ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

ରାଉରକେଲା / ରାଉରକେଲା ବିକାଶ ମଞ୍ଚ ତରଫରୁ ଚତୁର୍ଥ ଜନ ସଚେତନତା ଶିବିର କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି l ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦତ୍ତ ରାଉରକେଲା ଏବଂ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ରାଉରକେଲାରେ ଏକ ନୂଆ ରେଳ ଡିଭିଜନ ସ୍ଥାପନ କରାଇବା , ସୁପର ସ୍ପେସିଆଲଟି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଇବା, ୪ସି ଯୁକ୍ତ ବିମାନ ବନ୍ଦର ଚଳାଇବା ଆଦି ଦାବି ଗୁଡିକ ସହ ଏହି ମଞ୍ଚର ଆଭିମୁଖ୍ୟ ଓ ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ l ସମାବେଶରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ କର୍ମକର୍ତ୍ତା, ସ୍ବେଛାସେବୀ ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ, ସମାଜସେବୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ମହିଳା ସ୍ବେଛାସେବୀମାନେ ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ l ସମାଜସେବୀ ସଂଜୀବ ମହାନ୍ତି, ରେଳ ଓ ସଡ଼କ ଉପଯୋଗକାରୀ ସଂଘର ଅମୂଲ୍ୟ ଚରଣ ବରାଳ,ଆପ ପାର୍ଟି ର ରଞ୍ଜନ ଲେଙ୍କା, ସିପିଏମ ସମ୍ପାଦକ ସୁରେନ୍ଦ୍ର ଦାଶ, ଜଗଦା ସାଂସ୍କୃତିକ ପରିଷଦର ସଭାପତି ପିତାମ୍ବର ଲେଙ୍କା, ବରଟୋଲି ବିକାଶ ସମିତିର ସମ୍ପାଦକ ପ୍ରଭାତ କୁମାର ଜେନା,ବିଜେଡିର ନଗର ସଭାପତି ଗଗନ ପଣ୍ଡା , ଲିଟୁ ପୁହାଣ, ମାଇକ୍ରୋ ବିଜ୍ଞାନୀ ଗୀତାଞ୍ଜଳି ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘର କୃତିବାସ ମହାପାତ୍ର, କୋଏଲ କ୍ଲବ ର ଦିଲ୍ଲୀପ ମହାନ୍ତି, ଚକ୍ରା ବିଶୋଇ ସ୍ମୃତି ସଂସଦର ପ୍ରକାଶ ପତି ପ୍ରମୁଖ ବକ୍ତବ୍ଯ ରଖିଥିଲା ବେଳେ ଶେଷରେ କବି ତଥା ସାମ୍ବାଦିକ କୁଞ୍ଜ ବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ବକ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେବା ସହ ରାଜନୈତିକ ବିବାଦ ଭୁଲି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାଯ୍ୟରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କୁ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଥିଲେ l ବିଗତ ଦିନରେ ଜନ ସଚେତନତା ଅଭାବରୁ ଯେପରି ଇଏସଆଇସି ହସ୍ପିଟାଲ, ଆଇ ଆଇ ଏମ ମହାବିଦ୍ୟାଳୟ,ମେଲେରିଆ ଗବେଷଣା କେନ୍ଦ୍ର ଆଦି ଜିଲ୍ଲାରୁ ସ୍ଥାନାନ୍ତର ହୋଇ ଗଲା ତାହା ନିହାତି ଚିନ୍ତାର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ l ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କଳକାରଖାନା, ଖଣିଖାଦାନ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଅଫିସ, ଐତିହାସିକ ସ୍ଥଳ ଥିଲାବେଳେ ଏବଂ ସରକାରଙ୍କୁ ବହୁ ପରିମାଣରେ ରାଜସ୍ବ ଦେଉଥିଲେ ମଧ୍ୟ କୌଣସି ଆଖି ଦୃଶିଆ ଉନ୍ନତି ହେଉନାହିଁ ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ l ରାଉରକେଲା ବାସୀଙ୍କର ସୁବିଧା ପାଇଁ ଭୁବନେଶ୍ୱର ଠାରେ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଏକ ରାଉରକେଲା ଭବନ ନିର୍ମାଣ ପାଇଁ ଦାବି ହୋଇଥିଲା l ତେଣୁ ସମସ୍ତେ ରାଉରକେଲା ବିକାଶ ମଞ୍ଚର ଏଇଭଳି ଜନ ସଚେତନତା ଶିବିରର ଆୟୋଜନକୁ ପ୍ରଶଂସା କରିବା ସହ ଏହି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଏକଜୁଟ ହେବାକୁ ମତ ରଖିଥିଲେ l ପ୍ରକାଶ ଥାଉକି ରାଉରକେଲାରେ ବିମାନ ବନ୍ଦରର କାର୍ପେଟ ଏରିଆକୁ ବଢ଼ାଯାଇ ୫୬୫୫ ଫୁଟ୍ ରୁ ୬୨୭୩ ଫୁଟ କୁ ସମ୍ପ୍ରସାରଣ କରାଯାଉଛି ଯାହା ୪ସି ବିମାନ ବନ୍ଦର ପାଇଁ ଉପଯୁକ୍ତ l ଏହାଠାରୁ କମ୍ କାର୍ପେଟ ଏରିଆ ଥିବା ବିମାନ ବନ୍ଦର ଯଥା -ପୋରବନ୍ଦର – ୪୫୦୦ଫୁଟ କାଣ୍ଡଲା -୪୯୯୭ ଫୁଟ , ଡ଼ିଉ -୫୯୨୨ଫୁଟ,ମହୀଶୂର -୫୬୦୯ଫୁଟ, ପୁଡ଼ୁଚେରୀ -୫୮୦୦ଫୁଟ , ଶିଲଙ୍ଗ -୬୦୦୦ ଫୁଟ, ଜଗଦଳପୁର -୫୬୦୦ଫୁଟ ଓ ବିଳାସପୁର -୫୦୩୫ଫୁଟ ଥାଇ ୪ସି ଲାଇସେନ୍ସ ପାଇଛନ୍ତି l ଏଣୁ ରାଉରକେଲା ବିମାନବନ୍ଦରକୁ ୪ସି ଲାଇସେନ୍ସ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ l ସେହିପରି ଚକ୍ରଧରପୁର ରେଳବାଇ ଡିଭିଜନର ୮୮ ଷ୍ଟେସନରୁ ୧୮ହଜାର କୋଟି ରାଜସ୍ବ ଆଦାୟ ହେଉ ଥିଲା ବେଳେ ପ୍ରସ୍ତାବିତ ରାଉରକେଲା ରେଳବାଇ ଜୋନର ୫୦ଟି ଷ୍ଟେସନରୁ ୧୪ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥାଏ l ବନ୍ଧମୁଣ୍ଡା ଠାରେ ପର୍ଯ୍ୟାପ୍ତ ଜମି ଓ ଭିତ୍ତିଭୂମି ଥିବାରୁ ରାଉରକେଲାରେ ଏକ ରେଳ ଡିଭିଜନ ହୋଇ ପାରିବ ବୋଲି ଦାବି କରିଥିଲେ l ସୂଚନା ଯୋଗ୍ୟ ଯେ ରାଉରକେଲା ବିକାଶ ମଞ୍ଚ ଏହା ପୂର୍ବରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଏଇଭଳି ଜନ ସଚେତନତା ଶିବିରର ଆୟୋଜନ କରି ଆସୁଅଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଗରମ ଚା ରେ ପଡି ଶିଶୁ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

Sunil Chandra Nayak

ଖଲିଆଭଟାରେ ଚଳିତ ବର୍ଷର ପ୍ରଥମ ଧାନ ମଣ୍ଡି ଉଦଘାଟନ 

Sunil Chandra Nayak

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

Leave a Comment

error: Content is protected !!