ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲତାଦେଇପୁର ଗ୍ରାମରେ ବିଜେ ପ୍ରଭୁ ଶ୍ରୀଉନ୍ନକୋଟୀଶ୍ୱରଙ୍କ ମନ୍ଦିର 

ଲତାଦେଇପୁର ଗ୍ରାମରେ ବିଜେ ପ୍ରଭୁ ଶ୍ରୀଉନ୍ନକୋଟୀଶ୍ୱରଙ୍କ ମନ୍ଦିର 

ଢେ଼ଙ୍କାନାଳ – ଘଞ୍ଚ ଜଙ୍ଗଲ,ନଦୀ,ନାଳ,ଝରଣା ଓ ଅନେକ ଜୈବ ବିବିଧତା,ସବୁଜିମା ପାଇଁ ବିଶେଷ କରି ଗଜରାଜ ହାତୀଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ । ଠିକ୍ ସେହିପରି ପ୍ରସିଦ୍ଧ କପିଳାସର ବାବା ଶ୍ରୀ ଚନ୍ଦ୍ରଶେଖର ମହାଦେବ,ନାଗେନାର ଶତାବ୍ଦୀ ପୁରାତନ ପ୍ରଭୁ ନାଗନାଥେଶ୍ୱର ମନ୍ଦିର,ଯୋରନ୍ଦାର ମହିମା ଧର୍ମ ଓଶୂନ୍ୟ ମନ୍ଦିର ତଥା ସହିଦ ବୀର ବାଜି ରାଉତଙ୍କ ପାଇଁ ବି ସାରା ଓଡ଼ିଶାରେ ଜଣାଶୁଣା ଆମ ଢେଙ୍କାନାଳ । ଇତି ମଧ୍ୟରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର କେତେଗୁଡିଏ ଐତିହାସିକ କୀର୍ତ୍ତିରାଜି ତଥା ପ୍ରାଚୀନ ମନ୍ଦିର ଆଦି ବୁଲି ଦେଖିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ଢେଙ୍କାନାଳ ସହରର ରାଜବାଟୀ,ଯତନନଗର କୋଠି,ପ୍ରଭୁ ସିଦ୍ଧବଳରାମଙ୍କ ମନ୍ଦିର,ମା ଦକ୍ଷିଣକାଳୀଙ୍କ ମନ୍ଦିର,ମା ବ୍ରାହ୍ମଣୀ ଦେଇଙ୍କ ମନ୍ଦିର,ମା ବୁଢ଼ୀଦେଇଙ୍କ ମନ୍ଦିର,ଯୋରନ୍ଦାର ଶୂନ୍ୟମନ୍ଦିର,ସପ୍ତଶଯ୍ୟା, ତପୋବନ,ଶଙ୍କରେଶ୍ୱର,ଛଦେଶ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବାବା ପଶ୍ଚିମେଶ୍ୱର ତଥା ବହୁ ପ୍ରାଚୀନ ସୋମନାଥ ଓ ସିଦ୍ଧେଶ୍ୱର ମନ୍ଦିର,ପ୍ରଭୁ ଦୌଡ଼େଶ୍ୱର ମହାଦେବଙ୍କ ମନ୍ଦିର,ସରାଙ୍ଗ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିମା,କୁଆଲୋର ପ୍ରଭୁ ଅଷ୍ଟଶମ୍ଭୁଙ୍କ ମନ୍ଦିର ସମୂହ ତଥା ଭ୍ରିଙ୍ଗେଶ୍ୱର ମହାଦେବ ମନ୍ଦିର ଆଦି ଅନ୍ୟତମ । ଢେଙ୍କାନାଳର ଆଉ ଏକ ପ୍ରାଚୀନ ମନ୍ଦିର ହେଉଛି,ପ୍ରଭୁ ଉନ୍ନକୋଟୀଶ୍ୱର ମନ୍ଦିର ବା ଲୋକମୁଖରେ ପରିଚିତ ଅନ୍ନକୋଟୀଶ୍ୱର ମନ୍ଦିର । ଏହି ମନ୍ଦିରଟି ସଦର ବ୍ଲକ ଲତାଦେଇପୁର ଗ୍ରାମରେ ଅବସ୍ଥିତ। ଯାହାକି ଯୋରନ୍ଦା ଠାରୁ ମାତ୍ର ଦଶ ବାର କିଲୋମିଟର ଦୂର ହେବ । ପ୍ରାକୃତିକ ସବୁଜ ସୁନ୍ଦର ଭରା ବନଭୂମି ତଥା ପାହାଡ଼ ପର୍ବତ ଘେରା ଲତାଦେଇପୁର ଗ୍ରାମର ଶାନ୍ତ ପରିବେଶରେ ବାବା ମହାରୁଦ୍ରଙ୍କ ଏହି ପ୍ରାଚୀନ ମନ୍ଦିରଟି ସ ଗର୍ବେ ଦଣ୍ଡାୟମାନ । କୁହାଯାଏ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ଶାସକଙ୍କ ଦ୍ୱାରା ଏହି ଉନ୍ନକୋଟୀଶ୍ୱର ମନ୍ଦିରଟି ନିର୍ମାଣ ହୋଇଥିଲା। ମନ୍ଦିରର ବିମାନଟି ଏକ ରେଖ ଦେଉଳ ମାତ୍ର ସୁକ୍ଷ୍ମ କାରୁକାର୍ଯ୍ୟ ରହିତ । ବିମାନର ମଧ୍ୟ ଭାଗରେ ଅର୍ଥାତ ସିଂହମୁଖର ନିମ୍ନ ଭାଗରେ ଅନେକ ଗୁଡ଼ିଏ ରେଖମୁଣ୍ଡି ନିର୍ମାଣ ହୋଇଥିବା ଦେଖିବାକୁ ମିଳେ । ମନ୍ଦିରଟିର କୌଣସି ସ୍ଥାୟୀ ଜଗମୋହନ ନାହିଁ ମାତ୍ର କେତେକ ପଥର ଖୁମ୍ବ ଉପରେ ଟିଣର ଛାତ ପଡ଼ିଛି ଯାହା ଗର୍ଭଗୃହରେ ଥିବା ମହାଦେବଙ୍କ ଲିଙ୍ଗ ସ୍ୱରୂପ କୋଟିଏରୁ ଗୋଟିଏ ଊଣା ବୋଲି ବିବେଚନା କରାଯାଏ। ଏଣୁ ରୁଦ୍ରଙ୍କ ନାମକରଣ,କୋଟିଏରୁ ଊଣା ଈଶ୍ୱର ବା ଉନ୍ନକୋଟୀଶ୍ୱର ବୋଲି ହୋଇଥିବା ଅନୁମାନ କରାଯାଏ ମାତ୍ର ଆଉ କେହିକେହି ଠାକୁରଙ୍କୁ ଅନ୍ନକୋଟୀଶ୍ୱର ବୋଲି ମଧ୍ୟ ସମ୍ବୋଧନ କରନ୍ତି। ଏହି ଉନ୍ନକୋଟୀଶ୍ୱର ମନ୍ଦିରଟି ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଓ ସୁରକ୍ଷିତ ଏକ ପ୍ରାଚୀନ ମନ୍ଦିର ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆଜି ପବିତ୍ର ଶ୍ରୀରାମ ନବମୀ , ଚଳଚଞ୍ଚଳ ଦେଶର ରାମ ମନ୍ଦିର

Sunil Chandra Nayak

ଆଜି ପବିତ୍ର ଅକ୍ଷୟ ତୃତୀୟା

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ପୂର୍ଣ୍ଣାହୁତି ଉଦଯାପିତ

Sunil Chandra Nayak

Leave a Comment

error: Content is protected !!