ନୂଆପଡ଼ାରେ କୃଷି ବିଭାଗର ସମୀକ୍ଷା ବୈଠକ, ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
ସାମାଜିକ ପ୍ରତିବଦ୍ଧତା ଓ ବୈଜ୍ଞାନିକ ମନୋବୃତ୍ତି ସହ କାର୍ଯ୍ୟ କରିବାକୁ ପରାମର୍ଶ
ନୂଆପଡ଼ା, ୧୦/୦୬:(ସୁଜିତ କୁମାର ପ୍ରଧାନ ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଖରିଫ-୨୦୨୬ ଋତୁ ପାଇଁ ଜିଲ୍ଲାରେ ମୋଟ ୧,୬୭,୮୩୦ ହେକ୍ଟର ଅଞ୍ଚଳରେ ଚାଷ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ୯୩,୭୦୦ ହେକ୍ଟରରେ ଧାନ, ୭,୬୦୦ ହେକ୍ଟରରେ ମକା, ୫,୧୭୦ ହେକ୍ଟରରେ ମିଲେଟ୍ ଏବଂ ୨୬,୧୨୦ ହେକ୍ଟରରେ ଡାଲିଜାତୀୟ ଫସଲ ଚାଷ କରାଯିବ। ଜିଲ୍ଲାରେ ଖରିଫ ଋତୁରେ ୧,୦୨,୯୪୦ ହେକ୍ଟର ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ବୈଠକରେ ବିହନ ଯୋଗାଣ, ସାର ବିତରଣ, ମୃତ୍ତିକା ନମୁନା ସଂଗ୍ରହ, ଶ୍ରୀଅନ୍ନ ଅଭିଯାନ, ମୁଖ୍ୟମନ୍ତ୍ରୀ ମକା ମିଶନ, ତୈଳବୀଜ ଓ ଡାଲିଜାତୀୟ ଫସଲ ପ୍ରୋତ୍ସାହନ ସହ ବିଭିନ୍ନ କୃଷି ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟରେ ୪୪.୪୨ ପ୍ରତିଶତ ଅଗ୍ରଗତି ହୋଇଥିବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ବୈଠକରେ ଜିଲ୍ଲାପାଳ କହିଥିଲେ ଯେ ନୂଆପଡ଼ାକୁ ଏକ ଅତ୍ୟାଧୁନିକ କୃଷି ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ଅଧିକାରୀଙ୍କୁ ସାମାଜିକ ପ୍ରତିବଦ୍ଧତା ଓ ବୈଜ୍ଞାନିକ ମନୋବୃତ୍ତି ସହ କାର୍ଯ୍ୟ କରିବାକୁ ହେବ। କ୍ଷେତ୍ରସ୍ତରରେ ନିୟମିତ ଗସ୍ତ ବୃଦ୍ଧି, ଚାଷୀମାନଙ୍କୁ ଆଧୁନିକ କୃଷି ପ୍ରଯୁକ୍ତି ସହ ଯୋଡ଼ିବା, ଜଳ ସଂରକ୍ଷଣ, ଫସଲ ବିବିଧୀକରଣ ଓ ଗୁଣାତ୍ମକ କୃଷି ସେବା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଚାଷୀଙ୍କ ନିକଟରେ ପହଞ୍ଚିବା ସହ କୃଷିକୁ ଅଧିକ ଲାଭଜନକ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ରଗତିଶୀଳ ଚାଷୀ ଚନ୍ଦ୍ରଶେଖର ଶବର (କୋମନା), ସରୋଜ କୁମାର ପାଣିଗ୍ରାହୀ (ବ୍ରାହ୍ମଣପଡା, ସିନାପାଲି) ଏବଂ ଶିବ ପ୍ରସାଦ ରଣା (ପିପଲଛେଣ୍ଡି, ଖୈରାଣୀ ଗ୍ରାମପଞ୍ଚାୟତ, ନୂଆପଡ଼ା)ଙ୍କୁ ସମ୍ମାନିତ କରାଯାଇଥିଲା।ବୈଠକରେ ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟଭୂଷଣ ନାଗ, ସହକାରୀ କୃଷି ଅଧିକାରୀ ବର୍ଷା ଆଜାଦଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

