ଭତ୍ତା ଦେବାରେ ରାଜ୍ୟ ସରକାର ବିଫଳ: ମାନବ ଅଧିକାର ସୁରକ୍ଷା ମଞ୍ଚର ଗଣବିକ୍ଷୋଭ ସହ ଦାବୀପତ୍ର
ବ୍ରହ୍ମପୁର,ତା.୨୩/୦୬ ଦୁଇ ବର୍ଷରୁ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀ ଙ୍କୁ ଭତ୍ତା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ଅଭିଯୋଗ କରିଛି I ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟଳୟ ସମ୍ମୁଖରେ ମଞ୍ଚ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇ ନିଗମ କମିସନର ଓ ମେୟରଙ୍କୁ ପୃଥକ ଦାବୀପତ୍ର ପ୍ରଦାନ କରାଯାଇଛି I ସୂଚନା ଯୋଗ୍ୟ ଯେ,ବ୍ରହ୍ମପୁର ସହରରେ ପ୍ରାୟ ୫୦୦୦ ରୁ ଅଧିକ ହିତାଧିକାରୀଙ୍କ ମଧ୍ୟରେ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା, ଏଡ଼ସ ପୀଡ଼ିତ ବ୍ୟକ୍ତି, କୁଷ୍ଠ ରୋଗୀ, ଅସହାୟ ଅବିବାହିତ ମହିଳା ଏବଂ ତୃତୀୟ ଲିଙ୍ଗୀ ବର୍ଗର ବ୍ୟକ୍ତି ବିଶେଷ ବର୍ତ୍ତମାନ ଭତ୍ତା ଅପେକ୍ଷାରେ ରହିଛନ୍ତି I ୨୦୨୪ ମସିହାରୁ ଅର୍ଥାତ ଗତ ଦୁଇ ବର୍ଷରୁ ରାଜ୍ୟ ସରକାର ବ୍ରହ୍ମପୁର ସହର ର ହିତାଧିକାରୀଙ୍କୁ ଭତ୍ତା ନ ଦେବା ଏକ ଅପାରଗତା ନା ହେୟଜ୍ଞାନ ବୋଲି ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ପ୍ରଶ୍ନ କରିଛନ୍ତି I ପ୍ରକାଶ ଯେ, ଗତ କୋଭିଡ ମହାମାରୀ ସମୟରେ ମହାନଗର ନିଗମ କାଉନସିଲ ନ ଥିଲା, ତାହାର ସୁଯୋଗ ନେଇ ଏକ କାଳୀନ ବ୍ରହ୍ମପୁର,ଭୁବନେଶ୍ୱର ଓ କଟକ ତିନୋଟି ମହାନଗର ନିଗମରେ ଘର ଟିକସ ବୃଦ୍ଧି କରାଗଲା I ଏଭଳି ବେନିୟମ ଭାବେ ଲାଗୁ କରାଯାଇଥିବା ବର୍ଦ୍ଧିତ ଟିକସ କୁ ଉକ୍ତ ତିନିଗୋଟି ସହରରେ ଜନଗଣ ବିରୋଧ କରିବାରୁ କଟକ ଓ ଭୁବନେଶ୍ୱରରେ ବର୍ଦ୍ଧିତ ଟିକସ ରାଜ୍ୟ ସରକାର ପ୍ରତ୍ୟାହାର କଲେ, କିନ୍ତୁ ବ୍ରହ୍ମପୁରରେ ସେହି ବର୍ଦ୍ଧିତ ଟିକସକୁ ବଳବତ୍ତର ଭାବେ ଲଦି ଦେଈ ସଂଗ୍ରହ ଆରମ୍ଭ କରିଛନ୍ତି I ତୁରନ୍ତ ଏଭଳି ପାତର ଅନ୍ତର ନୀତି ପ୍ରତ୍ୟାହାର କରାଯିବାକୁ ବାରମ୍ବାର ମଂଚ ସ୍ଵର ଉତ୍ତୋଳନ କରି ଆସୁଛି I ଅନ୍ୟ ଦାବି ଗୁଡ଼ିକ ମଧ୍ୟରେ ବ୍ରହ୍ମପୁର ସହରର ପ୍ରତ୍ୟେକ ୱାର୍ଡରେ ପାଠାଗାର ସ୍ଥାପନ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଗବେଷଣାମୂଳକ ପାଠାଗାରକୁ ଶୀଘ୍ର କାର୍ଯ୍ୟକ୍ଷମ, ସହରରେ ଦୁର୍ଘଟଣାଗ୍ରସ୍ତ, ଆହତ କିମ୍ବା ମୃତ ପଶୁମାନଙ୍କ ଉଦ୍ଧାର ଓ ପରିବହନ ପାଇଁ ପୃଥକ ସ୍ୱତନ୍ତ୍ର ଗାଡ଼ି ଚଳାଚଳ ବ୍ୟବସ୍ଥା କରାଯାଉ,ମୃତ ପଶୁମାନଙ୍କ ଶରୀରକୁ ସୁରକ୍ଷିତ ଓ ସ୍ୱଚ୍ଛ ପଦ୍ଧତିରେ ଦାହ ପାଇଁ ବୈଦ୍ୟୁତିକ ଦହନ ଯନ୍ତ୍ର ସ୍ଥାପନ, ବ୍ରହ୍ମପୁର ସହରରେ ପଲିଥିନ ଓ ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ୨ ଅକ୍ଟୋବର ୨୦୧୮ ଠାରୁ ଲାଗୁ ହୋଇଛି ତାକୁ କଡାକଡି କାର୍ଯ୍ୟକାରୀ କରାଯିବା,ବ୍ରହ୍ମପୁର ଗାନ୍ଧୀନଗର ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ, SNT ରୋଡ଼–କର୍ପୋରେସନ ରୋଡ଼ ଛକସ୍ଥିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ବିପଦପୂର୍ଣ୍ଣ ସିଡ଼ିର ତୁରନ୍ତ ମରାମତି କରାଯିବା, ସହରରେ ଥିବା ସମସ୍ତ ବରପୁତ୍ର ଓ ମହାମନୀଷୀମାନଙ୍କ ପ୍ରତିମୂର୍ତ୍ତି ଏବଂ ସମ୍ପୃକ୍ତ ପରିସରକୁ ପ୍ରତିଦିନ ନିୟମିତ ଭାବେ ସଫା କରି ପରିଷ୍କାର-ପରିଚ୍ଛନ୍ନ ରଖାଯିବା ଆଦି ୧୦ ଗୋଟି ପ୍ରମୁଖ ଦାବି ଆଜି କମିସନର ଏ .ସସ୍ୟା ରେଡ୍ଡୀ ଓ ମେୟର ସଂଘମିତ୍ରା ଦଳାଇ ଙ୍କ ସହ ପୃଥକ ଭାବେ ଆଲୋଚନା କରି ଦାବି ପତ୍ର ପ୍ରଦାନ କରାଯାଇଛି I ଆଜିର ବିକ୍ଷୋଭରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ମନୋଜ କୁମାର ତରାଇ,ଅଶୋକ କୁମାର ଦଳାଇ, ମହେଶ୍ୱର ବାଡତ୍ୟା, କାହ୍ନୁ ଚରଣ ପାତ୍ର, ରମେଶ ପ୍ରସାଦ ଦାସ, ଏସ. ସାମ୍ବଶିବା ରାଓ, ପ୍ରଶାନ୍ତ କୁମାର ପଣ୍ଡା, ବୀରେନ କୁମାର ବେହେରା, ସାଲ୍ଲା କେଶବ ଲିଙ୍ଗମ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I

