ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ସଦରରେ ହିଁ ହେଉ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍: ଜମି ରୂପାନ୍ତରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସିନାପାଲି ସଦରରେ ହିଁ ହେଉ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍: ଜମି ରୂପାନ୍ତରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସିନାପାଲି/ନୂଆପଡ଼ା: -୨୫/୫ (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମାରେ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଖେଳପଡ଼ିଆର ଘୋର ଅଭାବ ଥିବାବେଳେ, ଏଠାରେ ଏକ ବ୍ଲକ୍ ସ୍ତରୀୟ ଷ୍ଟାଡିଅମ୍-କମ୍-ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଦାବି ଜୋରଦାର ହୋଇଛି। ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରୟାସକୁ ସ୍ଥାନୀୟ ଯୁବକମାନେ ତୀବ୍ର ବିରୋଧ କରିବା ପରେ ଜିଲ୍ଲାପାଳ ସିନାପାଲି ସଦରରେ ହିଁ ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ୧୦ ଏକର ଜମି ପୂରଣ ନିମନ୍ତେ କାପସି ମୌଜାରେ ଥିବା ଗ୍ରାମ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବାକୁ ସ୍ଥାନୀୟ ଯୁବଗୋଷ୍ଠୀ ଓ କ୍ରୀଡ଼ାପ୍ରେମୀମାନେ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ବହୁମୁଖୀ କ୍ରୀଡ଼ା ଷ୍ଟାଡିୟମ୍ ନିର୍ମାଣ ପାଇଁ ଓଡ଼ିଶା ସରକାର ୪,୧୨୪ କୋଟି ଟଙ୍କାର ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଅନ୍ୟ ବ୍ଲକଗୁଡ଼ିକରେ ଜମି ଚିହ୍ନଟ ପ୍ରକ୍ରିୟା ସରିଥିବା ବେଳେ ସିନାପାଲିରେ ପର୍ଯ୍ୟାପ୍ତ ସରକାରୀ ଜମିର ଅଭାବ ଦର୍ଶାଇ ଏହା ବିଳମ୍ବ ହେଉଥିଲା। ଏହାର ସୁଯୋଗ ନେଇ ସିନାପାଲି ତହସିଲଦାର ଏହି ବ୍ଲକ୍ ସ୍ତରୀୟ ପ୍ରକଳ୍ପ ପାଇଁ ଏକ ବିକଳ୍ପ ସ୍ଥାନ ଭାବେ ରାଣୀମୁଣ୍ଡା ଗ୍ରାମପଞ୍ଚାୟତରେ ଜମି ଚିହ୍ନଟ କରିଥିଲେ। ମାତ୍ର ସିନାପାଲି ହେଡକ୍ୱାର୍ଟରରେ ଖେଳିବା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ, ପ୍ରକଳ୍ପକୁ ରାଣୀମୁଣ୍ଡା ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ସ୍ଥାନୀୟ ଯୁବକ ଓ କ୍ରୀଡ଼ାବିତ୍‌ମାନେ କଡ଼ା ବିରୋଧ କରିଥିଲେ। ଷ୍ଟାଡିୟମ୍ କେବଳ ସିନାପାଲି ସଦର ଅନ୍ତର୍ଗତ କାପସି ଠାରେ ହିଁ କରାଯିବାକୁ ସେମାନେ ଅଡ଼ି ବସିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସିନାପାଲି ତହସିଲଦାରଙ୍କ ଚିଠି ସଂଖ୍ୟା ୮୪୭ (ତା ୧୭.୦୩.୨୦୨୬) ଅନୁଯାୟୀ, କାପସି ଓ ସରଧାପୁର ମୌଜାରେ ପ୍ରାୟ ୮ ଏକର ସରକାରୀ ଜମି ଷ୍ଟାଡିୟମ୍ ପାଇଁ ପୂର୍ବରୁ ଚିହ୍ନଟ କରାଯାଇସାରିଛି। ଏଥିରେ କାପସି ମୌଜାର ପ୍ଲଟ୍ ନଂ ୫୯୧ ଓ ୫୯୩ ରେ ୬.୩୫ ଏକର (ଆବାଦ ଯୋଗ୍ୟ ଅନାବାଦୀ ଜମି) ଏବଂ ସରଧାପୁର ମୌଜାର ପ୍ଲଟ୍ ନଂ ୨୪୫, ୨୪୬ ଓ ୨୪୭ ରେ ୧.୬୫ ଏକର (ଉନ୍ନତ ଯୋଜନା ଯୋଗ୍ୟ ଜମି) ରହିଛି। ତେବେ ଷ୍ଟାଡିୟମ୍ ନିର୍ମାଣ ନିୟମାବଳୀ ଅନୁଯାୟୀ ସର୍ବନିମ୍ନ ୧୦ ଏକର ଜମିର ଆବଶ୍ୟକତା ରହିଛି। ତେଣୁ ନିଅଣ୍ଟିଆ ଥିବା ଜମିକୁ ପୂରଣ କରିବା ପାଇଁ କାପସି ମୌଜାର ପ୍ଲଟ୍ ନଂ ୧୨୨୪ ରେ ଥିବା ୨.୩୦ ଏକର ‘ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ’ ଜମିକୁ ରୂପାନ୍ତର (କିସମ ପରିବର୍ତ୍ତନ) କରି ଷ୍ଟାଡିୟମ୍ ପ୍ରକଳ୍ପରେ ସାମିଲ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ସିନାପାଲି ଭଳି ଏକ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳରେ ଏହି ଆଧୁନିକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ସ୍ଥାପିତ ହେଲେ ଯୁବପିଢ଼ିଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଲିଙ୍ଗରାଜ ଘିଭେଲା, ସିନାପାଲି ସମିତି ସଭ୍ୟ ଶ୍ରୀ ମନୀଷ ପଟେଲ, ବିହାରୀଲାଲ ମଶ୍ରା, ମନୋଜ ଦାସ, ତୁଲାରାମ ନିଆଲ, ବିଷ୍ଣୁ ସା ଏବଂ ଦେବାନନ୍ଦ ସା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ପାନାବେଡା ଦଣ୍ଡସେନା କଲାର ସମାଜ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଶିକ୍ଷକଙ୍କ ବିୟୋଗରେ ଶୋକସଭା

Leave a Comment

error: Content is protected !!