ଜୁଆ ରାକେଟର ପର୍ଦ୍ଦାଫାସ : ୨ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୮,୩୯,୪୦୦/- ଟଙ୍କା, ୪୦୫ ଗ୍ରାମ ସୁନା, ୬୦୦ ଗ୍ରାମ ରୂପା ଅଳଙ୍କାର, ୩ କାର୍ ଓ ୪ ବାଇକ୍ ଜବତ
ରାଉରକେଲା ୮/୬, ରାଉରକେଲା ପୁଲିସ ପକ୍ଷରୁ ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମରେ ସୋମବାର ସକାଳେ ଚଢାଉ କରାଯାଇ ଓଡ଼ିଶା – ଝାରଖଣ୍ଡ ସୀମାଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତରାଜ୍ୟ ଜୁଆ ରାକେଟ୍କୁ ଠାବ କରାଯାଇଛି।
ଏହି ଚଢାଉରେ ରାଉରକେଲା ପୁଲିସର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଫଳରେ ଆଇନ-ଶୃଙ୍ଖଳା ରକ୍ଷା ସହ ସଫଳ ଭାବେ ଚଢାଉ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ଆଜି ସନ୍ଧ୍ୟାରେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର ଏବଂ ବରିଷ୍ଠ ପୋଲିସ୍ ଅଧିକାରୀମାନେ। ସୂଚନା ଅନୁସାରେ ସୋମବାର ସକାଳେ ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଲୁଆକେରାରେ ପହଞ୍ଚିବା ସହିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୁଲିସ୍ ୨୮ଲକ୍ଷ ୩୯ ହଜାର ୪୦୦ ଟଙ୍କା ଜବତ୍ କରାଯିବା ସହିତ ଜୁଆ ଖେଳରେ ବ୍ଯବହୃତ ହେଉଥିବା ୬୮ଟି ପାଶା, ୪ଟି ବାଂଶ ଟୋକରୀ, ଗୋଟିଏ କ୍ଯାସ୍ କାଉଣ୍ଟି ମେସିନ୍ ଜବତ୍ ସହ ଦୁଇ ଅଭିଯୁକ୍ତ, ଦୁଇ ଭାଇ ବହାନ କଂସାରୀ (୪୮) ଏବଂ ଦିଲିପ କଂସାରୀ (୫୯)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଘରୁ ଖାନତଲାସୀ ପରେ ୪୦୫ ଗ୍ରାମ ସୁନା ଅଳଙ୍କାର ଓ ୬୦୦ ଗ୍ରାମ ରୂପା ଅଳଙ୍କାର ସମେତ ୪ଟି ମୋବାଇଲ୍ ଫୋନ୍ ମଧ୍ଯ ଜବତ କରାଯାଇଥିଲା।
ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ସୁନା ଅଳଙ୍କାର ୪୦୫ ଗ୍ରାମ୍, ରୂପା ଅଳଙ୍କାର ୬୦୦ ଗ୍ରାମ୍, ନଗଦ ୨୮,୩୯,୪୦୦/-(ଅଠାଇଶ ଲକ୍ଷ ଅଣଚାଳିଶ ହଜାର ଚାରିଶହ ମାତ୍ର), ଗୋଟିଏ ସ୍ବିଫ୍ଟ ଡିଜାୟର, ଗୋଟିଏ ଇନୋଭା କ୍ରିଷ୍ଟା, ଗୋଟିଏ ମହିନ୍ଦ୍ରା XUV-୭୦୦, ମୋଟର ସାଇକେଲ ୪ଟି, ମୋବାଇଲ ଫୋନ ୪ଟି, ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ୬୮ଟି ପାଶା, ୪ଟି ବାଂଶ ଟୋକରୀ, ଗୋଟିଏ କ୍ୟାଶ କାଉଣ୍ଟିଂ ମେସିନ୍।
ଗିରଫ ଅଭିଯୁକ୍ତ ହେଲେ ରାଉରକେଲା ସେକ୍ଟର-୧୫ ଥାନା ଅଧିନସ୍ଥ ଲୁଆକେରା ଗ୍ରାମର ବହାନ କଂସାରୀ (୪୮) ପିତା- ଝରିଆ କଂସାରୀ ଏବଂ ଦିଲୀପ କଂସାରୀ (୫୯) ପିତା – ଝରିଆ କଂସାରୀ
ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବନ୍ଧମୁଣ୍ଡା ଥାନାରେ କେସ୍ ନଂ. ୧୫୪ ଧାରା – ୦୩ ଓପିଜି ଆଇନ ଏବଂ ବିଶ୍ରା ଥାନା କେସ୍ ନଂ. ୧୧୭, ଧାରା – ୦୩ ଓପିଜି ଆଇନରେ ଦୁଇଟି ମାମଲା ରହିଛି। ଏଥିସହିତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତି ସମ୍ୱନ୍ଧରେ ଯାଞ୍ଚ ଚାଲିଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

