ଗଛ ଲଗାଇବା କାହା ପାଇଁ
ବୁଢା ପୋତୁଥିଲା ନଡିଆ ଗଛ ଟେ
ନାତି ପଚାରିଲା ଅଜା
ଗଛ ଲଗାଉଛ କାହା ପାଇଁ କୁହ
ମନେ ମନେ ଖାଅ ଖଜା ।
ସତେକି ଫଳିବ ନଡିଆ ଗଛ ରେ
କାଲି କିବା ଦୁଇ ପୁଞ୍ଜା
ତୋଳି ଖାଇବାକୁ ବୟସ କି ଅଛି
ମରଣ ନିକଟେ ଖୋଜା ।
ନାତି କଥା ଶୁଣି ହସି ଦେଇ ଅଜା
କହିଲା ନାତିଆ ଶୁଣ
ଗଛ କି ଲଗାଏ ମୋହରି ପାଇଁ ମୁଁ
ଖାଇବାକୁ ଆଶା ପୁଣ ।
ବାପା ଜେଜେବାପା ଲଗାଇ ଥିଲେଟି
ଖାଉଅଛି ମୁହିଁ ତୋଳି
ମୁହିଁ ଲଗାଇଲେ ତୁମେ ତୁମ ପିଲା
ଖାଇବ ଲଗାଏ ଭାଳି ।
ପିଢି ପରେ ପିଢି ଗଛ ଲଗାଇଲେ
ପର ପିଢି ଭୋଗୁଥିବା
ଏଇ ଭାବନାଟି ରଖି ଆମ ମନେ
ଗଛ ଟିଏ ପୋତିଯିବା ।
ଆଜା କଥା ଶୁଣି ନାତି ମନେ ଭଣି
କହିଲା ଉତ୍ତମ କଥା
ଅଜା ଆଜି ମୋର ଆଖି ଖୋଲି ଦେଲ
କହିଲ ସୁନ୍ଦର ପ୍ରଥା ।
ଆଜି ଠାରୁ ମନେ ସଂକଳ୍ପ କରୁଛି
ଲଗାଇବି କେତେ ଗଛ
ଗଛ ଲଗାଇ ମୁଁ ପୁଣ୍ୟ ଅରଜିବି
ନ ଭାବିବି ଆଗ ପଛ ।
ସାଙ୍ଗ ସାଥୀ ମେଳ ନାତି କଲା ଠୁଳ
ଗଢିଲା ଗୋଟିଏ ଦଳ
ସବୁଜ ବାହିନୀ ନାମ ଦେଲା ତାର
ବଢାଇଲା ମନ ବଳ ।
ଲଗାଇଲା କେତେ ଜାତି ଜାତି ଗଛ
ସବୁଜ ସୁନ୍ଦର କରି
ଆଗାମୀ ପିଢି ର ସୁରକ୍ଷା ର ପାଇଁ
ଫାଙ୍କା ଯାଗା ଗଲେ ଭରି ।
ଉଦାସ ଧରଣୀ ସବୁଜିମା ଭରି
ବଢାଇଲା ଶୋଭା ଶୀରି
ପରିବେଶ ପୁଣି ହସି ଉଠୁଥିଲା
ଟାଙ୍ଗରା ଭୂମି କୁ ଚିରି ।
ଗଛ ଲତା ଭରା ପ୍ରକୃତି ସୁଷମା
ଦିନୁ ଦିନ ବଢିଗଲା
ଉତ୍ତପ୍ତ ପୃଥିବୀ ଶୀତଳ ପରଶେ
ପୂର୍ବାବସ୍ଥା ଫେରୁଥିଲା ।
ନାତି କୁ ପ୍ରଶଂସୀ ଦେଲାଟି ସାବାସୀ
କହିଲା ନାତି କୁ ଚାହିଁ
ବଝିଗଲୁ ଏବେ ଗଛ ଲଗାଇବା
ନାତିଆ ମୋ କାହା ପାଇଁ ।।
ଶ୍ଯାମା ପ୍ରସାଦ୍ ବୋଷ୍
ବେଗୁନିଁଆ , ମଲ୍ଲୀକ୍ ସାହି
ଗୋପ୍ , ପୁରୀ