ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

ରାଉରକେଲା, ୨୧ ନଭେମ୍ବର ୨୦୨୫: ରାଉରକେଲା ସହରର ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ତଥା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ଖୁବ୍ ଶୀଘ୍ର ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥି ପୂର୍ବରୁ ପ୍ରକଳ୍ପର ମାଷ୍ଟର୍ ପ୍ଳାନ୍ ଓ ସବିଶେଷ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ର ଆବଶ୍ୟକତା ଥିବାରୁ ଶୁକ୍ରବାର ରାଉରକେଲା ମହାନଗର ନିଗମ ଓ ଇକୋମେଟ୍ରିକ୍ସ କନସଲଟାଣ୍ଟସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।

ଏହି କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଂଶୀଦାରମାନଙ୍କୁ ନେଇ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଅଧ୍ୟକ୍ଷତା କରି କମିଶନର ସୁଶ୍ରୀ ଦୀନା ଦସ୍ତଗୀର୍ କହିଥିଲେ ଯେ, “ସହରୀକରଣର ଦ୍ରୁତ ଅଭିବୃଦ୍ଧି, ଜଳବାୟୁର ପରିବର୍ତ୍ତନ, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଧ୍ୟାନରେ ରଖି ସହରର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ରାଉରକେଲା ସହରରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ‘ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍’ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରକଳ୍ପର ମାଷ୍ଟର୍ ପ୍ଲାନର ମଧ୍ୟ ଆବଶ୍ୟକତା ରହିଛି। 

ସେହି ମାଷ୍ଟର୍ ପ୍ଲାନ୍ ଅନୁସାରେ ହିଁ ଡ୍ରେନ୍ ନିର୍ମାଣ କରାଯିବ। ଯାହା ଫଳରେ ଆଗାମୀ ଦିନରେ ରାଉରକେଲା ସହର ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବ। ସେଥିପାଇଁ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମାଷ୍ଟର୍ ପ୍ଲାନ୍ ଓ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବ, ସେ ଦିଗରେ ଧ୍ୟାନ ଦେବାକୁ ସ୍ୱାକ୍ଷରିତ ସଂସ୍ଥାକୁ କହିବା ସହ ଏଥିପାଇଁ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ।”

ମାଷ୍ଟର୍ ପ୍ଳାନ୍ ପ୍ରସ୍ତୁତ ନିମନ୍ତେ ସମ୍ପୃକ୍ତ ସଂସ୍ଥା ତରଫରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ସର୍ଭେ ସମୟରେ ଜନବସତି, ରାସ୍ତାଘାଟ, ରେଲୱେ ଲାଇନ୍, ପାଇପ୍ ଲାଇନ୍ ପ୍ରଭୃତିକୁ ଧ୍ୟାନ ଦିଆଯାଇ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନର ସ୍ଥାୟୀ ସମାଧାନ ସକାଶେ ଜଳବାୟୁ ପ୍ରତିରୋଧୀ ଡ୍ରେନେଜ୍ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବା ସହ ବର୍ତ୍ତମାନର ଡ୍ରେନେଜ୍ ସମସ୍ୟାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। 

ଏହି ସମନ୍ଵୟ ବୈଠକରେ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ଜଳ ସମ୍ପଦ ବିଭାଗ, ରେଳ ବିଭାଗ, ୱାଟକୋ, ପୂର୍ତ୍ତ ବିଭାଗ, ବିଏସଏନଏଲ, ଗେଲ୍, ଆରଏସପି, ଏନଆଇଟି, ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Youth Social Worker Drx.Dibyanshu Acharya awarded.

masiha

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

ମୀନା କୁମାରୀ ମୁଣ୍ଡ ଙ୍କ ପ୍ରଥମ ପ୍ରବନ୍ଧ ସଂକଳନ ‘ଅନ୍ଧପୁଟୁଳି’ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!