ବନ୍ଦେ ମୋ ମାଟି ଉତ୍କଳ
ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ
ବନ୍ଦେ ମୋ ମାଟି ଉତ୍କଳ |
ଯାହାର ଚରଣ ଧୋଇ ଦିଅଇ
ନୀଳ ଲହରୀର ମାଳ,
ଯାହାର ବକ୍ଷରେ ଶୋଭା ପାଆଇ
ନଦୀ ନିର୍ଝରିଣୀ ଜଳ |
ବନ୍ଦେ ମୋ ମାଟି ଉତ୍କଳ ||
ଯା’ ନଦୀ,ପୋଖରୀ,ଝରଣା ଜଳ
କେତେ ଅଟେ ନିରିମଳ,
କୋଇଲି ତା’ସୂରେ ଗାଅଇ ଗୀତ
ହୋଇଣ ଭାବ ବିହ୍ଵଳ |
ବନ୍ଦେ ମୋ ମାଟି ଉତ୍କଳ ||
ନାନା ଜାତିର ଫୁଲ ଫୁଟିଣ ଯେ
ହସେ ଆମ ପରିମଳ,
ଗଛ ଲତା ସବୁ ଦେଇ ଥାଆନ୍ତି
ନାନା ମିଠାମିଠା ଫଳ |
ବନ୍ଦେ ମୋ ମାଟି ଉତ୍କଳ ||
ପାହାଡ଼ ବନାନୀ ଶୋଭା ପାଆନ୍ତି
ଏଇମାଟି ମା’ର କୋଳ,
ନିର୍ଝରିଣୀ ଜଳ ସଦା ବହଇ
ହୋଇଣ କଳ କଳ |
ବନ୍ଦେ ମୋ ମାଟି ଉତ୍କଳ ||
କେତେତପ ବଳେ ଓ ପୁଣ୍ୟଫଳେ
ଜନମି ମାଟି ମା’କୋଳେ,
ତା’ରି ପାଇଁ ମୁଁ ଜୀବନ ଦେବାକୁ
ଡରିବି ନାହିଁ ଯେ ତିଳେ |
ବନ୍ଦେ ମୋ ମାଟି ଉତ୍କଳ ||