ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତା – ତୃତୀୟ ଅଧ୍ଯାୟର ସାରକଥା-୩

ଶ୍ରୀମଦ୍ ଭଗବତ୍ ଗୀତା –  ତୃତୀୟ ଅଧ୍ଯାୟର ସାରକଥା-୩

   ଅର୍ଜୁନ ପ୍ରଶ୍ନକଲେ- ଯେଵେ କର୍ମଠାରୁ ଜ୍ଞାନ ଶ୍ରେଷ୍ଠ,ତେବେ ମୋତେ ଏହି ହିଂସାତ୍ମକ ଯୁଦ୍ଧ କରିବାକୁ ପ୍ରେରଣା ଦେଉଛନ୍ତି କାହିଁକି ? ଉତ୍ତରରେ ଶ୍ରୀକୃଷ୍ଣ କହିଲେ – ଏ ସଂସାରରେ ଦୁଇଟି ମାର୍ଗ ପ୍ରଚଳିତ ଅଛି-ସାଂଖ୍ଯଯୋଗ ଓ କର୍ମଯୋଗ । ସାଂଖ୍ଯଯୋଗୀ (ସନ୍ଯାସୀ) ମାନଙ୍କ ମତରେ ଜ୍ଞାନ ଲାଭ ପରେ କର୍ମତ୍ଯାଗ କରିବା ଉଚିତ୍ । କର୍ମତ୍ଯାଗ ନକଲେ ମୁକ୍ତି ମିଳିବ ନାହିଁ । ମାତ୍ର ଜ୍ଞାନବାଦୀମାନେ ଯେଉଁ ମୁକ୍ତି ଲାଭ କରନ୍ତି ତାହା ଜ୍ଞାନ ଫଳରେ, କର୍ମତ୍ଯାଗ ଫଳରେ ନୁହେଁ । ସାଂଖ୍ଯଯୋଗୀ ଜ୍ଞାନ ଲାଭରେ ଯେଉଁ ମୁକ୍ତି ପାଇପାରନ୍ତି,କର୍ମଯୋଗୀମାନେ ମଧ୍ଯ ସମତ୍ବଜ୍ଞାନରେ କର୍ମକରି ସେହି ମୁକ୍ତି ଲାଭ କରିପାରିବେ । ମୋକ୍ଷଲାଭ ନିମିତ୍ତ ଜ୍ଞାନର ଆବଶ୍ୟକତା ଥିଲେ ହେଁ ଜଣେ କର୍ମତ୍ଯାଗ କରି ଆଦୌ ରହିପାରିବ ନାହିଁ । ଖାଇବା , ଶୋଇବା,ମଳମୂତ୍ର ତ୍ଯାଗ କରିବା ପ୍ରଭୃତି କର୍ମ ପ୍ରକୃତିର ନିୟମାନୁସାରେ ହୋଇଥାଏ । ଇନ୍ଦ୍ରିୟମାନେ କର୍ମ କରିଥାନ୍ତି । ଯେଉଁମାନେ ଇନ୍ଦ୍ରିୟମାନଙ୍କୁ କର୍ମରେ ନ ଲଗାଇ ମନେ ମନେ ବିଷୟ ଚିନ୍ତା କରନ୍ତି ସେମାନେ ମିଥ୍ଯାଚାରୀ- କପଟୀ । କିନ୍ତୁ ଯେଉଁମାନେ କର୍ତ୍ତବ୍ୟ ଜ୍ଞାନରେ ନିରନ୍ତର କର୍ମ କରନ୍ତି ସେମାନେ ଶ୍ରେଷ୍ଠ । ଅନାସକ୍ତ ଭାବରେ କର୍ତ୍ତବ୍ୟ କର୍ମ କଲେ ମୋକ୍ଷଲାଭ ହୁଏ । ଏଣୁ ସର୍ବଦା କର୍ମ କରିବା ଉଚିତ । ଏହାହିଁ ଯଜ୍ଞ । କର୍ତ୍ତବ୍ୟ କର୍ମ ନକଲେ ସୃଷ୍ଟି ରକ୍ଷା ହୋଇପାରିବ ନାହିଁ । ଏହି କର୍ତ୍ତବ୍ୟ କର୍ମ ବା ଯଜ୍ଞ ତ୍ଯାଗ ଉପରେ ପ୍ରତିଷ୍ଠିତ । ଯେଉଁମାନେ କେବଳ ନିଜର ସୁଖ ସ୍ବାଚ୍ଛନ୍ଦ୍ଯ ପାଇଁ କର୍ମ କରନ୍ତି ସେମାନେ ପାପୀ ।

       ପରମାତ୍ମାଙ୍କ ନିର୍ଦ୍ଦେଶରେ ତୁମେ କର୍ମ କରୁଛ ବୋଲି ମନେକର ଏବଂ ସମସ୍ତ କର୍ମଫଳ ତାଙ୍କଠାରେ ସମର୍ପଣ କରି କର୍ମ କର । ତାହେଲେ ତୁମେ ପାପଭାଗୀ ହେବନାହିଁ । କର୍ମତ୍ଯାଗ କଲେ ସାଧାରଣ ଲୋକଙ୍କ ଉପରେ ତା’ର ପ୍ରଭାବ ପଡିବ । ସମସ୍ତେ କର୍ମତ୍ଯାଗ କରି ଅଳସୁଆ ହୋଇଯିବେ । ସମାଜ ବିଶୃଙ୍ଖଳିତ ହୋଇଯିବ ଓ ସମାଜରେ ପାପର ଭାରା ବଢିଯିବ । ଏଣୁ କର୍ତ୍ତବ୍ୟଜ୍ଞାନରେ ନିଷ୍କାମଚିତ୍ତରେ କର୍ମକଲେ ତାହା ସାଧାରଣ ଲୋକଙ୍କୁ କର୍ମ କରିବାର ପ୍ରେରଣା ଯୋଗାଇବ । ଜ୍ଞାନୀମାନେ ତଥା ନିଜେ ଭଗବାନ୍ ମଧ୍ଯ ଲୋକ ସଂଗ୍ରହ ନିମିତ୍ତ ଏହିପରି କର୍ମକରିଥାନ୍ତି । ପ୍ରକୃତି ଗୁଣମାନଙ୍କ ସାହାଯ୍ୟରେ ସମସ୍ତ କର୍ମ କରିଥାନ୍ତି ମାତ୍ର ଅହଂକାରୀ ବ୍ଯକ୍ତି ନିଜକୁ କର୍ତ୍ତା ଵୋଲି ମନେ କରନ୍ତି । ସମସ୍ତ କର୍ମକୁ ବିବେକ ବୁଦ୍ଧି ଦ୍ବାରା ଭଗବାନଙ୍କଠାରେ ସମର୍ପଣ କରି ନିରାଶୀ,ନିର୍ମମ ଓ ଶୋକଶୂନ୍ଯ ହୋଇ ତୁମେ ଯୁଦ୍ଧ କର ।

   ଇନ୍ଦ୍ରିୟମାନେ ମନୁଷ୍ୟକୁ ବିପଥଗାମୀ କରିଥାନ୍ତି । ସେମାନଙ୍କୁ ସଂଯତକରି ସ୍ବଧର୍ମ ପାଳନ କରିବା ଉଚିତ୍ । ଅନ୍ଯଧର୍ମଠାରେ ଯେତେ ଖରାପ ମନେହେଉଥିଲେ ବି ସ୍ବଧର୍ମକୁ ତ୍ଯାଗ କରିବା ଉଚିତ୍ ନୁହେଁ । ବିଭିନ୍ନ କାମନାର ବଶୀଭୂତ ହେଲେ ସ୍ବଧର୍ମ ପାଳନର ବିଘ୍ନ ଘଟେ । ଇନ୍ଦ୍ରିୟ, ମନ,ବୁଦ୍ଧି ଏସବୁ କାମନାର ଆଶ୍ରୟସ୍ଥଳ । ହେଲେ ଆତ୍ମା ହେଉଛି ଦେହରେ ସର୍ବଶ୍ରେଷ୍ଠ । ସେହି ଆତ୍ମାଦ୍ବାରା ଆତ୍ମାକୁ ସଂଯତ କରି ସମସ୍ତେ କର୍ମ କରିବାକୁ ହେବ । ପରମାତ୍ମାଙ୍କଠାରେ କର୍ମ ଓ କର୍ମଫଳ ସମର୍ପଣ କରି କର୍ମ କଲେ ତାହା ମୋକ୍ଷଲାଭ କରାଏ ।

    ଏ ଅଧ୍ଯାୟରେ କିପରି କର୍ମ କରିବାକୁ ହେବ,କେହିହେଲେ-କି ଜ୍ଞାନୀ,କି କର୍ମୀ-କର୍ମତ୍ଯାଗ କରିବା ଉଚିତ୍ ନୁହେଁ-ଏସବୁ ବିଷୟ ବୁଝାଇ ଦିଆଯାଇଛି । ଏଣୁ ଏ ଅଧ୍ଯାୟର ନାମ କର୍ମଯୋଗ ରଖାଯାଇଛି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ବେଣୁ ଧର ସୁତାର ଙ୍କ କବିତା ତୁ ମୋର ମିଠା ସପନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

ରାଷ୍ଟ୍ରୀୟ ଏକତା ଦିବସ ଧର୍ମଗଡ ରେ ରନ ଫର ଇଉନିଟି

Sunil Chandra Nayak

Leave a Comment

error: Content is protected !!