ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଜରୁରୀ ହସ୍ତକ୍ଷେପ ଦାବି

ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର : ଆଦିବାସୀ ଅଧିକାର ସୁରକ୍ଷା ପାଇଁ ଜରୁରୀ ହସ୍ତକ୍ଷେପ ଦାବି

ନୂଆପଡା, ୨୨ ମେ: ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଗୁରୁବାର ନୂଆପଡା ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରାଯାଇ ଓଡିଶାରେ ଆଦିବାସୀ ବିରୋଧୀ ନୀତି, ଅବୈଧ ଖଣି କାର୍ଯ୍ୟକଳାପ, ବିସ୍ଥାପନ ଓ ଆଦିବାସୀଙ୍କ ସାଂବିଧାନିକ ଅଧିକାର ଉଲ୍ଲଂଘନ ବିରୋଧରେ ଜରୁରୀ ହସ୍ତକ୍ଷେପ ଦାବି କରାଯାଇଛି।

ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି ଯେ ରାଜ୍ୟର ଆଦିବାସୀ ସମୁଦାୟ ଜଙ୍ଗଲ ଅଧିକାରରୁ ବଞ୍ଚିତ ହେଉଛନ୍ତି, କଲ୍ୟାଣମୂଳକ ଯୋଜନା ବନ୍ଦ କରାଯାଉଛି ଓ ବେରୋଜଗାରି ସହ ବିସ୍ଥାପନ ବଢ଼ିଚାଲିଛି।

ସ୍ମାରକପତ୍ରରେ କୁହାଯାଇଛି ଯେ ସଂବିଧାନର ପଞ୍ଚମ ତାଲିକା, ବନଅଧିକାର ଆଇନ (FRA), ପେସା ଆଇନ ଓ SC/ST ଅତ୍ୟାଚାର ନିବାରଣ ଆଇନର ବ୍ୟବସ୍ଥାଗୁଡିକୁ ଅନେକ ଆଦିବାସୀ ଅଞ୍ଚଳରେ ଅବହେଳା କରାଯାଉଛି। ଗ୍ରାମସଭାର ଅନୁମୋଦନ ବିନା ଖଣି ପ୍ରକଳ୍ପକୁ ଅନୁମତି ଦିଆଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି।

ସ୍ମାରକପତ୍ରରେ ANWESHA ଯୋଜନା ପୁନଃ ଚାଲୁ କରିବା, ST ଓ SC ନର୍ସିଂ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ପୁନଃ ବହାଲ କରିବା, ବିଶେଷ ନିଯୁକ୍ତି ଅଭିଯାନ ଆରମ୍ଭ କରିବା, ବନଅଧିକାର ଆଇନ କଡାକଡି ଭାବେ କାର୍ଯ୍ୟକରିତ କରିବା ଓ ପେସା ଆଇନ ଅନୁଯାୟୀ ଗ୍ରାମସଭାର ଅଧିକାର ସୁରକ୍ଷା ଦାବି କରାଯାଇଛି।ସିଜିମାଳି, ତିଜିମାଳି, କୁତ୍ରୁମାଳି, ଖଣ୍ଡୁଆଲମାଳି, ବାଫଲିମାଳି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗ୍ରାମସଭାର ଅନୁମୋଦନ ବିନା ଦିଆଯାଇଥିବା ଖଣି ଲିଜ୍‌ ବାତିଲ କରିବାକୁ ମଧ୍ୟ ଦାବି କରାଯାଇଛି।

ସ୍ମାରକପତ୍ରରେ ନକଲି ଜାତି ପ୍ରମାଣପତ୍ରଧାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ପ୍ରତ୍ୟେକ ବ୍ଲକରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ସ୍ଥାପନ ଓ Tribal Sub Plan ଏବଂ KBK ପାଣ୍ଠିର ସଠିକ ବ୍ୟବହାର ଦାବି କରାଯାଇଛି।

ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସହ ଜିଲ୍ଲାପାଳଙ୍କ କଥିତ ଅସଦାଚରଣ ଘଟଣାକୁ ମଧ୍ୟ ଗୁରୁତ୍ୱ ସହ ଉଠାଯାଇଛି। ଏହାକୁ ମହିଳା ସମ୍ମାନ, ଗଣତାନ୍ତ୍ରିକ ପ୍ରତିଷ୍ଠାନ ଓ ଆଦିବାସୀ ସମାଜର ଅପମାନ ବୋଲି କୁହାଯାଇ ନିଷ୍ପକ୍ଷ ତଦନ୍ତ ଦାବି କରାଯାଇଛି।ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବୀର ସହିଦ ମାଧୋ ସିଂହଙ୍କ ସମ୍ପର୍କରେ ଭୁଲ ତଥ୍ୟ ପ୍ରକାଶ ପାଇଥିବା ନେଇ ମଧ୍ୟ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇଛି।

ପୂର୍ବତନ ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ ଆଦିବାସୀ ସମୁଦାୟ ହେଉଛନ୍ତି ଜଙ୍ଗଲ, ଜମି ଓ ପ୍ରାକୃତିକ ସମ୍ପଦର ପ୍ରକୃତ ସୁରକ୍ଷକ। ସେ ରାଷ୍ଟ୍ରପତିଙ୍କୁ ଆଦିବାସୀଙ୍କ ସାଂବିଧାନିକ, ସାମାଜିକ ଓ ଆର୍ଥିକ ଅଧିକାର ସୁରକ୍ଷା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

Related posts

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

masiha

ଧର୍ମଗଡ ବ୍ଲକ ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ଠାରେ ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ଉଦ୍‌ଘାଟିତ

masiha

କୃଷକ ଆନ୍ଦୋଳନ ର କ୍ରାନ୍ତିକାରୀ ନେତା ଚାରୁମଜୁମ ଦାର କଂ 51 ତମ ଶ୍ରଦ୍ଧାଞ୍ଜଳି ଦିବସ 

Sunil Chandra Nayak

Leave a Comment

error: Content is protected !!