ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରଜ ଭାଗବତ

   ରଜ ଭାଗବତ

କବି ଶ୍ରୀ ଶମ୍ଭୁନାଥ ଦାସ,ଯାଜପୁର
ନମଇଁ ପ୍ରଭୁ ଜଗନ୍ନାଥ । ଶ୍ରୀପାଦେ କୋଟି ପ୍ରଣିପାତ ।।
ସକଳ କର୍ମର ବିଧାନ । ଅତୀତ ଆଉ ବର୍ତ୍ତମାନ ।।
ଯାହା ଲିଖନ ଭବିତବ୍ୟ । ତାହା ହିଁ ଅବଶ୍ୟ ଘଟିବ ।।  
କରି କରାଉ ସବୁ ତୁହିଁ । ନର କେବଳ ହାଇଁ-ପାଇଁ ।। 
ପ୍ରକୃତି ରଚନା ତୋହର । ମାନବେ ସ°ରକ୍ଷଣ ଭାର ।।  
ତବ ସୃଷ୍ଟିର ପୂଜାର୍ଚ୍ଚନା । ମାନବ ହୃଦୟେ ଭାବନା ।।
ସ°ସ୍କୃତି ପରମ୍ପରା ମାନ । ଗଢ଼ା ଯେ’ ମାନବ କଲ୍ୟାଣ ।।
ପୂଜନ ସୁନ୍ଦର ସୃଷ୍ଟିର । ବୈଦିକ ରୀତିର ବିଚାର ।।
ଯେମନ୍ତ ଉତ୍କଳ’ରେ ରଜ । ପର୍ବ ପାଳନେ ସଜ-ବାଜ ।।
ଆବହମାନର ସ°ସ୍କୃତି । ଭରିଛି ସ°ସ୍କାର ସ°ହତି ।।
ପ୍ରକୃତି ପୂଜନେ ଏ ପର୍ବ । ଅବଶ୍ୟ ଉତ୍କଳ’ର ଗର୍ବ ।।
ଜ୍ୟେଷ୍ଠ ମାସାନ୍ତରୁ ତ୍ରିଦିନ । ରଜ-ଉତ୍ସବ’ର ପାଳନ ।।
ଧରିତ୍ରୀ-ମାତା ରଜସ୍ଵଳା । ଆଧ୍ୟାତ୍ମ-ଭାବ ଭକ୍ତି-ମାଳା ।।
ପହିଲି ରଜ ଏହି ଦିନ । ନିଷେଧ ଖନନ ଦହନ ।।
ପରିବାର’ର ପ୍ରତି ଜନ । ନବ-ବସ୍ତ୍ର’ରେ ପରିଧାନ ।।
ପାଦ ନ ଲଗାନ୍ତି ମାଟିରେ । ଚାଲନ୍ତି ତାଳ ଫମ୍ପଡ଼ାରେ ।।
ଗୃହିଣୀ କରି ଉଠା-ଚୂଲି । ରନ୍ଧନ କରନ୍ତି ସେ’ ଜାଳି ।।
ବିଭିନ୍ନ ଖେଳ କସରତ । ପିଲାଏ ଆନନ୍ଦେ ମୋହିତ ।।
ଯୁବତୀଙ୍କର ଦୋଳି ଖେଳ । ଯୁବକ ବାଗୁଡ଼ିରେ ମେଳ ।।
ଆମ୍ବ ପଣସ ପ୍ରତି ଘରେ । ପାନ ଖାଆନ୍ତି ଆନନ୍ଦରେ ।।
ବିଭିନ୍ନ ପିଠା-ପଣା ବାଗ । ତା’ ମଧ୍ୟେ ପୋଡ଼-ପିଠା ଆଗ ।।
ବନ୍ଧୁ ବାନ୍ଧବ’ରେ ମିଳନ । ସ°ସାର ଶ୍ରଦ୍ଧାରେ ବନ୍ଧନ ।।
ଏ ପର୍ବ ଉତ୍କଳର ଗର୍ବ । ପୂଜନେ ସ୍ତ୍ରୀଲିଙ୍ଗ ଯେ’ ସର୍ବ ।।
ଗୋମାତା ଦେବୀ ଓ ମହିଳା । ଶ୍ରଦ୍ଧା-ସମ୍ମାନେ ଶୁଭ ବେଳା ।।
ଶକ୍ତି ଦେବୀଙ୍କ ଶକ୍ତିପୀଠ । କାମାକ୍ଷାଦେବୀରେ ନାମିତ ।।
ଆସାମ ରାଜ୍ୟର ଗୌରବ । କାମାକ୍ଷାଦେବୀଙ୍କ ସୌରଭ ।।
ପୂଜା ଉତ୍ସବ ସାରା ବର୍ଷ । ରଜ ଉତ୍ସବ ଯେ’ ବିଶେଷ ।।
ଉତ୍ସବ ନାମ ଆମ୍ବୁବାଚି । କାମାକ୍ଷାଦେବୀ ରଜବତୀ ।।
ଆଦ୍ଯ ଆଷାଢ଼ ଶୁକ୍ଳପକ୍ଷ । ପ୍ରତିପଦରୁ ତ୍ରିଦିବସ ।।
ମନ୍ଦିର ଦ୍ବାର ରହେ ବନ୍ଦ । ଦର୍ଶନ ନାସ୍ତି ଭକ୍ତବୃନ୍ଦ ।।
ନୀତିନିୟମ ପୂଜାର୍ଚ୍ଚନ । ସେବିକା କରନ୍ତି ବହନ ।।
ଏମନ୍ତ ତଥ୍ଯ-ତତ୍ତ୍ବେ ପର୍ବ । ମହାସଂସ୍କୃତି ରଜ-ପର୍ବ ।।
ପୁନଶ୍ଚ ଶୁଣ ସୁଧୀଜନ । ରଜ’ର ମାହାତ୍ମ୍ୟ ବିଧାନ ।।
ବନରେ ଜନକ-ନନ୍ଦିନୀ । ରାବଣ ଦ୍ଵାରା ଯେ’ ବନ୍ଦିନୀ ।।
ବନଦେବୀ’ଙ୍କ କୋଳେ ରହି । ସୀତାଙ୍କ ସମୟ କଟଇ ।।
ଅଶୋକ ବୃକ୍ଷ ମୂଳେ ସ୍ଥାନ । ମାସ ବରଷ କଟେ ଦିନ ।।
ଏ ଗଛ ଔଷଧୀୟ ଗୁଣ । ନ ହେବା ରଜ ହେବ ଜାଣ ।।
ପ୍ରଥମେ ହେଲେ ରଜବତୀ । ଅଶୋକ ବନେ ସୀତା-ସତୀ ।।
ଏମନ୍ତ ଶୁଭ ଘଟଣାରେ । ଆନନ୍ଦ ଭରେ ପରିବାରେ ।।
ଦେବୀ ସୀତା ହିଁ ମାତା-ଲକ୍ଷ୍ମୀ । ସେ’ ମାତା ଚରଣେ ପ୍ରଣାମି ।।
କେହି ନାହାନ୍ତି ପରିଜନ । ଆନନ୍ଦ ହୋଇଲା ମଳିନ ।।
ସର୍ଗୁ ଦେଖନ୍ତି ଦେବଗଣ । ପବନ ଅରୁଣ ବରୁଣ ।।
ସୂର୍ଯ୍ୟଙ୍କ ସୁନେଲି କିରଣେ । ଅଳତା ସୀତାଙ୍କ ଚରଣେ ।।
ଇନ୍ଦ୍ରଙ୍କ ହିମ ବାରିଧାରା । ସ୍ନାନ କରନ୍ତି ବସୁନ୍ଧରା ।।
ବନ୍ୟଦେବୀ’ଙ୍କ ଶୋଭା କୋଳେ । ପୁଷ୍ପର ବସ୍ତ୍ର-ବାସ ମିଳେ ।।
ମା’ ଲକ୍ଷ୍ମୀ ଦେବୀ ବସୁମତୀ ।  
ଏମନ୍ତ କାଳେ ରଜବତୀ ।।
ଆଷାଢ଼ ମାସ ତିନି ଦିନ । ହୁଅଇ ବସୁମତୀ ସ୍ନାନ ।।
ସେଦିନ ସୂର୍ଯ୍ୟୋଦୟ ପରେ । ପୂଜା ଯେ’ ଭୂମିର ବକ୍ଷରେ ।।
ଖଟୁଳି କରେ ଶିଳ-ପୁଆ । ଭୂମି ଉପରେ ହେବ ଥୁଆ ।।
ତା’ ପାଶେ କଳସୀ ବସାଇ । କଜଳ ଅଳତା ଲଗାଇ ।।
ଚନ୍ଦନ ସିନ୍ଦୂର ଓ ଦୁବ । ଗୁଆ ଓ ଆମ୍ବଡାଳ ଶୁଭ ।।
ଧୂପ-ଦୀପ’ରେ ବନ୍ଦାଇବ । ଭୂମିଷ୍ଠ ପ୍ରଣାମ କରିବ ।।
ବଜାଇ ଶଙ୍ଖ ହୁଳହୁଳୀ । ହଳଦୀ-ଜଳ ଢାଳି ଢାଳି ।।
କରନ୍ତି ବସୁମତୀ ସ୍ନାନ । ପୂଜା-ନୈବେଦ୍ୟ ସମର୍ପଣ ।।
ମା’ ଲକ୍ଷ୍ମୀ-ସୀତା ବିଳପନ । ସେଦିନ ଦୁଃଖ ପ୍ରଶମନ ।।
ଏମନ୍ତ ବସୁଧା ପୂଜନ । ତା’ପରେ ଭୂମିକୁ ଖନନ ।।
ଭୂମିରେ ପ୍ରଥମ ଖନନ । ଅଟଇ ଯେ’ ବୃକ୍ଷ-ରୋପଣ ।।
ବିଭିନ୍ନ ବୃକ୍ଷ ଫଳ-ଫୁଲ । ନଡ଼ିଆ ପଣସ କି ବେଲ ।।
କଇଁଥ ଆତ ଜାମୁ ଆମ୍ବ । ପଞ୍ଚ-ଫଳ’ରେ ଧ୍ୟାନ ଥିବ ।।
ମଲ୍ଲି ମାଳତୀ କି ମନ୍ଦାର । ଗୋଲାପ ହେନା କି ଟଗର ।।
ଅଶୋକ ଚମ୍ପକ କଞ୍ଚନ । ପାଞ୍ଚ ପ୍ରକାର ସର୍ବନିମ୍ନ ।।
ରୋପଣ ଅଟେ ପରମ୍ପରା । ପ୍ରକୃତି ସୁରକ୍ଷା’ର ଧାରା ।।
ପ୍ରକୃତି ପୂଜନେ ଗୌରବ । ରଜ ସ°ସ୍କୃତି’ର ସୌରଭ ।।
ଫଳ-ଫୁଲ ବୃକ୍ଷ ରୋପଣ । ତତ୍ତ୍ଵ ଯେ’ ଆହାର ରମଣ ।।
ଏମନ୍ତ ସ°ସ୍କାର ସ°ହତି । ଏ ରଜ-ପରବ ସ°ସ୍କୃତି ।।
ଧନ୍ୟ ଏ ଉତ୍କଳ ମହିଁମା । ଗୂଢ଼-ରହସ୍ୟେ ନାହିଁ ସୀମା ।।
ଜୀବନ ଜୀବିକା’ର ପ୍ରୀତି । ସ°ଯୋଗ କରଇ ସ°ସ୍କୃତି ।।
ଏମନ୍ତ ଭାଗବତ ବାଣୀ । ପାନ କରିବେ ଜ୍ଞାନୀ-ଗୁଣୀ ।।
ମା’ ଲକ୍ଷ୍ମୀ ଆଶିଷ ଲଭିଣ । ସୁଖ ଶାନ୍ତିରେ ଜନଗଣ ।।
ମା’ ବସୁମତୀଙ୍କୁ ଭୂମିଷ୍ଠ । ପ୍ରଣାମ କରେ ମୁଁ ବିନୀତ ।।
ରଜ’ର ଭାଗବତ ରସ । ପିଆନ୍ତି କବି ଶମ୍ଭୁ ଦାସ ।।
କି ସ୍ଵାଦ ଖଟା ମିଠା ପିତା । ବୋଲିବେ ଉତ୍କଳ ଜନତା ।।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ)

ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା ,କୋଲକାତା

Related posts

© ମଧୁମିତା ମିଶ୍ର ଙ୍କ କବିତା — ଫିନିକ୍ସ

masiha

ଜୟ କୁମାର ମିଶ୍ର ଙ୍କ କବିତା// “ଦାଦନଙ୍କ ଦୁଃଖ”

Sunil Chandra Nayak

ସୁରଥ କୁମାର ରାଉତ ଙ୍କ କବିତା _ _ ରଙ୍ଗ _ _

Sunil Chandra Nayak

Leave a Comment

error: Content is protected !!