ସିଲିଣ୍ଡର୍ପିଛା ୫୦ ଟଙ୍କା ବଢ଼ିଲା ଘରେ ରୋଷେଇ ପାଇଁ ବ୍ୟବହୃତ ରନ୍ଧନଗ୍ୟାସ୍, ସାବୁନ, ସାମ୍ପୁ ର ବି ମୂଲ୍ୟ ବୃଦ୍ଧି
ଆନ୍ତର୍ଜାତିକସ୍ତରରେ ଇନ୍ଧନ ଦର ବୃଦ୍ଧି ପାଉଥିବାରୁ ଆଜି ଘରେ ରୋଷେଇ ପାଇଁ ବ୍ୟବହାର କରାଯାଉଥିବା ‘ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍’ (ଏଲ୍ପିଜି) ସିଲିଣ୍ଡର୍ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି।
ସେହି ଅନୁସାରେ, ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅଣରିହାତି ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଆଜିଠୁ ଟ. ୯୯୯.୫୦ରେ ବିକ୍ରୟ ହେଉଛି।ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ଆଜି ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ବୃଦ୍ଧି ସେମାନଙ୍କୁ ଚିନ୍ତିତ କରିପକାଇଛି।ଉଲ୍ଲେଖଯୋଗ୍ୟ, ଗତ ମାର୍ଚ ୨୨ ତାରିଖରେ ମଧ୍ୟ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା। କିନ୍ତୁ, ଏପ୍ରିଲ୍ ମାସରେ ‘ଏଲ୍ପିଜି’ ସିଲିଣ୍ଡର୍ ଦର ବୃଦ୍ଧି ପାଇ ନ ଥିଲା।
ଏହା ବ୍ୟତିରେକେ, ଚଳିତ ମାସ ପ୍ରାରମ୍ଭରେ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ (୧୯ କେ.ଜି.) ଦର ଟ. ୧୦୨.୫୦ ବୃଦ୍ଧି ପାଇ ଟ. ୨୩୫୫.୫୦ ହୋଇଛି। ସେଥିସହ ୫-କେଜିଆ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ମଧ୍ୟ ୬୫୫ ଟଙ୍କାକୁ ବୃଦ୍ଧି ପାଇଥିଲା।
ସେହିପରି ଏଫ୍ଏମ୍ସିଜି କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (ଏଚ୍ୟୁଏଲ୍) ସାବୁନ ଠାରୁ ଆରମ୍ଭ କରି ସାମ୍ପୁ ଆଦି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ଦାମ୍ ୨ରୁ ୧୫% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ରୁଷ-ୟୁକ୍ରେନ ଯୁଦ୍ଧ ସମେତ ଅନ୍ୟାନ୍ୟ କାରଣରୁ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲର ମୂଲ୍ୟବୃଦ୍ଧି ଯୋଗୁ କମ୍ପାନି ପର୍ସନାଲ କେୟାର ସାମଗ୍ରୀର ଦାମ ବଢ଼ାଇଛି। ଡିଷ୍ଟ୍ରିବ୍ୟୁଟରଙ୍କ ସୂଚନା ଅନୁଯାୟୀ, କମ୍ପାନି ୧୨୫ ଗ୍ରାମ୍ର ପିଅର୍ସ ସାବୁନ ଦାମ୍ରେ ୨.୩୮ ପ୍ରତିଶତ ବୃଦ୍ଧି କରିଛି। ଫଳରେ ଏହାର ମୂଲ୍ୟ ୮୬ ଟଙ୍କାରେ ପହଞ୍ଚିଛି। ସେହିଭଳି ଲକ୍ସ ସାବୁନ ଦାମ୍ କେତୋଟି ମଲ୍ଟିପ୍ୟାକ ଭାରିଆଣ୍ଟ୍ରେ ପାଖାପାଖି ୯% ବୃଦ୍ଧି ଘଟିଛି। ସନସିଲ୍କ ସାମ୍ପୁ ମୂଲ୍ୟ ବି ବୃଦ୍ଧି େହାଇଛି। ୧୦୦ ମିଲିଲିଟର ବିଶିଷ୍ଟ କ୍ଲିନିକ ପ୍ଲସ ସାମ୍ପୁ ଦାମ ୭ ଟଙ୍କା ବୃଦ୍ଧି ଘଟିଛି। ସ୍କିନ୍ କ୍ରିମ୍ ଗ୍ଲୋ ଆଣ୍ଡ୍ ଲଭ୍ଲିର ମୂଲ୍ୟ ୬ରୁ ୮% ବୃଦ୍ଧି କରାଯାଇଛି। ପଣ୍ଡ୍ସ ପାଉଡର ମୂଲ୍ୟ ମଧ୍ୟ ୫ରୁ ୭% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….