙ୍କ ସହିତ
ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ତାପରେ ଶିକ୍ଷୟତ୍ରୀ ମାନଙ୍କ ସହ ବୁଲି ଶ୍ରେଣୀ ଗୃହ ବୁଲି ଦେଖିବା ପରେ ବିଦ୍ୟାର୍ଥୀ ମାନଙ୍କ ସହ ସୁବିଧା ଅସୁବିଧା ଉପରେ କଥାବାର୍ତ୍ତା କରିଥିଲେ । ଏଠାରେ ପ୍ରଥମରୁ ଅଷ୍ଟମ ଯାଏ ପିଲା ପାଠ ପଢ଼ୁ ଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷୟତ୍ରୀ ଓ ଜଣେ ଡେପୁଟେସନ୍ ରେ ଅଛନ୍ତି । ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି । ଯଦି ଦେହ ଅସୁସ୍ଥ କିମ୍ବା ଜଣେ ଛୁଟି ନେଲେ ମାତ୍ର ଦୁଇ ଜଣ ଶିକ୍ଷୟତ୍ରୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଉଛନ୍ତି । ଶ୍ରେଣୀଗୃହ ଗୁଡ଼ିକର ଛାତରୁ ପ୍ଲାଷ୍ଟର ଖସୁଛି, କାନ୍ଥ ଫାଟିଛି । ପିଲାମାନେ ମଧ୍ୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଖୁବ୍ ଶୀଘ୍ର ସ୍କୁଲ୍ ପରିସରରେ ନୂଆ ବିଲ୍ଡିଂ ସହିତ ଉପଯୁକ୍ତ ଶିକ୍ଷକ ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ଅଭିଭାବକମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଭାବକଙ୍କ ପକ୍ଷରୁ ଏକ ଦାବି ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଏ ବିଷୟରେ ବିଧାୟକ ଅବଗତ ହେବାପରେ ସେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ସ୍ଥାନୀୟ ଜନସାଧାରଣ ମାନେ ଦକ୍ଷିଣ ରାଉରକେଲା ଅଞ୍ଚଳରେ ରାସ୍ତା ଘାଟର ଅବସ୍ଥା ସହିତ ଅଳିଆ ଆବର୍ଜନା ଦୀର୍ଘ ଦିନ ଧରି ପଡ଼ିରହି ଥିବା ପ୍ରକାଶ କରିଥିଲେ। ତାରାପୁର ନୂଆ ଗେଟ୍ ଠାରୁ ଲାଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା ଖରାପ ହୋଇ ଥିବା ବେଳେ ଲକ୍ଷ୍ମୀ ମାର୍କେଟ, ଫିଲଟର ହାଉସ ,ତାରାପୁର ନୂଆଗେଟ,ଲାଲ ଟାଙ୍କି, ଅଟୋ କଲୋନୀ, ମଡର୍ନ ଇଣ୍ଡିଆ, ଟାଙ୍ଗରାପାଲି, ରାସ୍ତା ପାର୍ଶ୍ଵରେ କୁଢ଼ କୁଢ଼ ଅଳିଆ ଦୀର୍ଘ ଦିନ ଧରି ପଡ଼ିରହିଛି ବୋଲି ସ୍ଥାନୀୟ ଅଂଚଳବାସୀ ବିଧାୟକଙ୍କୁ କହିଥିଲେ। ସ୍କୁଲର କାର୍ଯ୍ୟବାହୀ ପ୍ରଧାନ ଶିକ୍ଷୟତ୍ରୀ ଅମୀୟମୟୀ ରାଉଳ, ଶିକ୍ଷୟତ୍ରୀ ଦମୟନ୍ତୀ ସ୍ୱାଇଁ ଏବଂ ଅଭିଭାବକ ପ୍ରତିନିଧି ବାସନ୍ତୀ ରେଡ୍ଡୀ ଓ ନିଗମାନନ୍ଦ ଦାସ ସ୍କୁଲର ବିବିଧ ସମସ୍ୟା ନେଇ ବିଧାୟକଙ୍କ ସହିତ ଆଲୋଚନା କରିଥିବା ବେଳେ ବିଜେପି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ମୁରଲୀ ଗୌଡ଼, ଅଜୟ କଂସାରୀ,ମଣ୍ଡଳ ସଭାପତି ପ୍ରତାପ ପଟ୍ଟନାୟକ, ମଣ୍ଡଳ ଉପସଭାପତି ବାସୁଦେବ ନାଥ, ଗଜେନ୍ଦ୍ର ଦେ, ପ୍ରତାପ ପ୍ରହରାଜ, ଆର ଏନ୍ ପଣ୍ଡା, ଅମୂଲ୍ୟ ସେଠୀ, କୁନ୍ତିବାଲା ପଣ୍ଡା ପ୍ରମୁଖ ଉପସ୍ଥିତ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

