ସ୍ୱର୍ଗାଦପି ଗରୀୟସୀ
ମାଆ, ଯାହା ପାଇଁ ମୁଁ ଦେଖି ପାରିଅଛି
ଏହି ଦୁନିଆର ଆଲୋକକୁ,
ଯାହାର ତ୍ୟାଗ ଓ ସାମର୍ଥ୍ୟ ବଳେ ମୁଁ
ଆସିଅଛି ଏ ଧରାକୁ |
ମାଆ ପରା ସିଏ ମମତାମୟୀ
ସ୍ନେହ ଶ୍ରଦ୍ଧାର ଭଣ୍ଡାର,
ଯାହା ପାଇଁ ସଦା ସନ୍ତାନର
ହୁଏ ଜୀବନ ସୁନ୍ଦର |
କିଏ କହିଲା ସେ ଚାକିରି କରିନି, (2)
ସବୁଠାରୁ ବଡ ଚାକିରି ତାହାର
ସବୁବେଳେ ଲାଗିଥାଏ କାମ,
ଦିନେ ହେଲେ ସିଏ ଛୁଟିରେ ରୁହେନି
ନିଏନି ଟିକେ ବିଶ୍ରାମ |
ବିନା ଦରମାରେ କର୍ମ କରିଚାଲେ
କେବେ କରେନାହିଁ ପ୍ରତିବାଦ,
ଘରଲୋକଙ୍କର ଭଲପାଇବା
ତା ପାଇଁ ମୂଲ୍ୟବାନ ସମ୍ପଦ |
ମନ ଦେବାଳୟେ ମା ପରା ଦେବୀ
ଶ୍ରେଷ୍ଠ ତାର ପାଦଧୂଳି,
ଶୁଦ୍ଧପୂତ ଚିତ୍ତେ ନିଇତି ପୂଜିବା
ଦେଇ ପ୍ରେମ ସମ୍ମାନର ପୂଜାଥାଳି |
ତା ପ୍ରତିଟି କଥା ଜୀବନ ଚଲାପଥେ
ସବୁବେଳେ ଲୋଡ଼ା ହୁଏ,
ମାଆ ପରା ସିଏ ସନ୍ତାନ ଭଲ ପାଇଁ
ମଙ୍ଗଳମନାସୁ ଥାଏ |
ଦୂରେ ତାର ଗଲେ ମନ ବୁଝେନାହିଁ
ମାଆ ମନ ପରା ତାର,
ସଞ୍ଜ ସକାଳେ ସେ ଫୋନ କରୁଥାଏ
ବୁଝେ ଭଲମନ୍ଦ ଖବର |
ମାଆ ବିଷୟରେ କହୁଥିଲେ ସରିବନି
କେତେ ତତ୍ୱ ଭରିଅଛି,
ସଦା ତା’ ଖୁସିକୁ ଦେବା ଅଗ୍ରାଧିକାର
ସେ ସ୍ୱର୍ଗାଦପି ଗରୀୟସୀ |
ଅଂଶୁମାନ ସାହୁ
ଅର୍ଥନୀତି ଛାତ୍ର,
ମହର୍ଷି କଲେଜ ଅଫ ନାଚୁରାଲ ଲ’,
ଭୁବନେଶ୍ୱର |