ଶ୍ରୀମଦ୍ ଭଗବତ୍ ଗୀତା – ତୃତୀୟ ଅଧ୍ଯାୟର ସାରକଥା-୩
ଅର୍ଜୁନ ପ୍ରଶ୍ନକଲେ- ଯେଵେ କର୍ମଠାରୁ ଜ୍ଞାନ ଶ୍ରେଷ୍ଠ,ତେବେ ମୋତେ ଏହି ହିଂସାତ୍ମକ ଯୁଦ୍ଧ କରିବାକୁ ପ୍ରେରଣା ଦେଉଛନ୍ତି କାହିଁକି ? ଉତ୍ତରରେ ଶ୍ରୀକୃଷ୍ଣ କହିଲେ – ଏ ସଂସାରରେ ଦୁଇଟି ମାର୍ଗ ପ୍ରଚଳିତ ଅଛି-ସାଂଖ୍ଯଯୋଗ ଓ କର୍ମଯୋଗ । ସାଂଖ୍ଯଯୋଗୀ (ସନ୍ଯାସୀ) ମାନଙ୍କ ମତରେ ଜ୍ଞାନ ଲାଭ ପରେ କର୍ମତ୍ଯାଗ କରିବା ଉଚିତ୍ । କର୍ମତ୍ଯାଗ ନକଲେ ମୁକ୍ତି ମିଳିବ ନାହିଁ । ମାତ୍ର ଜ୍ଞାନବାଦୀମାନେ ଯେଉଁ ମୁକ୍ତି ଲାଭ କରନ୍ତି ତାହା ଜ୍ଞାନ ଫଳରେ, କର୍ମତ୍ଯାଗ ଫଳରେ ନୁହେଁ । ସାଂଖ୍ଯଯୋଗୀ ଜ୍ଞାନ ଲାଭରେ ଯେଉଁ ମୁକ୍ତି ପାଇପାରନ୍ତି,କର୍ମଯୋଗୀମାନେ ମଧ୍ଯ ସମତ୍ବଜ୍ଞାନରେ କର୍ମକରି ସେହି ମୁକ୍ତି ଲାଭ କରିପାରିବେ । ମୋକ୍ଷଲାଭ ନିମିତ୍ତ ଜ୍ଞାନର ଆବଶ୍ୟକତା ଥିଲେ ହେଁ ଜଣେ କର୍ମତ୍ଯାଗ କରି ଆଦୌ ରହିପାରିବ ନାହିଁ । ଖାଇବା , ଶୋଇବା,ମଳମୂତ୍ର ତ୍ଯାଗ କରିବା ପ୍ରଭୃତି କର୍ମ ପ୍ରକୃତିର ନିୟମାନୁସାରେ ହୋଇଥାଏ । ଇନ୍ଦ୍ରିୟମାନେ କର୍ମ କରିଥାନ୍ତି । ଯେଉଁମାନେ ଇନ୍ଦ୍ରିୟମାନଙ୍କୁ କର୍ମରେ ନ ଲଗାଇ ମନେ ମନେ ବିଷୟ ଚିନ୍ତା କରନ୍ତି ସେମାନେ ମିଥ୍ଯାଚାରୀ- କପଟୀ । କିନ୍ତୁ ଯେଉଁମାନେ କର୍ତ୍ତବ୍ୟ ଜ୍ଞାନରେ ନିରନ୍ତର କର୍ମ କରନ୍ତି ସେମାନେ ଶ୍ରେଷ୍ଠ । ଅନାସକ୍ତ ଭାବରେ କର୍ତ୍ତବ୍ୟ କର୍ମ କଲେ ମୋକ୍ଷଲାଭ ହୁଏ । ଏଣୁ ସର୍ବଦା କର୍ମ କରିବା ଉଚିତ । ଏହାହିଁ ଯଜ୍ଞ । କର୍ତ୍ତବ୍ୟ କର୍ମ ନକଲେ ସୃଷ୍ଟି ରକ୍ଷା ହୋଇପାରିବ ନାହିଁ । ଏହି କର୍ତ୍ତବ୍ୟ କର୍ମ ବା ଯଜ୍ଞ ତ୍ଯାଗ ଉପରେ ପ୍ରତିଷ୍ଠିତ । ଯେଉଁମାନେ କେବଳ ନିଜର ସୁଖ ସ୍ବାଚ୍ଛନ୍ଦ୍ଯ ପାଇଁ କର୍ମ କରନ୍ତି ସେମାନେ ପାପୀ ।
ପରମାତ୍ମାଙ୍କ ନିର୍ଦ୍ଦେଶରେ ତୁମେ କର୍ମ କରୁଛ ବୋଲି ମନେକର ଏବଂ ସମସ୍ତ କର୍ମଫଳ ତାଙ୍କଠାରେ ସମର୍ପଣ କରି କର୍ମ କର । ତାହେଲେ ତୁମେ ପାପଭାଗୀ ହେବନାହିଁ । କର୍ମତ୍ଯାଗ କଲେ ସାଧାରଣ ଲୋକଙ୍କ ଉପରେ ତା’ର ପ୍ରଭାବ ପଡିବ । ସମସ୍ତେ କର୍ମତ୍ଯାଗ କରି ଅଳସୁଆ ହୋଇଯିବେ । ସମାଜ ବିଶୃଙ୍ଖଳିତ ହୋଇଯିବ ଓ ସମାଜରେ ପାପର ଭାରା ବଢିଯିବ । ଏଣୁ କର୍ତ୍ତବ୍ୟଜ୍ଞାନରେ ନିଷ୍କାମଚିତ୍ତରେ କର୍ମକଲେ ତାହା ସାଧାରଣ ଲୋକଙ୍କୁ କର୍ମ କରିବାର ପ୍ରେରଣା ଯୋଗାଇବ । ଜ୍ଞାନୀମାନେ ତଥା ନିଜେ ଭଗବାନ୍ ମଧ୍ଯ ଲୋକ ସଂଗ୍ରହ ନିମିତ୍ତ ଏହିପରି କର୍ମକରିଥାନ୍ତି । ପ୍ରକୃତି ଗୁଣମାନଙ୍କ ସାହାଯ୍ୟରେ ସମସ୍ତ କର୍ମ କରିଥାନ୍ତି ମାତ୍ର ଅହଂକାରୀ ବ୍ଯକ୍ତି ନିଜକୁ କର୍ତ୍ତା ଵୋଲି ମନେ କରନ୍ତି । ସମସ୍ତ କର୍ମକୁ ବିବେକ ବୁଦ୍ଧି ଦ୍ବାରା ଭଗବାନଙ୍କଠାରେ ସମର୍ପଣ କରି ନିରାଶୀ,ନିର୍ମମ ଓ ଶୋକଶୂନ୍ଯ ହୋଇ ତୁମେ ଯୁଦ୍ଧ କର ।
ଇନ୍ଦ୍ରିୟମାନେ ମନୁଷ୍ୟକୁ ବିପଥଗାମୀ କରିଥାନ୍ତି । ସେମାନଙ୍କୁ ସଂଯତକରି ସ୍ବଧର୍ମ ପାଳନ କରିବା ଉଚିତ୍ । ଅନ୍ଯଧର୍ମଠାରେ ଯେତେ ଖରାପ ମନେହେଉଥିଲେ ବି ସ୍ବଧର୍ମକୁ ତ୍ଯାଗ କରିବା ଉଚିତ୍ ନୁହେଁ । ବିଭିନ୍ନ କାମନାର ବଶୀଭୂତ ହେଲେ ସ୍ବଧର୍ମ ପାଳନର ବିଘ୍ନ ଘଟେ । ଇନ୍ଦ୍ରିୟ, ମନ,ବୁଦ୍ଧି ଏସବୁ କାମନାର ଆଶ୍ରୟସ୍ଥଳ । ହେଲେ ଆତ୍ମା ହେଉଛି ଦେହରେ ସର୍ବଶ୍ରେଷ୍ଠ । ସେହି ଆତ୍ମାଦ୍ବାରା ଆତ୍ମାକୁ ସଂଯତ କରି ସମସ୍ତେ କର୍ମ କରିବାକୁ ହେବ । ପରମାତ୍ମାଙ୍କଠାରେ କର୍ମ ଓ କର୍ମଫଳ ସମର୍ପଣ କରି କର୍ମ କଲେ ତାହା ମୋକ୍ଷଲାଭ କରାଏ ।
ଏ ଅଧ୍ଯାୟରେ କିପରି କର୍ମ କରିବାକୁ ହେବ,କେହିହେଲେ-କି ଜ୍ଞାନୀ,କି କର୍ମୀ-କର୍ମତ୍ଯାଗ କରିବା ଉଚିତ୍ ନୁହେଁ-ଏସବୁ ବିଷୟ ବୁଝାଇ ଦିଆଯାଇଛି । ଏଣୁ ଏ ଅଧ୍ଯାୟର ନାମ କର୍ମଯୋଗ ରଖାଯାଇଛି ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର