ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର, ମିଳି ପାରିଲା ନାହିଁ ଆମ୍ୱୁଲେନ୍ସ୍ ସେବା
ରୁପ୍ରା, ୧୭/୮ (ଅଜୟ ସେନାପତି ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ରୁ ପଲମକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ବେଙ୍ଗପୁଜା ଛକ ନିକଟରେ ବାଇକ୍ ନଂ OD08S 0387 ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡି ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ‘ସମ୍ୱାଦ’ ପ୍ରତିନିଧି ଅଜୟ ସେନାପତି ଘଟଣାସ୍ଥଳରେ ପହଞ୍ଚି ୧୦୮କୁ ଫୋନ୍ କରିଥିଲେହେଁ ଆମ୍ୱୁଲେନ୍ସ୍ ସେବା ମିଳିପାରି ନଥିଲା। ଉକ୍ତ ଅଞ୍ଚଳରେ ଆମ୍ୱୁଲେନ୍ସ୍ ନଥିବା ଉତ୍ତର ମିଳିଥିଲା। ସୂଚନା ମୁତାବକ ସଦର ଥାନା ଅଧିନ ଭଙ୍ଗାବାରି ଗ୍ରାମର ସୁମନ୍ତ ରଣା (୫୦ବର୍ଷ) ନିଜ ଶଶୁର ଘର ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଶ୍ରୀପୁର୍ ଗ୍ରାମକୁ ଆସୁଥିବା ବେଳେ ମାଲପଡା ଗ୍ରାମ ନିକଟ ରାସ୍ତା ପାର୍ଶ୍ବରେ ଥିବା ଏକ ବାଇକ୍ କୁ ଧକ୍କା ଦେଇ ଫେରାର୍ ମାରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ହେଉଥିବାରୁ ରାସ୍ତାରେ ମେଟାଲ୍ ପକାଇ ଥିବାରୁ ବାଇକ୍ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। କିଛି ସମୟ ପରେ ଉକ୍ତ ଘଟଣା ସ୍ଥଳରେ ଆହତ ହୋଇଥିବା ସୁମନ୍ତଙ୍କ ଶଶୁର ମୁକୁନ୍ଦ ରଣା ମଧ୍ୟ ପହଞ୍ଚିଥିଲେ। ଠିକ୍ ସେହି ସମୟରେ ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏକ ଜରୁରୀ ବୈଠକରେ ଯୋଗଦାନ କରିବା ପାଇଁ କର୍ଲାମୁଣ୍ଡା ବ୍ଲକ୍ ଅଧିନ ଯୋରାଡୋବରା ଯାଉଥିବା ସମୟରେ ସେଠାରେ ଅଟକି ଆମ୍ୱୁଲେନ୍ସ୍ ସେବା ମିଳିପାରି ନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ନିଜସ୍ୱ ଉଦ୍ୟମରେ ଗାଡି ବ୍ୟବସ୍ଥା କରିବା ପାଇଁ ଖର୍ଚ୍ଚ ବାବଦରେ ୨ ହଜାର ଟଙ୍କା ଆହତ ସୁମନ୍ତଙ୍କ ଶଶୁର ମୁକୁନ୍ଦଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

