ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଳାହାଣ୍ଡିର ଭାତ ହାଣ୍ଡି,  ଜାଗିବା ଯଦି ପାଇବା ଫେରି

ଳାହାଣ୍ଡିର ଭାତ ହାଣ୍ଡି,  ଜାଗିବା ଯଦି ପାଇବା ଫେରି

‎  ଆମକୁ କଳାହାଣ୍ଡିଆ କହି, ଆମ ଭୌଗୋଳିକ, ଆର୍ଥିକ ଓ ସାମାଜିକ ସ୍ଥିତି ପାଇଁ, ସବୁବେଳେ ଆମକୁ ଉପେକ୍ଷିତ କରାଯାଇଛି। ଆମ ଜାଗାରେ ଅନ୍ୟମାନେ ସ୍ଥାନ ପାଇଛନ୍ତି। ଜଙ୍ଗଲ, ଆଦିବାସୀ, ଡମ୍ୱ, ପାଣ, ଶିଶୁ ମୃତ୍ୟୁହାର, ପିଲା ବିକ୍ରି, ମରୁଡିରେ ଆମେ ପରିଚିତ। 

‎ପ୍ରକୃତ ରୂପ ତାହା ନୁହେଁ, ସ୍ୱାଧୀନତାର ବହୁ ପୂର୍ବରୁ, ଗ୍ରେଟ ବେଙ୍ଗଲ ଟ୍ରେଜେଡିରେ କଳାହାଣ୍ଡିରୁ ଚାଉଳ ଯିବା ଘଟଣା, ଘୁମୁରା ବାଦ୍ୟ, ଜଙ୍ଗଲ ଓ ଏହାର ସମ୍ପଦ ପାଇଁ ସବୁବେଳେ ବିଶ୍ୱ ଦରବାରରେ କଳାହାଣ୍ଡିକୁ ଭିନ୍ନ ପରିଚୟ ଦେଇଛି।

‎ରାଜା ମାନଙ୍କ ଶାସନ, ଶିକ୍ଷା ପାଇଁ ସ୍କୁଲ, ଚାଷ ପାଇଁ କୁଲଥାଙ୍କୁ ଆହ୍ୱାନ, ଜଳ ସେଚନ ଓ ମତ୍ସ୍ୟ ପାଇଁ ଅନେକ ପୋଖରୀ ଖନନ, ପରେ ଇନ୍ଦ୍ରାବତୀ ଯୋଜନା, କର ସଂଗ୍ରହ ଓ ପ୍ରଶାସନ ପାଇଁ ଜମିଦାରୀ ବ୍ୟବସ୍ଥା, କଳାହାଣ୍ଡିର ଇତିହାସକୁ ସମୃଦ୍ଧ କରିଥିଲା।

‎‎ଗୁଡ଼ହାଣ୍ଡି, ବେଲଖଣ୍ଡି, ନର୍ଲା, ଜୁନାଗଡ଼, ଭବାନୀପାଟଣା, କର୍ଲାପାଟ, ମଦନପୁର ରାମପୁର, ଜୟପାଟଣା, ଇତ୍ୟାଦିର ସ୍ତୁପ ଓ ଜମିଦାରୀ ମହଲ ଗୁଡ଼ିକ, ରାଜା ଓ ଜନତାଙ୍କ ଅଇତିହାସିକ ସମୃଦ୍ଧି, ଏକତା ଓ ପ୍ରୟାସକୁ ସ୍ପଷ୍ଟ କରେ।

‎‎୧୯୪୭ ରେ ଭାରତର ସ୍ୱାଧିନତା ପରେ, କଳାହାଣ୍ଡି ମଧ୍ୟ ଗଣତାନ୍ତ୍ରିକ ଭାରତ ରାଷ୍ଟ୍ରର ଅବିଚ୍ଛେଦ୍ୟ ଅଙ୍ଗ ବିଶେଷରେ ପରିଣତ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯାତାୟାତ, ପରିବହନ ଇତ୍ୟାଦିରେ ବୃଦ୍ଧି ହୋଇ ଆସିଲା। ଏହାର ସଂସ୍କୃତି, ପରମ୍ପରା, ଶସ୍ୟ, ଖାଦ୍ୟ, ବସ୍ତ୍ର, ଗୀତ, ବାଦ୍ୟ ବିଶ୍ୱ ଦରବାର ରେ ଆଦର ପାଇଲା। କିନ୍ତୁ ଆଦିବାସୀ ଓ ଭୂମିହୀନ ଯଥେଷ୍ଟ ଉନ୍ନତ୍ତି କରି ପାରିଲେ ନାହିଁ। ବିଶେଷ କରି ଥୁଆମୂଳ ରାମପୁର, ଲାଞ୍ଜିଗଡ ଓ ପୂର୍ବତନ କଳାହାଣ୍ଡିର ବ୍ଲକ୍, କାଶୀପୁର ଉନ୍ନତି କରିପାରିଲା ନାହିଁ। ଏହାର ଜଙ୍ଗଲ, ଜନ୍ତୁ, ଆକାଶ ଛୁଆ ପାହାଡ, ପର୍ବତ, ନାଳ ଓ ଝରଣା ବିକାଶର ପ୍ରତିବନ୍ଧକ ହୋଇ ରହିଲା।

‎‎କଳାହାଣ୍ଡିର ଯୁବା ଓ ଯୁବତୀ କଳାହାଣ୍ଡିରେ କିମ୍ବା କଳାହାଣ୍ଡି ବାହାରେ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ, କମ୍ପାନୀ, ଉଦ୍ୟୋଗରେ ସେତେ ବେଶୀ ନିଯୁକ୍ତି ଅନ୍ୟ ତୁଳନାରେ ପାଇବାର ନଜିର ମିଳିଲା ନାହିଁ। କଳାହାଣ୍ଡିର ଲୋକେ, ଯୁବା ଓ ଯୁବତୀ, ୧୯୬୦ ରୁ ଆଜି ଯାଏଁ ଆପଦକାଳୀନ ଓ ବାଧ୍ୟତା ମୂଳକ ସ୍ଥାନାନ୍ତର ବା ପଳାୟନ ପାଇଁ ସବୁବେଳେ ସମ୍ବାଦ ପତ୍ର, ସଂସଦ ଓ ବିଧାନ ସଭାରେ ନାମ କଲେ। ଶିଶୁ ଶ୍ରମିକ, ଆଜିବି ଉଚ୍ଛେଦ ହୋଇ ପାରି ନାହିଁ। ପରୋକ୍ଷରେ ପୋକ୍ସୋ କେସ ଓ ଜୁଭେନାଇଲ କେସ ଗୁଡ଼ିକ ଦେଖିବାକୁ ମିଳୁଛି।

‎ଥାନା ଓ ବିଚାରାଳୟର ମକଦ୍ଦମାରେ ଗରିବ ଆଦିବାସୀ ଓ ହରିଜନଙ୍କ ମାମଲା ଅଧିକ ଦେଖିବାକୁ ମିଳୁଛି। ଯଦିଓ ଚାଷରେ ଓ ଚାଷ ଭିତ୍ତିକ ବ୍ୟବସାୟରେ କଳାହାଣ୍ଡି ଆଗୁଆ, କିନ୍ତୁ ୪୦-୫୦% ଲୋକ ଜମି ହୀନ, ଏଥିପାଇଁ ସାଧାରଣ ପରିବାର ମାନଙ୍କଠାରେ ଆୟ ଓ ଉପାୟ ନାହିଁ, ସେମାନେ ଦ୍ୟିନିକ ମଜୁରିଆ। ସରକାରୀ ଭତ୍ତା ଗୁଡ଼ିକ ପାଇଁ ଗରିବୀ ଜଣା ପଡୁ ନାହିଁ। ମହିଳା ମାନେ ସର୍ବ ନିମ୍ନ ମଜୁରୀ ସହରରେ ବି ପାଆନ୍ତି ନାହିଁ।

‎‎ଆଜିର ଯୁବା ଯୁବତୀଙ୍କୁ, ଗୁଣାତ୍ମକ ଶିକ୍ଷା, ପୋଷାକ, ପରିବହନ ସୁବିଧା, ସୂଚନା ପାଇଁ ଭଲ ଫୋନ ବା ଲାପଟପ୍, ଘର ଓ ସ୍ଥାୟୀ ଆୟର ଆବଶ୍ୟକତା ରହିଛି। ଆଜି ଏହି ରୁଚି ଯୁବପିଢ଼ିକୁ ପଳାୟନ ପାଇଁ ଆହୁରି ବାଧ୍ୟ କରୁଛି।

‎‎ମେଡିକାଲ କଲେଜ୍, କୃଷି କଲେଜ୍, ଇଞ୍ଜିନିୟରିଂ କଲେଜ ଆମ ଜିଲ୍ଲା କଳାହାଣ୍ଡିରେ ହେଲା, କିନ୍ତୁ ଏହାର ଛାତ୍ର ଓ ଶିକ୍ଷକ ଆମ ଜିଲ୍ଲାରୁ କାଆଁ ଭାଆଁ ହୋଇ ପାରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ, ବ୍ୟିସଇକ କ୍ଷେତ୍ରରେ ନିଯୁକ୍ତି, ରାଜ୍ୟ ହେଉ କି କେନ୍ଦ୍ରରେ, ଆମ ପିଲା ପଛରେ ରହନ୍ତି। ଅନ୍ୟ ଜିଲ୍ଲା ପିଲା ଆମ ଜିଲ୍ଲାରେ ବହୁଳ ମାତ୍ରାରେ ଆମ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରେ ନିଯୁକ୍ତି ପାଉଛନ୍ତି। ଜିଲ୍ଲା ଭିତ୍ତିକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଅନେକ କ୍ଷେତ୍ରରେ ନାହଁ।

‎‎ବିକଳ୍ପ ଉପାୟ କ’ଣ, ଆମ ଜିଲ୍ଲାରେ ଶିଳ୍ପ ବିକାଶର ଆବଶ୍ୟକତା ଅଛି। ଏଥି ପାଇଁ ଆମ ଜିଲ୍ଲାରେ ଯଥେଷ୍ଟ କଞ୍ଚା ମାଲ ବକ୍ସାଇଟ ଅଛି। ଭାରତର ୫୧-୫୨ % ବକ୍ସାଇଟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ। କିନ୍ତୁ ଶିଳ୍ପ କହିଲେ, ଅଣ ସରକାରୀ ଉଦ୍ୟୋଗ ଆମ ଦେଶର ଏକ ମାତ୍ର ବିକଳ୍ପ ବୋଲାଉଛି। ସବୁ ଆଖି ଲାଭ ଖୋରି, ପ୍ରାଇଭେଟ୍ କମ୍ପାନୀ ଉପରେ।  ଯଦି କାଲି ବକ୍ସାଇଟ ରିଫାଇନାରୀ ବା ଏଣ୍ଡ ପ୍ରଡଡକ୍ଟ ପାଇଁ, ଯଦି କଳାହାଣ୍ଡିରେ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ଏହାର ଲାଭକୁ କଳାହାଣ୍ଡିରେ ବ୍ୟୟ କରାଯାଏ, କଳାହାଣ୍ଡିର ଭୂମିହୀନ, ଛୋଟ ଚାଷୀ, ଚାଷୀ ଓ ଅନ୍ୟାନ୍ୟ ଘରର ସବୁ ପିଲା ସୁଶିକ୍ଷିତ ହେବେ, ଚାକିରୀ ପାଇବେ, ବ୍ୟବସାୟ ପାଇବେ, ସବୁ ପ୍ରକାର ସୁବିଧା ସୁଯୋଗ ପାଇବେ।

‎କିନ୍ତୁ ଏହା ହେବ ନାହିଁ। କଳାହାଣ୍ଡିର ବକ୍ସାଇଟକୁ ସରକାର, କମ୍ପାନୀ ମାନଙ୍କ ହାତକୁ ଟେକି ଦେଇ ସାରିଲେଣି। ରାଜନେତା ପ୍ରାୟ ଚୁପ୍। ସରକାର ବିଭିନ୍ନ ପ୍ରକାର ସ୍ୱୀକୃତି ଦେଉଛନ୍ତି। ଆଦିବାସୀ ଓ ସେମାନଙ୍କ ସହଯୋଗୀଙ୍କ ସମର୍ଥନରେ ଗଣତାନ୍ତ୍ରିକ ଆନ୍ଦୋଳନ ଓ ଆଇନ ଗତ ପଦକ୍ଷେପ ଯୋଗୁଁ, ଏଲ୍.ଏଣ୍ଡ.ଟି କିଛି ବର୍ଷ ତଳେ ଫେରିଗଲା। କିନ୍ତୁ ବେଦାନ୍ତ, ମୟିତ୍ରି କମ୍ପାନୀ ଓ ଅନ୍ୟମାନେ ଏହା ଉପରେ ନଜର ପକାଇ ସରକାରୀ ସ୍ୱୀକୃତି ଗୁଡ଼ିକ ନେଉଛନ୍ତି। 

ଯଦି ବକ୍ସାଇଟ ପାଇଁ ଆଦିବାସୀଙ୍କୁ ତାଙ୍କ ଭିଟା ମାଟିରୁ ଉଚ୍ଛେଦ କରାଯାଏ, ହଜାର ହଜାର ଏକର ଜଙ୍ଗଲ କାଟି ଦିଆ ଯାଏ, ଆଦିବାସୀ ସେୟାର ହୋଲ୍ଡର ନ ହୁଅନ୍ତି, ବକ୍ସାଇଟ ଦିନକୁ କେତେ ଉତ୍ତୋଳନ ହେଲା, କୁଆଡେ ଗଲା, କେତେରେ ବିକ୍ରି ଓ କେତେ ଲାଭ ହେଲା, ତାହା କଳାହାଣ୍ଡିର ଲୋକେ ତଦାରଖ ନ କରିବେ, ସବୁ ଡିପାର୍ଟମେଣ୍ଟ ଓ ସେକ୍ସନ୍ ରେ, ବ୍ୟିସୟୀକ ଓ ସାଧାରଣ କ୍ଷେତ୍ରରେ ଶିକ୍ଷା ପ୍ରାପ୍ତ ହୋଇ ସଂସ୍ଥାପିତ ଓ ମୁତୟନ ନ ହେଲେ, କଳାହାଣ୍ଡିର ଲୋକେ ଓ ବର୍ତ୍ତମାନର ଯୁବା ଓ ଯୁବତୀ ଗଣ, ପୁରା ଠକାମିରେ ପଡିଯିବେ ଓ ଏହିଁ ଠକାମି ନ କରିଦେବା ପାଇଁ ଆମେ କଳାହାଣ୍ଡି ଜନତା ପ୍ରସ୍ତୁତ ହେବା ଦରକାର। ଏହା ନ ହେଲେ ଭାବି ପିଢ଼ି ଆମକୁ ବୋକା କହିବେ।

‎କମ୍ପାନୀ ଓ ସରକର କଳାହାଣ୍ଡି ଲୋକଙ୍କୁ ନ ଠକିବା ପାଇଁ ରଣ ନୀତି ଆମ ପ୍ରତିନିଧି ସହିତ ମିଶି ନୀତି ପ୍ରସ୍ତୁତ କରିବା ଆବଶ୍ୟକ। ଏପରି ଯଦି ନ ହୁଏ, ଫଳାଫଳ, ୧) ଆମେ ବକ୍ସାଇଟ ଶିଳ୍ପର ସବୁ ସ୍ଥରରେ ନିଯୁକ୍ତି ପାଇ ପାରିବୁ ନାହି, ୨) ଜଙ୍ଗଲ, ଜମି, ଜୀବ, ନଷ୍ଟ ହୋଇ ଯିବ, ୩) କଳାହାଣ୍ଡିର ତାପମାତ୍ର ଖରାଦିନେ ଆହୁରି ବଢ଼ି ଯିବ, ୪) ଉପରେ ଓ ତଳେ ଥିବା ବ୍ଲକ, ପଞ୍ଚାୟତ ଓ ଗାଁ ମାନଙ୍କରେ ପାଣିର ଧାର ଶୁଖିଯିବ, ୫) ପରିବେଶ ଓ ସାମାଜିକ ପ୍ରଦୂଷଣ ଆହୁରି ବଢ଼ି ଚାଲିବ, ୬) ଆମ ପିଲା, ମାଁ ଓ ଭଉଣୀ ଅନ୍ୟ ଘରେ ସେବକ ଓ ସେବିକା କାମ କରିବେ, ୭) ଜିଲ୍ଲାରେ ଦର ଦାମ ଆହୁରି ବଢ଼ି ଚାଲିବ, ୮) ଜଙ୍ଗଲ ଜାତ ଦ୍ରବ୍ୟର ଘୋର ଅଭାବ ହେବ, ୯) ପଶୁ ଓ ପକ୍ଷୀ ଆଉ ଦେଖାଯିବେ ନାହିଁ। ହାତୀ, ହରିଣ, କୁଟୁରା, ସମ୍ବର୍, ବିଲୁଆ, ଗଧିଆ, ଚିତ୍ତା ବାଘ୍, ମାଙ୍କଡ଼ ରେ ପ୍ରସିଦ୍ଧ କଳାହାଣ୍ଡି, ଏଥିରେ ସଂପୂର୍ଣ୍ଣ ହ୍ରାସ ପାଇଯିବ, ୧୦) ଘର ଡିହ, ଓ ଚାଷ ଜମିର ଦାମ୍ ବଢ଼ିବ, ଆମେ କିଣି ପାରିବା ନାହିଁ, ୧୧) ବାହାରୁ କଳାହାଣ୍ଡି  ଭିତରକୁ ମାଇଗ୍ରେସନ ବଢ଼ିଜିବ, ୧୨) ଅନ୍ୟଙ୍କୁ ନେଇ ଏକ ମିଶ୍ରିତ ସଂସ୍କୁତି ସୃଷ୍ଟି ହେବ, ୧୩) ଖଣି ଖାଲି ହେଲାପରେ, ସେ ଅଞ୍ଚଳର ଭୂଭାଗ ଅବ୍ୟବହାର୍ୟ୍ଯ ହୋଇ ପଡ଼ି ରହିବ ବୋଲି ମନେ ହୁଏ।

‎ଆଜି କଳାହାଣ୍ଡି ବାସୀ ଏକ ହୋଇ ଆନ୍ଦୋଳନ କାରି ନିରୀହ ଆଦିବାସୀ, ଯିଏ ଗଣତାନ୍ତ୍ରିକ ଆନ୍ଦୋଳନ କରି ରହସ୍ୟ ଭିତ୍ତିକ ପରିସ୍ଥିତିରେ ଜେଲ୍ ଯାଇଛନ୍ତି, ତାଙ୍କ ଆନ୍ଦୋଳନରେ ଯଦି ଯୋଗ ନ ଦେବା, ତାଙ୍କ ସ୍ୱର ଆମ ସମସ୍ତଙ୍କର ସ୍ୱର ନ ହେବ, ତେବେ ଆମେ ଆମର ଶେଷ ଧନ ଓ ଆଶା “ବକ୍ସାଇଟକୁ” ନିଶ୍ଚିତ ହରାଇବା ଓ ପ୍ରତିବଦଳରେ ଅବହେଳିତ ଓ ଗରିବ ହୋଇ ରହିଥିବା। ଆମ ଛାତି ଓ ପିଠିରେ ଆମ ସମ୍ପତ୍ତିକୁ ନେଇ ଆମର ଶତ୍ରୁ ପଇସାବାଲା, ପୁଞ୍ଜିପତି ଓ ବିକ୍ରିଗଲା ରାଜନେତା, ଆମ ଉପରେ ମାଲିକ ହୋଇ ଆମକୁ ଚାକର କରି ରଖିବେ। 

‎ଡୁଇଟ ଡେଭିଡ ଫିଲିପ୍,

‎ଓକିଲ, ‎ଭବାନୀପାଟଣା, କଳାହାଣ୍ଡି, ଓଡିଶା 

‎୭୬୬୦୦୧, 

‎ଫୋନ: ୯୪୩୭୧୦୪୩୦୩

Related posts

ମାଟିର ସ୍ଵର: ଟୋନିସ ରୋହିଦାସଙ୍କ କଳା ପାରାୟଣ ଜୀବନ

ଆଜିର ଦିବସର ଅନୁଚିନ୍ତା: ମେ ୨୫ ତାରିଖ: ଇତିହାସ,ସଂସ୍କୃତି,ବିଜ୍ଞାନ ଓ ପ୍ରଗତିଚେତନାର ଆହ୍ବାନ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୧୨ ତାରିଖ : ମାନବୀୟ ସଫଳତାର ଏକ ଅନନ୍ୟ ଦିଗନ୍ତ

Sunil Chandra Nayak

Leave a Comment

error: Content is protected !!