ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ: ପଥର ଖସିବା ପରେ ନିର୍ମାଣ କାମ ବନ୍ଦ

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ: ପଥର ଖସିବା ପରେ ନିର୍ମାଣ କାମ ବନ୍ଦ

କନ୍ଧମାଳ, ତା, ୨୨/୦୯ : (ମନିସ): କଳିଙ୍ଗା ଘାଟିରେ ସୋମବାର ପୁଣି ଅଘଟଣ । ପ୍ରବଳ ବର୍ଷା ପରେ ପୁଣି ଖସିଲା ପଥର । ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ପଥର ଖସିଲା । ପ୍ରବଳ ବର୍ଷା ଏବଂ ପଥର ଖସିବା କାରଣରୁ ବନ୍ଦ ରହିଲା ନିର୍ମାଣ କାର୍ଯ୍ଯ । ଭୁସ୍ଖଳନ ପରେ ରାସ୍ତା କାମ ଚାଲିଥିବା ବେଳେ ପୁଣି ପାହାଡ ପାଣି ଆସି ସେସବୁ ଧୋଇ ନେଲା ।ସେପଟେ ଗତ ରାତ୍ରିରେ ମଧ୍ଯ ପଥର ଖସିଥିବା ସୂଚନା ରହିଛି । ଲଗାଣ ବର୍ଷା ଫଳରେ ପୁନରୁଦ୍ଧାର କାମ ପାଇଁ ବିଛା ଯାଇଥିବା ସାମଗ୍ରୀ ପୁଣି ଧୋଇ ଯାଇଛି । ତେବେ ବର୍ଷା ବଢିଲେ ଅଘଟଣ ଘଟୁଛି । ପୁଣି ଥରେ ଅଘଟଣ ହେବା ଫଳରେ ରାଞ୍ଚି – ବିଜୟୱାଡା କରିଡ଼ର ରାସ୍ତାରେ ଗାଡି ଚଳାଚଳ ନେଇ ପୁଣି ବିଳମ୍ବ ହେବା ସମ୍ଭାବନା ଦେଖାଦେଇଛି । ଗତ ୧୬ ତାରିଖ ଅପରାହ୍ନରେ ବାଦଲଫଟା ବର୍ଷା ଯୋଗୁଁ ପରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟ ଏକ ଛୋଟ ଝରଣାରେ ଭୁସ୍ଖଳନ ଘଟି ପାହାଡ଼ ଶିଖରରୁ ବଡ଼ବଡ଼ ପଥର, ଗଛ, ମାଟି ରାସ୍ତାକୁ ଖସିବା ସହ ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ନେଇଯାଇଥିଲା। ଫଳରେ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ସମେତ କନ୍ଧମାଳ ଜିଲ୍ଲାକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଥିଲା। ୧୫୭ ନମ୍ବର ଜାତୀୟ ରାଜପଥରେ ଏହିଭଳି ଭୁସ୍ଖଳନ ଦୃଶ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ହଜେଇ ଦେଇଥିଲା। ବିଭାଗୀୟ ଅଧିକାରୀ ଯନ୍ତ୍ରୀଗଣ ଘଟଣାସ୍ଥଳରେ ପହଞ୍ଚି କିଭଳି ଏହି ରାସ୍ତା କମ ସମୟ ଭିତରେ ଯାତାୟତ ନିମନ୍ତେ ସୁବନ୍ଦୋବସ୍ତ କରାଯାଇପାରିବ ତାର ବ୍ୟବସ୍ଥା କରୁଥିବା ବେଳେ ଏବେ ପୁଣି ଥରେ ପଥର ଖସିଛି । କଳିଙ୍ଗା ଘାଟିରେ ଗତ ୧୬ ତାରିଖ ଦିନ ଘଟିଥିବା ଭୂସ୍ଖଳନ ସବୁଦିନ ପାଇଁ ମନେ ରହିବ। ପୂର୍ବରୁ ଏଠାରେ ଏତେ ବଡ଼ ଅଘଟଣ ଘଟି ନଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। 

କଳିଙ୍ଗା ଘାଟିରେ କାର୍ଯ୍ୟ କରୁଥିବା ଏକ ବାହାର ରାଜ୍ୟର ଏକ ଠିକା କମ୍ପାନି ଅଧିକାରୀଙ୍କ ସହ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଉକ୍ତ ରାସ୍ତା କାର୍ଯ୍ୟକୁ ଠିକା କମ୍ପାନି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିବା ବେଳେ ବର୍ଷା ବାଧକ ସାଜିଛି। ଠିକା କମ୍ପାନି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଘାଟିର ଡାହାଣ ପାର୍ଶ୍ଵରେ ଥିବା ପାହାଡ଼ର ପାଣିର ଦିଗ ପରିବର୍ତ୍ତନ ସହ ପଥରର କିଛି ଅଂଶକୁ ବ୍ଳାଷ୍ଟିଂ କରି ଅସ୍ଥାୟୀ ରାସ୍ତା ନିର୍ମାଣରେ ଲାଗିପଡିଥିବା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ରାସ୍ତାରୁ ସମ୍ପୂର୍ଣ୍ଣ ପଥର ମାଟି ତଳକୁ ଖସେଇବା ପରେ ବାଲି ବସ୍ତା ପକେଇ, ମାଟି ପକେଇ ସମତଳ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଉ କିଛି ଦିନ ଭିତରେ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଶେଷ ହେବା ନେଇ ଆଶା ଦେଖା ଦେଇଥିବା ବେଳେ ପୁଣି ଏକ ଅଘଟଣ ନିର୍ମାଣ କାମରେ ବାଧା ସୃଷ୍ଟି କରିଛି । 

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

masiha

ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗର ଠାରେ ସଫେଇ ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!