ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବିତୀୟ ଅଧ୍ଯାୟର ସାରକଥା– ୨
ଅର୍ଜୁନଙ୍କୁ ବିଷାଦଗ୍ରସ୍ତ ଦେଖି ଓ ଯୁଦ୍ଧ କରିବେ ନାହିଁ ଶୁଣି ଭଗବାନ ଶ୍ରୀକୃଷ୍ଣ ମୋହ ଓ କାପୁରୁଷୋଚିତ କାର୍ଯ୍ୟ ପାଇଁ ତାଙ୍କୁ ନିନ୍ଦାକଲେ । କିନ୍ତୁ ପୂଜ୍ଯଗୁରୁ ଓ ପିତାମହଙ୍କୁ ସେ କିପରି ଯୁଦ୍ଧରେ ମାରିବେ ତାହାହିଁ ତାଙ୍କର ଦୁଃଖ ଵୋଲି ଅର୍ଜୁନ ଜଣାଇଲେ ଏବଂ ପୁଣି କହିଲେ- ସାମାନ୍ଯ ରାଜ୍ଯ କ’ଣ,ଦେଵତାମାନଙ୍କର ଅଧିକାର ପାଇଲେ ବି ତାଙ୍କର ଶୋକ ନିବୃତ୍ତ ହେବନାହିଁ । ଏଣୁ ତାଙ୍କ ପକ୍ଷେରେ କ’ଣ ଶ୍ରେୟ ତାହା ତାଙ୍କୁ ଶିକ୍ଷା ଦେଵାକୁ ସେ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଲେ ।
ଶ୍ରୀକୃଷ୍ଣ ବୁଝାଇଲେ- ଆମ୍ଭେମାନେ ସମସ୍ତେ ପୂର୍ଵରୁ ଥିଲେ,ଏଵେ ଅଛୁ ଓ ଭବିଷ୍ୟତରେ ମଧ୍ଯ ଥିବୁ । ଏ ଦେହ କେବଳ ନଷ୍ଟ ହେଉଛି । ଦେହ ଜନ୍ମଲାଭ କରୁଛି ଏବଂ କୌମାର,ଯୌବନ ଓ ବାର୍ଦ୍ଧକ୍ୟ ମଧ୍ଯରେ ଗତିକରି ଶେଷରେ ତାର ବିନାଶ ହେଉଛି । ଯେପରି ମନୁଷ୍ୟମାନେ ଜୀର୍ଣ୍ଣବସ୍ତ୍ର ତ୍ଯାଗ କରି ନୂତନ ବସ୍ତ୍ର ପିନ୍ଧନ୍ତି ସେହିପରି ଏ ଦେହ ଆତ୍ମାର ଦେହାନ୍ତର ପ୍ରାପ୍ତି ହେଉଛି । ଦେହ ନଷ୍ଟ ହେଉଛି,ଆତ୍ମା କିନ୍ତୁ ଅମର । ସେହି ଆତ୍ମାକୁ କେହି ଶସ୍ତ୍ରରେ ହାଣିପାରିବେ ନାହିଁ, ଜଳ ତାକୁ ଓଦା କରିପାରିବ ନାହିଁ, ଅଗ୍ନି ତାକୁ ପୋଡି ପାରିବ ନାହିଁ ଵା ପଵନ ତାକୁ ଶୁଖାଇ ପାରିବ ନାହିଁ । ଯଦି ବି ତୁମେ ତାକୁ ନିତ୍ଯ ଜାତ ଓ ନିତ୍ଯ ମୃତ ବୋଲି ମନେ କରୁଥାଅ ତଥାପି ତୁମର ଶୋକ କରିବା ଉଚିତ ନୁହେଁ । କାରଣ ଯେ ଜନ୍ମ ହେଉଛି ସେ ନିଶ୍ଚୟ ମରିବ ଏବଂ ମୃତକର ଜନ୍ମ ମଧ୍ଯ ନିଶ୍ଚିତ ।
ତୁମର ସ୍ବଧର୍ମ ପାଳନ କରିବା ଉଚିତ୍ । ତୁମେ କ୍ଷତ୍ରିୟ ହୋଇଥିବାରୁ ସ୍ଵତଃ ଉପସ୍ଥିତ ଏହି ଧର୍ମଯୁଦ୍ଧକୁ ତ୍ଯାଗ କରିବା ଠିକ୍ ହେଉନାହିଁ । ଯୁଦ୍ଧ ଛାଡି ପଳାଇଲେ ମହାବୀର ବୋଲି ତୁମକୁ ଯେଉଁମାନେ ଆଗରୁ ପ୍ରଶଂସା କରୁଥିଲେ ସେମାନେ ତୁମର ବହୁତ ନିନ୍ଦା କରିବେ । ତାଙ୍କର କଟୂଭାଷା ମରଣଠାରୁ ବଳିପଡିବ । ଯୁଦ୍ଧରେ ଜିତିଲେ ରାଜ୍ୟଲାଭ ହେବ,ମଲେ ସ୍ବର୍ଗକୁ ଯିବ । ସୁଖ-ଦୁଃଖ,ଲାଭ-କ୍ଷତି, ଜୟ-ପରାଜୟ ସବୁକୁ ସମାନ ମନେକରି ଭଗବାନଙ୍କର ଶରଣାପନ୍ନ ହୋଇ ନିଷ୍କାମ ଭାବରେ କର୍ମ କର । ସେହି ନିଷ୍କାମ ଭାବରେ ଯୁଦ୍ଧକରି ଶତ୍ରୁମାନଙ୍କୁ ମାରିଲେ ବି ତୁମକୁ ପାପ ଲାଗିବ ନାହିଁ । ଫଳ ଆଶା ନଥିବାରୁ କର୍ମତ୍ଯାଗ କରିବା ଉଚିତ୍ ନୁହେଁ । ତୁମର କର୍ମ କରିବାର ଅଧିକାର ଅଛି,କର୍ମଫଳରେ ଅଧିକାର ନାହିଁ । ତୁମ ଆଶାନୁରୂପ ଫଳ ପାଇବ ନାହିଁ ବୋଲି ତୁମର କର୍ମତ୍ଯାଗ କରିବା ମଧ୍ଯ ଉଚିତ୍ ନୁହେଁ । କର୍ମତ୍ଯାଗ କଲେ ତୁମେ ପାପଭାଗୀ ହେବ । କର୍ମର କୌଶଳ ତୁମକୁ ଜାଣିବାକୁ ହେବ-ଯାହା ଜାଣି ପାରିଲେ ତୁମେ କର୍ମବନ୍ଧନରୁ ମୁକ୍ତ ହେବ । ତୁମର ବୁଦ୍ଧି ବିଷୟଵାସନା ତ୍ଯାଗକରି ପରତ୍ମାଙ୍କଠାରେ ସ୍ଥିର ହେବା ଦରକାର । ତୁମର ବ୍ରହ୍ମଜ୍ଞାନ ବା ବ୍ରହ୍ମନିଷ୍ଠା ଦୃଢ ହେଲେ ବା ତୁମେ ସ୍ଥିତପ୍ରଜ୍ଞ ହୋଇପାରିଲେ ସମସ୍ତ କର୍ମ କରି ମଧ୍ଯ ତୁମେ ମୋକ୍ଷ ପଦର ଅଧିକାରୀ ହେବ ।
ଅର୍ଜୁନ ପୁଣି ପଚାରିଲେ- ହେ କେଶବ ! ସ୍ଥିତପ୍ରଜ୍ଞଙ୍କର ଲକ୍ଷଣ ଓ ସେ କିପରି ଚଳପ୍ରଚଳ ହୁଅନ୍ତି ମୋତେ ବୁଝାଇ କୁହନ୍ତୁ । ଭଗବାନ ଶ୍ରୀକୃଷ୍ଣ କହିଲେ- ଯେଉଁ ବ୍ଯକ୍ତି ମନମଧ୍ଯରେ ଥିବା ବା ମନକୁ ଆକୃଷ୍ଟ କରୁଥିବା ସମସ୍ତ କାମନା ତ୍ଯାଗକରି ସମସ୍ତ ପରିସ୍ଥିତିରେ ସନ୍ତୁଷ୍ଟ ରହନ୍ତି ସେ ସ୍ଥିତପ୍ରଜ୍ଞ । ସେ ଦୁଃଖରେ ବିଚଳିତ ହୁଅନ୍ତି ନାହିଁ କି ସୁଖରେ ଆନନ୍ଦିତ ହୁଅନ୍ତି ନାହିଁ । ଇନ୍ଦ୍ରିୟମାନେ ବଡ଼ ବଳବାନ୍ । ଇନ୍ଦ୍ରିୟର ବଶବର୍ତ୍ତୀ ହେଲେ ଯେ କୌଣସି ଗୋଟିଏ ଇନ୍ଦ୍ରିୟ ମଧ୍ଯ ବିନାଶ ସାଧନ କରିପାରେ । ଏଣୁ କେବଳ ସଂଯତେନ୍ଦ୍ରିୟ ସ୍ଥିତପ୍ରଜ୍ଞ ପୁରୁଷର ବୁଦ୍ଧି ପ୍ରତିଷ୍ଠିତ । ସେ ନିସ୍ପୃହ,ନିର୍ମମ ଓ ନିରହଂକାର ରହି ବିଚରଣ କରନ୍ତି । ତାଙ୍କର କୌଣସି ବିଷୟ ପ୍ରତି ସ୍ପୃହା ନଥାଏ । ସ୍ନେହ,ଘର,ପିଲା ଓ ସମ୍ପତ୍ତି ପ୍ରଭୃତିରେ ମମତା ନଥାଏ । ସେ ବ୍ରହ୍ମଜ୍ଞାନୀ-ଏ ଅହଂକାର ମଧ୍ଯ ନଥାଏ । ଶେଷରେ ସେ ବ୍ରହ୍ମନିର୍ବାଣ ପ୍ରାପ୍ତ ହୁଅନ୍ତି ।
ଏ ଅଧ୍ଯାୟରେ ଭଗବାନ୍ ଶ୍ରୀକୃଷ୍ଣ ତାଙ୍କର ପ୍ରିୟଶିଷ୍ଯ ଅର୍ଜୁନଙ୍କୁ ମୁଖ୍ଯତ ଜ୍ଞାନ ବିଷୟରେ ବୁଝାଇଲେ । ଏଣୁ ଏ ଅଧ୍ଯାୟର ନାମ ସାଂଖ୍ଯଯୋଗ । ପ୍ରକୃତରେ ଗୀତାର ଅମୃତଧାରା ଏ ଅଧ୍ଯାୟରୁ ସ୍ରବିବାକୁ ଆରମ୍ଭ ହୋଇଛି ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ,
ଆଳଦା, ଖଇରା, ବାଲେଶ୍ବର