ପରିଣାମ
ଜ୍ୟୋତ୍ସ୍ନା ରାଣୀ ଦେବୀ
କୋଇଲି ଡାକଇ କୁହୁ ଗୋ ଫୁଲ ବଉଳବେଣୀ
ବସନ୍ତ ଆସିଲା ମଳୟ ତ ନାହିଁ ମୁହଁ ମାଡି ଶୁଏ ବୋହୂ ଲୋ ଫୁଲ ବଉଳବେଣୀ ।
ମଧୁକାଳେ ମଧୁବାସ ଲୋ ଫୁଲ ବଉଳବେଣୀ
ନାହିଁ ଆଉ ଏବେ, ଘୋର ଗିରିଷମ ବିରାଜଇ ବାରମାସ ଗୋ ଫୁଲ ବଉଳବେଣୀ ।
ଖରା ମାରେ ଟାଇଁଟାଇଁ ଗୋ ଫୁଲ ବଉଳବେଣୀ
ଝାଳନାଳ ହୋଇ ଚଷା ବାପୁଡାଟି ବସିଛି ଆକାଶେ ଚାହିଁ ଗୋ ଫୁଲ ବଉଳବେଣୀ ।
ପିଇବାକୁ ନାହିଁ ଜଳ ଗୋ ଫୁଲ ବଉଳବେଣୀ
ଜୀବଜନ୍ତୁ କୁଳ ତୃଷାରେ ମରନ୍ତି ହୁଅନ୍ତି ବଡ ଆକୁଳ ଗୋ ଫୁଲ ବଉଳବେଣୀ ।
ଝରୁଅଛି ସତେ ନିଆଁ ଗୋ ଫୁଲ ବଉଳବେଣୀ
କୃତ୍ରିମ ପବନ ଲାଗେ ବିଷମୟ ଦିଏନି ଶୀତଳଛୁଆଁ ଗୋ ଫୁଲ ବଉଳବେଣୀ ।
ମେଘ କି କରିଛି ରୋଷ ଗୋ ଫୁଲ ବଉଳବେଣୀ
ଧୂସର ଆକାଶ ନାହିଁ ନୀଳକାନ୍ତି ନାହିଁ କମନୀୟ ବେଶ ଗୋ ଫୁଲ ବଉଳବେଣୀ ।
କାହାକୁ କହିବା କିସ ଗୋ ଫୁଲ ବଉଳବେଣୀ
ନିଜ ପାଇଁ ନିଜେ ଗାଡ଼ ଖୋଳି ଆଜି ଭୋଗୁ ପରିଣାମ ବିଷ ଗୋ ଫୁଲ ବଉଳବେଣୀ ।