ଖରା
ସୁକାନ୍ତ ଖଣ୍ଡା
କାଉ ରାବ ଦେଇନି କି ରାତି ପାହିନି
ଖରା କିନ୍ତୁ ଛାତି ଆଉ ନିଶକୁ ଫୁଲେଇ
ଅଗଣାରେ ଠିଆ
ଲୁଚିଲୁଚି ଗବାକ୍ଷ ଦେଇ ମୋ ବିଛଣାରେ
ମୁଁ ଦେଖିଲି ଗୋଟେ ଏ ଅସାମାଜିକ
ବିନା ଅନୁମତିରେ ଏଠାକୁ
କେମିତି ଆସିଲା?
କେମିତି ଅଛି,କେଉଁ ଅବସ୍ଥାରେ ବା ଅଛି
ବିଲକୁଲ ବୁଝିବାର ଥିଲା।
ଲଜ୍ଜା ଓ ସଙ୍କୋଚରେ ନିରେଖିଲି
ବଡ଼ବଡ଼ ଆଖି କରି
ଅସ୍ତବ୍ଯସ୍ତ ଲୁଗା ବିଞ୍ଚି ହୋଇଥିଲା ବିଛଣାରେ
ତାକୁ ସଜାଡୁ ସଜାଡୁ ଭିଡି଼ ଧରି
ମନ ଭରି ପିଇଲା ମୋ ସାଇତା ଧନକୁ।
ଧର୍ଷଣଟା ମୋଟେ ଭଲ ନୁହଁ।
ମୁଁ ଚିତ୍କାର କରିବି କ’ଣ?
ମୋତେ ଆଣିଦେଲା
ଲକ୍ଷେ ଫଗୁଣର ଗୁମାନ
କୋଟି ପୂଣ୍ଯ ମିଳିଗଲା ପରି
ସରସର,ଢଳଢଳ ତା ହୃଦ ସମୁଦ୍ରରେ
ଯେମିତି ଦୋଳି ଖେଳିଲି
ମହା ଆନନ୍ଦରେ କିଛି ହିଁ ନ ଭାବି
ପ୍ରଥମ କି ଚିହ୍ନିଲି ଭଲ ପାଇବାର ଏ
ରଙ୍ଗ ଆଉ ଢଙ୍ଗ।
ସତରେ !
ଖରାର ଧର୍ଷଣରେ
ମୋର ସବୁ ହୋଇଗଲା
ହୋଇଗଲା ଦୀର୍ଘ ଭବିଷ୍ଯତ ପାଇଁ
ବଞ୍ଚିବାର ସୁଗମ
ବିନା ମୂଲ୍ଯରେ ନିତି ହିଁ ମରିକି ବଞ୍ଚିବା।
ଦେଖୁଦେଖୁ ତା ଗାଢ଼ ଆଲିଙ୍ଗନ ଓ
ଉଷ୍ମମାୟା ଫିଙ୍ଗିଲା ମୋ ତାଳରୁ ତଳିପା
ମୁଁ ସହି ପାରିଲି ନା ରହି ପାରିଲି
ଝାଳ ନାଳରେ ଭିଜାଇ ଦେଲା ମୋ ଅବୟବ
ଯେମିତି ଗଙ୍ଗାରେ ବୁଡୁଛି
ବୈତରଣୀରେ ଖେଳୁଛି ମନକୁ ହଜେଇ।
ତାର ଅସରନ୍ତି ବଳ ବଢି଼ଗଲା
ମୁଁ ପାକୁପାକୁ ତା କାମନା ବାଣରେ
ଭୀଷଣ ଯନ୍ତ୍ରଣା ବଢି଼ଗଲା ତ ଠେଲିଦେଲି
ହଠାତ୍ ନିଦ ଭାଙ୍ଗିଗଲା
ସକାଳର ସୌନ୍ଦର୍ଯ୍ଯ ଯଦିଓ ଝଲସି ଉଠୁଥିଲା
ହେଲେ ଝାଳ ଓ ନାଳରେ ବୁଡି଼ ଯାଇଥିଲି
ଖରାର ଏ କି କଦର୍ଯ୍ଯ କାମନା
ଦେହ ମୋର ଭୀଷଣ ଦରଜ
ଅଥଚ ସ୍ବପ୍ନର ଏ ଖରାରେ ଅନ୍ତସତ୍ତ୍ବା
କଳଙ୍କିନୀର କାଳିମା ଏ ସମାଜରେ
ଯେମିତି ଲଟକି ରହିଗଲା।