ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଦଇବ ସାହା
ଢେଙ୍କାନାଳ – ଢେଙ୍କାନାଳର ବହୁତଳ କୋଠା ବିଶିଷ୍ଟ ମୁଖ୍ୟ ଡାକ୍ତରଖାନା ଠାକୁର ଭରସାରେ ରହିବା ଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। କୋଟିକୋଟି ଟଙ୍କା ବ୍ୟୟରେ ବିଭିନ୍ନ ଅତ୍ୟାଧୁନିକ ସରଞ୍ଜାମ ସହ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇଦେବା ପାଇଁ ନିର୍ମିତ ସାତମହଲା ବିଶିଷ୍ଟ ଏହି ଡାକ୍ତରଖାନା ଅନେକ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ଚାଲିଛି। ଏଠାରେ ସବୁଥାଇ କିଛିନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନାହାଁନ୍ତି। କେଉଁଠି ଶୌଚାଳୟ କାମ କରୁନଥିବା ବେଳେ କେଉଁଠି ଉପଯୁକ୍ତ ଶଯ୍ୟା ନାହିଁ। ଆଉଟଡୋରରେ ରୋଗୀମାନେ ଧାଡିରେ ଘଣ୍ଟା ଘଣ୍ଟା ଛିଡା ହୋଇ ଅନ୍ୟ ଉପାୟ ନପାଇ ଅନେକ ସମୟରେ ଫେରି ଯାଉଛନ୍ତି। ବିଭିନ୍ନ ବିଭାଗରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଭିଜିଟରେ ସକାଳେ ଥରେ ଓ ସନ୍ଧ୍ୟାରେ ଥରେ ଡାକ୍ତର ଆସି ନିଜର କାମ ସାରୁଛନ୍ତି। ବାକି ସମୟତକ ରୋଗୀର ଜୀବନ ତାଲିମପ୍ରାପ୍ତ ନର୍ସଙ୍କ ହାତରେ ବନ୍ଧା। ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ଜଣେ ଅଧେ ଅଭି ଅଭିଜ୍ଞ ନର୍ସ ଚାମ୍ବରରେ ହିଁ ବସି ରହିଥାନ୍ତି। ଚିକିତ୍ସା ସମୟରେ ରୋଗୀ ଚାର୍ଟ ହେଉନଥିବା ଯୋଗୁଁ ରୋଗୀ କେତେବେଳେ କେଉଁ ଔଷଧ ଅବା ଇଞ୍ଜେକସନ ନେଇଛନ୍ତି ତା’ର ରେକର୍ଡ ଡାକ୍ତର କିମ୍ବା ନର୍ସମାନଙ୍କ ପାଖରେ ରହୁନି। ସିଫ୍ଟରେ ଆସୁଥିବା ନର୍ସମାନେ ରୋଗୀଙ୍କୁ କେଉଁ ମେଡ଼ିସିନ ଓ କେତୋଟି ସାଲାଇନ ଲାଗିଛି ସେ ସମ୍ପର୍କରେ ରୋଗ ରୋଗୀଙ୍କୁ ପଚାରୁଛନ୍ତି। ଏହିଭଳି ବ୍ୟତିକ୍ରମ ଯୋଗୁଁ କିଛିଦିନ ତଳେ ଜ୍ଵରରେ ପୀଡିତ ହୋଇ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଏକ ୪ ବର୍ଷର ଶିଶୁ କନ୍ୟାର ଭୂଲ ଇଞ୍ଜେକସନ ଯୋଗୁଁ ପ୍ରାଣ ଚାଲି ଯାଇଥିବା ଭଳି ଅଭିଯୋଗ ଆସିଥିଲା। ଜରୁରୀ ପରିଦର୍ଶନ ଜଣେ ମଧ୍ୟ ଡାକ୍ତର ରହୁ ନାହାଁନ୍ତି। ରାତିରେ ଆସୁଥିବା ରୋଗୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ। ଚିହ୍ନା ପରିଚୟ ନଥିଲେ ରାତିରେ ଡାକ୍ତରଖାନାର କୌଣସି କର୍ମଚାରୀ ରୋଗୀ ଅବା ସେମାନଙ୍କ ସମ୍ପର୍କୀୟଙ୍କ ମୁହଁକୁ ଚାହୁଁ ନାହାନ୍ତି। ପୂର୍ବରୁ ଏସଏନସିୟୁ ବିଭାଗରେ ଚଟାଣ ଓ କାନ୍ଥରେ ଲାଗିଥିବା କିଛି ଟାଇଲ ବ୍ଲାଷ୍ଟ ହୋଇ ଏକ ପ୍ରକାର ଭୟଙ୍କର ଶବ୍ଦ କରିଥିବା ବେଳେ ରୋଗୀ ତଥା ସମ୍ପର୍କୀୟମାନେ ଭୂମିକମ୍ପ ଅବା ବୋମା ଭୟରେ ନିଜ ଛୁଆଙ୍କୁ ଧରି ସିଡି ବାଟ ଦେଇ ତଳକୁ ଦୌଡି ଆସିଥିଲେ। ଯଦିଓ ସେଭଳି ବଡ ଧରଣର ଅଘଟଣ ଘଟି ନଥିଲା। ଡାକ୍ତରଖାନାର ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି କାମ ସଠିକ ଭାବରେ ହେଉନି। ଏପଟେ ଡାକ୍ତରଖାନାର ମୁଖ୍ୟ ବିଭାଗକୁ ଯିବାକୁ ଥିବା କାଓକ୍ୟାଚର ଓ ବିଭିନ୍ନ ସ୍ଥାନରେ ଡ୍ରେନ ଉପରେ ପଡ଼ିଥିବା ସିମେଣ୍ଟ ସ୍ଥାବ ଭାଙ୍ଗି ଗଲାଣି। ଡ୍ରେନ ଭିତରେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପ୍ରାୟ ସମୟରେ ବିଭିନ୍ନ ୱାର୍ଡରେ ଜଳାଭାବ ଲାଗି ରହୁଛି। ଅନେକ ସମୟରେ ବିଦ୍ୟୁତ ସମସ୍ୟା ରୋଗୀଙ୍କୁ କଲବଲ କରୁଛି। ବାଧ୍ଯ ହୋଇ ରୋଗୀମାନେ ଘରୁ କିମ୍ବା ବାହାରୁ ପାଣି ଆଣୁଛନ୍ତି। ବିଭିନ୍ନ ବିଭାଗର ଡ଼ାକ୍ତରମାନେ ଘରୋଇ କ୍ଲିନିକରେ ବ୍ୟସ୍ତ ରହୁଛନ୍ତି। ଔଷଧ ବିଭାଗରେ ଡାକ୍ତର ଲେଖିଥିବା ଔଷଧ ସରି ଯାଇଥିବା ଫାର୍ମାସିଷ୍ଟମାନେ କହୁଥିବା ବେଳେ ପରିସରରେ ଲାବ ଟେଷ୍ଟି ପାଇଁ ସେଭଳି କିଛି ବିଶେଷ ସୁବିଧା ନାହିଁ। ରକ୍ତ ଭଣ୍ଡାରରେ ହଜାର ହଜାର ୟୁନିଟ ରକ୍ତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ବର୍ଷତମାମ ସଂଗ୍ରହ କରାଯାଇଛି। ହେଲେ ଗରିବ ରୋଗୀଙ୍କୁ ରକ୍ତ ମିଳୁନାହିଁ। ଉପଯୁକ୍ତ ସଂରକ୍ଷଣ ଅଭାବରୁ ସଂଗୃହୀତ ରକ୍ତ ନଷ୍ଟ ହେଉଛି। ଏସବୁ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ରୋଗୀ ତଥା ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

