ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ମେ ୫ ତାରିଖ:  ଆଧ୍ୟାତ୍ମିକ,ସାମାଜିକ ଓ ବୈଜ୍ଞାନିକ ଯାତ୍ରାର ଏକ ସଂକେତମୟ ସ୍ମୃତିଚିହ୍ନ

ଆଜିର ଦିବସର ଅନୁଚିନ୍ତା: ମେ ୫ ତାରିଖ:  ଆଧ୍ୟାତ୍ମିକ,ସାମାଜିକ ଓ ବୈଜ୍ଞାନିକ ଯାତ୍ରାର ଏକ ସଂକେତମୟ ସ୍ମୃତିଚିହ୍ନ

   ଡ଼ା. ଦେବୀ ପ୍ରସାଦ ମିଶ୍ର,

କାଳର ଅବିରତ ପ୍ରବାହଓ କରାଳ ସ୍ରୋତରେ ପ୍ରତିଟି ଦିନ ଇତିହାସର ଗଭୀର ଅର୍ଥକୁ ବହନ କରି ନିଜର ଏକ ସ୍ୱତନ୍ତ୍ର ପଦଚିହ୍ନ ଛାଡିଯାଇଥାଏ।ଆଜି ମେ ମାସ ୫ ତାରିଖ,ଏକ ଅନନ୍ୟ ଦିବସ ଯାହା ବିଶ୍ୱ,ଭାରତ ଏବଂ ଆମ ପ୍ରିୟ ଓଡ଼ିଶାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।ତେଣୁ ଏହିଦିନ କେବଳ ଏକ ସାଧାରଣ ଦିନ ନୁହେଁ,ବରଂ ମାନବ ସଭ୍ୟତାର ଆଧ୍ୟାତ୍ମିକ,ସାମାଜିକ ଓ ବୈଜ୍ଞାନିକ ଯାତ୍ରାର ଏକ ସଂକେତମୟ ସ୍ମୃତିଚିହ୍ନ।

ଆନ୍ତର୍ଜାତୀୟ ସ୍ତରରେ ଆଜି ‘ଆନ୍ତର୍ଜାତୀୟ ଧାତ୍ରୀ ଦିବସ’ ଭାବେ ପାଳିତ ହୁଏ,ଯାହା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ରକ୍ଷାରେ ଧାତ୍ରୀମାନଙ୍କ ନିସ୍ୱାର୍ଥପର ସେବାକୁ ସମ୍ମାନ ଜଣାଏ।ଏହାବ୍ୟତୀତ,ଆଜି ‘ବିଶ୍ୱ ଆଜ୍‌ମା ଦିବସ’ ଭାବେ ପାଳନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଏ।ଏହି ଦୁଇଟି ଦିବସ ପାଳନ ମାଧ୍ୟମରେ ସ୍ୱାସ୍ଥ୍ୟ ସେବାର ମୂଳ ଆଧାରକୁ ସ୍ମରଣ କରାଯାଏ।ମାତୃ ଓ ଶିଶୁ ସୁରକ୍ଷାରେ ଧାତ୍ରୀମାନଙ୍କ ନିରବ ସେବା ଆମ ସମାଜର ଅଦୃଶ୍ୟ ଶକ୍ତି।

ଐତିହାସିକ ଗୁରୁତ୍ୱ ଦୃଷ୍ଟିରୁ ଆଜିର ଦିନଟି ବିଶ୍ୱ ବନ୍ଦନୀୟ ମହାପୁରୁଷ ଗୌତମ ବୁଦ୍ଧଙ୍କ ଜନ୍ମ,ଜ୍ଞାନ ପ୍ରାପ୍ତି ଓ ମହାପରିନିର୍ବାଣର ପବିତ୍ର ଦିବସ ‘ବୁଦ୍ଧ ପୂର୍ଣ୍ଣିମା’ ସହିତ ଜଡ଼ିତ ଅପାର ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରେ।ଅହିଂସା,କରୁଣା ଓ ମଧ୍ୟମ ମାର୍ଗର ତାଙ୍କ ବାଣୀ ଆଜି ମଧ୍ୟ ଅସ୍ଥିର ମାନବ ସମାଜକୁ ଶାନ୍ତିର ପଥ ଦେଖାଏ।୧୮୧୮ ମସିହାର ଆଜିର ଦିନ ହେଉଛି ବିଶ୍ୱପ୍ରସିଦ୍ଧ ଜର୍ମାନ ଦାର୍ଶନିକ ଓ ଅର୍ଥଶାସ୍ତ୍ରୀ କାର୍ଲ ମାର୍କସଙ୍କ ଜନ୍ମ ଜୟନ୍ତୀ,ଯାହାଙ୍କ ବିଚାରଧାରା ବିଶ୍ୱ ରାଜନୀତି ଓ ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିଛି।ସାମ୍ୟବାଦୀ ଚିନ୍ତାଧାରା ଦ୍ୱାରା ସେ ବିଶ୍ୱର ଅର୍ଥନୈତିକ ଓ ରାଜନୈତିକ ଚେତନାକୁ ନୂତନ ମାନଚିତ୍ର ଦେଇଥିଲେ।ତାଙ୍କ ଧାରଣା ଆଜି ମଧ୍ୟ ସମାଜର ସମତା ଓ ନ୍ୟାୟର ପ୍ରଶ୍ନକୁ ଉତ୍ତେଜିତ କରେ।ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମେରିକାର ପ୍ରଥମ ମହାକାଶଚାରୀ ଆଲାନ୍ ଶେପାର୍ଡ ୧୯୬୧ ମସିହା ଆଜିର ଦିନରେ ମହାକାଶ ଯାତ୍ରା କରିଥିଲେ।

ଭାରତୀୟ ପରିପ୍ରେକ୍ଷୀରେ,ଭାରତର ସପ୍ତମ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଏବଂ ବିଶିଷ୍ଟ ବିପ୍ଳବୀ ପ୍ରୀତିଲତା ୱାଦ୍ଦେଦାରଙ୍କ ଆଜି ଜନ୍ମଦିନ।ପୁଣି ଶିଖ୍ ସମ୍ପ୍ରଦାୟର ତୃତୀୟ ଗୁରୁ ଗୁରୁ ଅମର ଦାସଙ୍କ ଜୟନ୍ତୀ ମଧ୍ୟ ଆଜି ପାଳନ କରାଯାଏ।ଓଡ଼ିଶାର ରାଜନୈତିକ ଇତିହାସରେ ୧୯୬୬ ମସିହା ଆଜିର ଦିନରେ ‘ଜନ କଂଗ୍ରେସ’ ଦଳ ଗଠିତ ହୋଇଥିଲା। ବିଜ୍ଞାନ କ୍ଷେତ୍ରରେ,୧୯୯୨ ମସିହାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ‘ପୃଥ୍ୱୀ’ର ସଫଳ ପରୀକ୍ଷଣ ହୋଇଥିଲା।

ଓଡ଼ିଶା କ୍ଷେତ୍ରରେ ୧୯୩୪ ମସିହା ମେ ୫ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କର ଦେଶବ୍ୟାପୀ ହରିଜନ ଉଦ୍ଧାର ଆନ୍ଦୋଳନର ଅଂଶ ଭାବେ ଓଡ଼ିଶା ପଦାର୍ପଣ କରିଥିଲେ।ଏହା ଓଡ଼ିଶାରେ ମାନବତା, ସମାନତା ଓ ସମାଜ ସଂସ୍କାରର ଏକ ଅବିସ୍ମରଣୀୟ ପ୍ରେରଣାଦାୟକ ଦିନ।ଗାନ୍ଧୀଜୀଙ୍କ ନେତୃତ୍ୱରେ ଓଡ଼ିଶା ଜାତୀୟ ଚେତନାର ମୁଖ୍ୟ ଧାରାରେ ଆସିଥିଲା।ଗାନ୍ଧୀଜୀ ଏହି ସମୟରେ ପଦଯାତ୍ରା କରି ଗାଁରୁ ଗାଁକୁ ଯାଇଥିଲେ,ଅସ୍ପୃଶ୍ୟତା ଦୂର କରିବାକୁ ଜନଚେତନା ଜଗାଇଥିଲେ।ଗାନ୍ଧୀଜୀଙ୍କ ଏହି ଆଗମନ ଓଡ଼ିଶାରେ କେବଳ ଏକ ରାଜନୈତିକ ଘଟଣା ନୁହେଁ;ଏହା ଏକ ନୈତିକ ଓ ସାମାଜିକ ପୁନର୍ଜାଗରଣର ଆରମ୍ଭ ଥିଲା।ଏହି ଆନ୍ଦୋଳନର ପ୍ରମୁଖ ପ୍ରଭାବ ଥିଲା ଯେ ସମାଜରେ ସମାନତା ଓ ମାନବତାର ଧାରଣା ଶକ୍ତିଶାଳୀ ହେଲା।ଓଡ଼ିଶାରେ ଅନେକ ସ୍ଥାନରେ ହରିଜନଙ୍କ ପାଇଁ ମନ୍ଦିର ପ୍ରବେଶ ଆନ୍ଦୋଳନ ଆରମ୍ଭ ହେଲା।ଗ୍ରାମୀଣ ଅଞ୍ଚଳରେ ସ୍ୱଚ୍ଛତା,ଶିକ୍ଷା ଓ ସ୍ୱାଭିମାନର ଚେତନା ବୃଦ୍ଧି ପାଇଲା।ସ୍ଥାନୀୟ ସମାଜ ସୁଧାରକ ଓ ନେତାମାନେ ସମାଜ ସଂସ୍କାର ଦିଗରେ ସକ୍ରିୟ ହୋଇ ଗାନ୍ଧୀବାଦୀ ଧାରାକୁ ଅନୁସରଣ କରିଥିଲେ।ଏହା ରାଜ୍ୟରେ ସ୍ୱାଧୀନତା ଆନ୍ଦୋଳନକୁ ସାମାଜିକ ଆନ୍ଦୋଳନ ସହ ଯୋଡ଼ିଥିଲା।

ଇତିହାସ କେବଳ ଘଟଣାର ସମାହାର ନୁହେଁ,ଏହା ଅତୀତର ଅନୁଭୂତିରୁ ଶିକ୍ଷାଲାଭ କରି ଭବିଷ୍ୟତ ଗଢ଼ିବାର ଏକ ସୂତ୍ର।ଆଜିର ଏହି ପବିତ୍ର ଦିନରେ ବୁଦ୍ଧଙ୍କ ଅହିଂସା ଓ ମାର୍କସଙ୍କ ସାମ୍ୟବାଦର ଚିନ୍ତାଧାରା ଆମ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାଏ।ଏହି ଦିନରେ ବିଜ୍ଞାନ ଓ ପ୍ରଯୁକ୍ତିର ମାର୍ଗରେ ମଧ୍ୟ ମାନବ ସଫଳତା ଦେଖାଯାଏ—ମହାକାଶ ଯାତ୍ରାରୁ ଆରମ୍ଭ କରି ଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ ପର୍ଯ୍ୟନ୍ତ।ଏସବୁ ଘଟଣା ଆମକୁ ସ୍ମରଣ କରାଏ ଯେ ମାନବ ମନର ସୃଜନଶୀଳତା ଅସୀମ।ମେ ୫ ଆମକୁ ଦୁଇଟି ମୂଳ ସତ୍ୟ ସୂଚିତ କରେ—ଆଧ୍ୟାତ୍ମିକ ଶାନ୍ତି ଓ ସାମାଜିକ ସମତା।ଏହି ଦୁଇ ଧାରାର ସମନ୍ୱୟରେ ହିଁ ଏକ ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ଗଢ଼ାଯାଇପାରିବ।

   ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୯ ତାରିଖ : ଉତ୍ଥାନ ଓ ପତନର ଐତିହାସିକ ପଦଚିହ୍ନ 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ଜୁଲାଇ ୧ ତାରିଖ : ଜାତୀୟ ଡାକ୍ତର,ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଏବଂ ଜିଏସ୍ ଟି,ରାଷ୍ଟ୍ରୀୟ ଡାକ କର୍ମଚାରୀ ଦିବସ 

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୧ ତାରିଖ :ସୃଜନଶୀଳତା ଓ ନବସୃଜନର ନବ ଦିଗନ୍ତ 

Sunil Chandra Nayak

Leave a Comment

error: Content is protected !!