ମୋ ମାଆ ମୋ ଦୁନିଆ
ସରଗଠୁ ବଡ଼ ମମତାମୟୀ ଗୋ
ସେ ମୋ ମାଆ ମୋ ଦୁନିଆ,
ହୃଦୟରେ ଭରା ମମତା ବନ୍ଧନ
ସବୁ ଦେଇଥାଏ ମାଆ ।
ଦଶ ମାସ ଦଶ ଦିନ ଗର୍ଭେ ଧରି
ଜନମ ଦେଇଛି ମାଆ,
ଏନ୍ତୁଡ଼ିଶାଳରୁ ଲାଳନପାଳନ
ମୋ’ ଠାରେ କରିଛି ଦୟା ।
ମୋ ମାଆ ହୃଦୟ ଏତେ ଯେ ବିଶ୍ୱାଳ
ଝୁରୁଥାଇ ରାତିଦିନ,
ମାଆର ମମତା ମନେ ଜାଗି ଉଠେ
ମାଆର ସ୍ନେହ ବନ୍ଧନ ।
କୋଳେଇ କାଖେଇ ଖୁଆଇଛି ମୋତେ
ସିଏ ପରା ମୋର ମାଆ,
ତା’ ପରି ତ ଆଉ ଜଗତରେ ନାହିଁ
ସହିବାର ଗୁଣ ଯାହା ।
ନିଜ ପାଇଁ ସିଏ କରେ ନାହିଁ କିଛି
ମୁହିଁ ତ ତାହାର ମୂଲ୍ୟ,
ଆହାର ଗଣ୍ଡିକ ଯୋଗାଡ଼ କରଇ
କିଏ ସରି ହେବ ତୁଲ୍ୟ ।
ନିଜେ ଦୁଃଖ ସହି ସୁଖ ଦିଏ ମୋତେ
ମନେ ସଦା ହସି ହସି,
ତା’ର ସ୍ନେହେ ପ୍ରେମେ ଏମିତି ବାନ୍ଧେ ସେ
ଭରି ଦେଇ ମୋ’ଠି ଖୁସି ।
ମିଳେନି କା’ ପାଖେ ସେ ଅମୃତବିନ୍ଦୁ
ମାଆ ମୋ ଦିଅଇ ଯାହା,
ବିରସ ସନ୍ତାନେ ସରସ ଦାୟିନୀ
ସେ ଅମୃତମୟୀ ମାଆ ।
ମମତାମୟୀ ଗୋ ଜନ୍ମଦାତ୍ରୀ ସେ ମୋ
ତା’ ଋଣ ହେବନି ସୁଝି,
ତାହାରି ଆଶିଷ ବିନା କେହି ନାହିଁ
ଜିତେ ତ ଜୀବନେ ବାଜି ।
ହେ ଜଗତନାଥ ପ୍ରଭୁ ଜଗନ୍ନାଥ
ତୁମେ ଜଗତ ଠାକୁର,
ମାଆ ମୋ’ ଜୀବନ୍ତଠାକୁର ସାକ୍ଷାତ
ଦେବୀଙ୍କର ଅବତାର ।
ଆମ ଦେଶେ ଅଛ ଯେତେକ ସନ୍ତାନ
ମାଆଙ୍କୁ ସୁରକ୍ଷା ଦିଅ,
ମାଆ ଆଶୀର୍ବାଦେ ସୁଖକୁ ଲଭିବ
ଦୁଃଖ ନେବଟି ବିଦାୟ ।
ଶ୍ରୀ ଅଶୋକ କୁମାର ନାୟକ
ଗ୍ରାମ/ପୋଷ୍ଟ:-କେନ୍ଦୁଢି଼ପି
ବ୍ଳକ୍/ଜିଲ୍ଲା :- ନୟାଗଡ଼