ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବିତୀୟ ଅଧ୍ଯାୟର ସାରକଥା– ୨

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବିତୀୟ ଅଧ୍ଯାୟର ସାରକଥା– ୨

     ଅର୍ଜୁନଙ୍କୁ ବିଷାଦଗ୍ରସ୍ତ ଦେଖି ଓ ଯୁଦ୍ଧ କରିବେ ନାହିଁ ଶୁଣି ଭଗବାନ ଶ୍ରୀକୃଷ୍ଣ ମୋହ ଓ କାପୁରୁଷୋଚିତ କାର୍ଯ୍ୟ ପାଇଁ ତାଙ୍କୁ ନିନ୍ଦାକଲେ । କିନ୍ତୁ ପୂଜ୍ଯଗୁରୁ ଓ ପିତାମହଙ୍କୁ ସେ କିପରି ଯୁଦ୍ଧରେ ମାରିବେ ତାହାହିଁ ତାଙ୍କର ଦୁଃଖ ଵୋଲି ଅର୍ଜୁନ ଜଣାଇଲେ ଏବଂ ପୁଣି କହିଲେ- ସାମାନ୍ଯ ରାଜ୍ଯ କ’ଣ,ଦେଵତାମାନଙ୍କର ଅଧିକାର ପାଇଲେ ବି ତାଙ୍କର ଶୋକ ନିବୃତ୍ତ ହେବନାହିଁ । ଏଣୁ ତାଙ୍କ ପକ୍ଷେରେ କ’ଣ ଶ୍ରେୟ ତାହା ତାଙ୍କୁ ଶିକ୍ଷା ଦେଵାକୁ ସେ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଲେ ।

ଶ୍ରୀକୃଷ୍ଣ ବୁଝାଇଲେ- ଆମ୍ଭେମାନେ ସମସ୍ତେ ପୂର୍ଵରୁ ଥିଲେ,ଏଵେ ଅଛୁ ଓ ଭବିଷ୍ୟତରେ ମଧ୍ଯ ଥିବୁ । ଏ ଦେହ କେବଳ ନଷ୍ଟ ହେଉଛି । ଦେହ ଜନ୍ମଲାଭ କରୁଛି ଏବଂ କୌମାର,ଯୌବନ ଓ ବାର୍ଦ୍ଧକ୍ୟ ମଧ୍ଯରେ ଗତିକରି ଶେଷରେ ତାର ବିନାଶ ହେଉଛି । ଯେପରି ମନୁଷ୍ୟମାନେ ଜୀର୍ଣ୍ଣବସ୍ତ୍ର ତ୍ଯାଗ କରି ନୂତନ ବସ୍ତ୍ର ପିନ୍ଧନ୍ତି ସେହିପରି ଏ ଦେହ ଆତ୍ମାର ଦେହାନ୍ତର ପ୍ରାପ୍ତି ହେଉଛି । ଦେହ ନଷ୍ଟ ହେଉଛି,ଆତ୍ମା କିନ୍ତୁ ଅମର । ସେହି ଆତ୍ମାକୁ କେହି ଶସ୍ତ୍ରରେ ହାଣିପାରିବେ ନାହିଁ, ଜଳ ତାକୁ ଓଦା କରିପାରିବ ନାହିଁ, ଅଗ୍ନି ତାକୁ ପୋଡି ପାରିବ ନାହିଁ ଵା ପଵନ ତାକୁ ଶୁଖାଇ ପାରିବ ନାହିଁ । ଯଦି ବି ତୁମେ ତାକୁ ନିତ୍ଯ ଜାତ ଓ ନିତ୍ଯ ମୃତ ବୋଲି ମନେ କରୁଥାଅ ତଥାପି ତୁମର ଶୋକ କରିବା ଉଚିତ ନୁହେଁ । କାରଣ ଯେ ଜନ୍ମ ହେଉଛି ସେ ନିଶ୍ଚୟ ମରିବ ଏବଂ ମୃତକର ଜନ୍ମ ମଧ୍ଯ ନିଶ୍ଚିତ ।

     ତୁମର ସ୍ବଧର୍ମ ପାଳନ କରିବା ଉଚିତ୍ । ତୁମେ କ୍ଷତ୍ରିୟ ହୋଇଥିବାରୁ ସ୍ଵତଃ ଉପସ୍ଥିତ ଏହି ଧର୍ମଯୁଦ୍ଧକୁ ତ୍ଯାଗ କରିବା ଠିକ୍ ହେଉନାହିଁ । ଯୁଦ୍ଧ ଛାଡି ପଳାଇଲେ ମହାବୀର ବୋଲି ତୁମକୁ ଯେଉଁମାନେ ଆଗରୁ ପ୍ରଶଂସା କରୁଥିଲେ ସେମାନେ ତୁମର ବହୁତ ନିନ୍ଦା କରିବେ । ତାଙ୍କର କଟୂଭାଷା ମରଣଠାରୁ ବଳିପଡିବ । ଯୁଦ୍ଧରେ ଜିତିଲେ ରାଜ୍ୟଲାଭ ହେବ,ମଲେ ସ୍ବର୍ଗକୁ ଯିବ । ସୁଖ-ଦୁଃଖ,ଲାଭ-କ୍ଷତି, ଜୟ-ପରାଜୟ ସବୁକୁ ସମାନ ମନେକରି ଭଗବାନଙ୍କର ଶରଣାପନ୍ନ ହୋଇ ନିଷ୍କାମ ଭାବରେ କର୍ମ କର । ସେହି ନିଷ୍କାମ ଭାବରେ ଯୁଦ୍ଧକରି ଶତ୍ରୁମାନଙ୍କୁ ମାରିଲେ ବି ତୁମକୁ ପାପ ଲାଗିବ ନାହିଁ । ଫଳ ଆଶା ନଥିବାରୁ କର୍ମତ୍ଯାଗ କରିବା ଉଚିତ୍ ନୁହେଁ । ତୁମର କର୍ମ କରିବାର ଅଧିକାର ଅଛି,କର୍ମଫଳରେ ଅଧିକାର ନାହିଁ । ତୁମ ଆଶାନୁରୂପ ଫଳ ପାଇବ ନାହିଁ ବୋଲି ତୁମର କର୍ମତ୍ଯାଗ କରିବା ମଧ୍ଯ ଉଚିତ୍ ନୁହେଁ । କର୍ମତ୍ଯାଗ କଲେ ତୁମେ ପାପଭାଗୀ ହେବ । କର୍ମର କୌଶଳ ତୁମକୁ ଜାଣିବାକୁ ହେବ-ଯାହା ଜାଣି ପାରିଲେ ତୁମେ କର୍ମବନ୍ଧନରୁ ମୁକ୍ତ ହେବ । ତୁମର ବୁଦ୍ଧି ବିଷୟଵାସନା ତ୍ଯାଗକରି ପରତ୍ମାଙ୍କଠାରେ ସ୍ଥିର ହେବା ଦରକାର । ତୁମର ବ୍ରହ୍ମଜ୍ଞାନ ବା ବ୍ରହ୍ମନିଷ୍ଠା ଦୃଢ ହେଲେ ବା ତୁମେ ସ୍ଥିତପ୍ରଜ୍ଞ ହୋଇପାରିଲେ ସମସ୍ତ କର୍ମ କରି ମଧ୍ଯ ତୁମେ ମୋକ୍ଷ ପଦର ଅଧିକାରୀ ହେବ ।

ଅର୍ଜୁନ ପୁଣି ପଚାରିଲେ- ହେ କେଶବ ! ସ୍ଥିତପ୍ରଜ୍ଞଙ୍କର ଲକ୍ଷଣ ଓ ସେ କିପରି ଚଳପ୍ରଚଳ ହୁଅନ୍ତି ମୋତେ ବୁଝାଇ କୁହନ୍ତୁ । ଭଗବାନ ଶ୍ରୀକୃଷ୍ଣ କହିଲେ- ଯେଉଁ ବ୍ଯକ୍ତି ମନମଧ୍ଯରେ ଥିବା ବା ମନକୁ ଆକୃଷ୍ଟ କରୁଥିବା ସମସ୍ତ କାମନା ତ୍ଯାଗକରି ସମସ୍ତ ପରିସ୍ଥିତିରେ ସନ୍ତୁଷ୍ଟ ରହନ୍ତି ସେ ସ୍ଥିତପ୍ରଜ୍ଞ । ସେ ଦୁଃଖରେ ବିଚଳିତ ହୁଅନ୍ତି ନାହିଁ କି ସୁଖରେ ଆନନ୍ଦିତ ହୁଅନ୍ତି ନାହିଁ । ଇନ୍ଦ୍ରିୟମାନେ ବଡ଼ ବଳବାନ୍ । ଇନ୍ଦ୍ରିୟର ବଶବର୍ତ୍ତୀ ହେଲେ ଯେ କୌଣସି ଗୋଟିଏ ଇନ୍ଦ୍ରିୟ ମଧ୍ଯ ବିନାଶ ସାଧନ କରିପାରେ । ଏଣୁ କେବଳ ସଂଯତେନ୍ଦ୍ରିୟ ସ୍ଥିତପ୍ରଜ୍ଞ ପୁରୁଷର ବୁଦ୍ଧି ପ୍ରତିଷ୍ଠିତ । ସେ ନିସ୍ପୃହ,ନିର୍ମମ ଓ ନିରହଂକାର ରହି ବିଚରଣ କରନ୍ତି । ତାଙ୍କର କୌଣସି ବିଷୟ ପ୍ରତି ସ୍ପୃହା ନଥାଏ । ସ୍ନେହ,ଘର,ପିଲା ଓ ସମ୍ପତ୍ତି ପ୍ରଭୃତିରେ ମମତା ନଥାଏ । ସେ ବ୍ରହ୍ମଜ୍ଞାନୀ-ଏ ଅହଂକାର ମଧ୍ଯ ନଥାଏ । ଶେଷରେ ସେ ବ୍ରହ୍ମନିର୍ବାଣ ପ୍ରାପ୍ତ ହୁଅନ୍ତି ।

     ଏ ଅଧ୍ଯାୟରେ ଭଗବାନ୍ ଶ୍ରୀକୃଷ୍ଣ ତାଙ୍କର ପ୍ରିୟଶିଷ୍ଯ ଅର୍ଜୁନଙ୍କୁ ମୁଖ୍ଯତ ଜ୍ଞାନ ବିଷୟରେ ବୁଝାଇଲେ । ଏଣୁ ଏ ଅଧ୍ଯାୟର ନାମ ସାଂଖ୍ଯଯୋଗ । ପ୍ରକୃତରେ ଗୀତାର ଅମୃତଧାରା ଏ ଅଧ୍ଯାୟରୁ ସ୍ରବିବାକୁ ଆରମ୍ଭ ହୋଇଛି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ,

ଆଳଦା, ଖଇରା, ବାଲେଶ୍ବର

 

Related posts

ନିରୁପମା ପାଣି ଙ୍କ ଗଳ୍ପ ଅନୁତପ୍ତ ଧୃତରାଷ୍ଟ୍ର

Sunil Chandra Nayak

ଜିଲ୍ଲା ଶ୍ରମ କାର୍ଯ୍ୟଲୟ ଘେରାଉ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି 

Sunil Chandra Nayak

Leave a Comment

error: Content is protected !!