ଉତ୍ତପ୍ତ ଧରିତ୍ରୀ
ରୌଦ୍ର ତାପେ ଗ୍ରୀଷ୍ମରେହୁଏ ଉତପ୍ତ ଧରିତ୍ରୀ
ଗ୍ରୀଷ୍ମର ପ୍ରବାହ ନେଇ,
ସାରା ବିଶ୍ୱ ଆଜି ତାତିରେ ସଢୁଛି
ଜୀବଜନ୍ତୁ କଷ୍ଟ ପାଇ l
ତାପମାତ୍ରା ଯାହା ଅତି ପରିମାଣେ
ବୃଦ୍ଧି ପାଇ ଯାଇଅଛି,
ପ୍ରଚଣ୍ଡ ରୌଦ୍ରରେ ମାନବ ସମାଜ
ତ୍ରାହି ତ୍ରାହି ଡାକୁଅଛି l
କୂପ ପୁଷ୍କରିଣୀ ହୋଇଯାଏ ଶୁଷ୍କ
ଜଳ ଶୂନ୍ୟ ଜଳାଶ୍ରୟ,
ଜଳର କଷ୍ଟରେ ଏ ସାରା ସମାଜ
ହୋଇଥାନ୍ତି ନିରାଶ୍ରୟ l
ପଶୁ ପକ୍ଷୀ ଗଣ ଗ୍ରୀଷ୍ମ ପ୍ରକୋପରୁ
ରକ୍ଷା ପାଇବାଟା କଷ୍ଟ,
ଜାଣିଶୁଣି କରି ମାନବ ସମାଜ
ଜଙ୍ଗଲକୁ କରେ ନଷ୍ଟ l
ଅଂଶୁଘାତ ହୁଏ ଜୀବନଟି ଯାଏ
ପଡ଼ିଯାଏ ହାହାକାର,
ସାବଧାନତା ହିଁ ସୁରକ୍ଷା ଯୋଗାଏ
ଅଟେ ଏହା ପ୍ରତିକାର l
ଖରା ସମୟରେ ଛାଇରେ ରହିବା
ପଦାକୁ ଗଲେ ଚପଲ,
ମୁଣ୍ଡରେ ଗାମୁଛା ସଙ୍ଗେ ନେବା ଛତା
କଳା ଚଷମାଟି ଭଲ l
ହାଲୁକା ପୋଷାକ ଦେହପାଇଁ ହିତ
ଘୋଳଦହି ସରବତ,
ପଖାଳ ତୋରାଣି ମନନିଏ କିଣି
ଖରାଦିନେ ତାହା ହିତ l
ପାନୀୟ ଜଳର ସୁବିଧା କରିବା
ସ୍ଥାନେ ସ୍ଥାନେ ରଖିଦେଇ,
ବଣ ଜଙ୍ଗଲରେ ଜଳାଶ୍ରୟ ଲୋଡ଼ା
ପଶୁ ପକ୍ଷୀ ହିତ ପାଇଁ l
ଜଙ୍ଗଲକୁ ଆମେ କରିବାନି ନଷ୍ଟ
ନେଉଥିବା ତା’ର ଯତ୍ନ,
ବହୁ ପରିମାଣେ ଗଛ ଲଗାଇଲେ
ଆମପାଇଁ ହେବ ରତ୍ନ l
ଗ୍ରୀଷ୍ମ କାଳ ଅଟେ ସଭିଙ୍କର କଷ୍ଟ
ତଥାପି ଦିଏ ଭରସା,
ଗ୍ରୀଷ୍ମର ଶେଷରେ ଆକାଶ ମେଘୁଆ
ଅଜାଡ଼ି ଦିଏ ବରଷା l
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର, ଗଞ୍ଜାମ